Latest Odisha News

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ନାଳକୁ ଓଲଟିଲା ବୋଲେରୋ

କେନ୍ଦ୍ରାପଡ଼ା: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ। ନାଳକୁ ଓଲଟିଲା ବୋଲେରୋ। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଏବଂ ଆଉ କିଛି ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲେରୋରେ ଯିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଉଛି। ତେବେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଅନ୍ୟପଟେ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମାର୍ଚ୍ଚ ୬ ଯାଏ ପରୀକ୍ଷା ଚାଲିବ। ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ରହିଛି।

 

Comments are closed.