Latest Odisha News

‘ବିକଶିତ ହେବ ବଲାଙ୍ଗୀର, ପୂର୍ବ ସରକାର ଅବହେଳା କରିଥିଲେ’

ବଲାଙ୍ଗୀର: ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଛି । କିନ୍ତୁ ଆମ ସରକାର ଆସିବା ପରେ ବିଭିନ୍ନ ଯୋଜନା ହାତକୁ ନେଇଛି । ଆଗକୁ ବଲାଙ୍ଗୀର ବିକଶିତ ରାଜ୍ୟ ହେବ । ବଲାଙ୍ଗୀର ଗସ୍ତରେ ଯାଇଥିବା ବେଳେ ଆଜି ପ୍ରେସମିଟ୍ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ କିଭଳି ବଲାଙ୍ଗୀର ବିକଶିତ ହେବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଶନିବାର ଠାରୁ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ବଲାଙ୍ଗୀରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ସାରିବା ପରେ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଛି। ଜିଲ୍ଲାକୁ ଯେତେ ଗୁରୁତ୍ୱ ଦିଆଯିବା କଥା ପୂର୍ବରୁ ଦିଆଯାଇନାହିଁ । ନେତୃତ୍ଵ ଅଭାବ ନଥିବା ସତ୍ତ୍ଵେ ଏଠାରେ ବିକାଶ କରାଗଲାନି।

ବିଜେପି ସରକାର ଆସିବା ପରେ ଅନେକ ଯୋଜନା ହାତକୁ ନେଉଛନ୍ତି। ଗତକାଲି ଜଳସେଚନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ସେତୁ ନିର୍ମାଣ ଓ ସଡକ ନିର୍ମାଣ ଭଳି ୮୯୦ କୋଟି ମୂଲ୍ୟର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଖୁବଶୀଘ୍ର ବଲାଙ୍ଗୀରରେ ବିକାଶର ଧାରା ତ୍ୱରାନ୍ୱିତ ହେବ । ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ କରାଯିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଶୀଘ୍ର ସରିବ। ୩୮୦୦ କୋଟିର ବଜେଟ ଏବେ ସୁଦ୍ଧା ଦିଆଗଲାଣି। ଆଉ ୮୦ କିମି ବ୍ୟବଧାନ ଅଛି, ତ୍ଵରିତ କାମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀରରେ ଡବଲ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଅଛି। ଏଠାରେ ବିକାଶ ନିଶ୍ଚୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.