ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୋଲେରୋ-ଟ୍ରେଲର ମୁହାଁମୁହିଁ ଧକ୍କା ହେବା କାରଣରୁ ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତମାନେ ପୋଲିସ କର୍ମଚାରୀ ବୋଲି ଜଣାପଡିଛି ।
ରବିବାର ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରେଲର ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଟିମ୍ ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ । ଗୁରୁତରମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ମୃତକମାନେ ହେଲେ ଡ୍ରିଲ ସବ୍ ଇନ୍ସପେକ୍ଟର ନିରଞ୍ଜନ କୁଜୁର, ଏପିଆର କାଶୀରାମ ଭୋଇ, ଏପିଆର ହାବିଲଦାର ଲିଙ୍ଗରାଜ ଧୂରୁଆ, ଏପିଆର ଦେବଦତ୍ତ ସା, ହୋମଗାର୍ଡ ଭକ୍ତବନ୍ଧୁ ମିର୍ଧା ।
ଘଟଣାସ୍ଥଳରେ ଝାରସୁଗୁଡ଼ା ଏସପି ଓ ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟ୍ରେଲର ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।