କଟକ: କଟକ ସ୍ଥିତ ଭଡ଼ା ଘରୁ ସିଆରପିଏଫ୍ ଜବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ହାବିଲଦାର ଦୀତିକୃଷ୍ଣ ପଣ୍ଡା । ସେ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ । ହେଲେ ଗତ କିଛି ଦିନ ହେବ ଛୁଟିରେ ସେ ଘରକୁ ଆସିଥିଲେ । ପାରିବାରିକ ବିବାଦକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ମୃତ ଜବାନ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଘର ଜଗତସିଂହପୁର ବିରିଡି ଅଞ୍ଚଳରେ ହୋଇଥିବାବେଳେ, ସେ ଦୀର୍ଘ ଦିନ ହେବ କଟକ ବିଦ୍ୟାଧରପୁର ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ । ହୋଲି ପାଇଁ ଛୁଟିରେ ଘରକୁ ଆସିଥିବାବେଳେ ଗତକାଲି ଭଡାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ତେବେ ପତ୍ନୀ ଘରେ ଥିବା ବେଳେ ସେ ଏଭଳି ପଦକ୍ଷେପ କେମିତି ନେଲେ ଏବଂ ପତ୍ନୀ ତାଙ୍କୁ କେମିତି ରୋକି ପାରିଲେ ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସିଆରଆରଆଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।