Latest Odisha News

BREAKING NEWS

ସତ ହେଲା ସ୍ୱପ୍ନା ପତିଙ୍କ ସ୍ୱପ୍ନ !

ଭୁବନେଶ୍ୱର: ପାଞ୍ଚଟି ହିନ୍ଦୀ ସିନେମାରେ ନିଖୁଣ ଅଭିନୟ କରି ସାରା ବଲିଉଡର ଦୃଷ୍ଟି ଆକର୍ଷଣ କରିପାରିଥିବା ଓଡ଼ିଆ ଅଭିନେତ୍ରୀ ସ୍ୱପ୍ନା ପତିଙ୍କର ଏବେ ଅନେକ ଦିନର ସ୍ୱପ୍ନ ସାକାର ହୋଇଛି । ବଲିଉଡରେ ଜଣେ ସଫଳ ଅଭିନେତ୍ରୀ ଭାବେ ସ୍ୱପ୍ନା ନିଜକୁ ପ୍ରତିଷ୍ଠିତ କରିଥିଲେ ମଧ୍ୟ ଅତି ପିଲାବେଳୁ ଜଣେ ଓଡ଼ିଆ ଭାବେ ଏକ ଭଲ ଓଡ଼ିଆ ସିନେମାରେ ଅଭିନୟ କରିବାକୁ ମନ ବଳାଇଥିଲେ । ଯାହାକି ଏବେ ସାକାର ହେବାକୁ ଯାଉଛି । ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ଏବେ ନିିର୍ମିତ ହେଉଛି । ଏହି ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ରେ ବଲିଉଡ ଅଭିନେତ୍ରୀ ସ୍ୱପ୍ନା ପତିଙ୍କ ବ୍ୟତୀତ ସବ୍ୟସାଚୀ, ଏଲିନା ଏବଂ ଅସୀମା ପଣ୍ଡା ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ।

ଓଡ଼ିଆ ଅଭିନେତ୍ରୀ ସ୍ୱପ୍ନା ୨୦୧୬ ମସିହାରେ ଏକ ବଲିଉଡ ଫିଲ୍ମ ‘ଟୁ ଡିଜାୟର୍ସ ଏଣ୍ଡ ଏ ଡ୍ରିମ’ରେ ଅଭିନୟ କରିବାର ସୁଯୋଗ ପାଇବା ପରେ ଆଉ ପଛକୁ ଫେରିନାହାନ୍ତି । ବଲିଉଡ଼ରେ ଅଭିନେତ୍ରୀ ଭାବେ ତିଷ୍ଠି ପାରିବା କମ୍ ବଡ଼ କଥା ନୁହେଁ, ମାତ୍ର ତାଙ୍କର ନିଖୁଣ ଅଭିନୟ ଲାଗି ସ୍ୱପ୍ନା ହିନ୍ଦୀ ସିନେମାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି ।

ସିନେମାରେ ଆକ୍ଟିଂ କରିବା ପୂର୍ବରୁ ସ୍ୱପ୍ନା ମଡ଼େଲିଂ ଜଗତରେ ପାଦ ଥାପିଥିଲେ । ମଡ଼େଲିଂରେ ବିଶେଷ ସଫଳ ହୋଇ ବଲିଉଡ଼ ସିନେମାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ ସୁନ୍ଦରୀ ସ୍ୱପ୍ନା ପତି ।

ସବୁଠୁ ବଡ଼ କଥା ହେଲା ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏ କେ ବୀରଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ଅନ୍ତଧ୍ୱର୍ନୀ’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ ସ୍ୱପ୍ନା । ତାପରେ ‘ଷ୍ଟ୍ରାଇକ୍ ବ୍ୟାକ୍’ ଓ ‘ବଦର୍’ ପରି ହିନ୍ଦୀ ସିନେମାରେ ତାଙ୍କୁ ଆକ୍ଟିଂ କରିବାର ସୁଯୋଗ ମିଳିଥିଲା ।

ସ୍ୱପ୍ନାଙ୍କ ହାତରେ ଆଗକୁ ଅନେକ ବଲିଉଡ଼ ଓ ହଲିଉଡ଼ ସିନେମା ରହିଥିଲେ ମଧ୍ୟ ନିଜ ଭାଷାର ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ରେ ଅଭିନୟ କରିବାର ସୁଯୋଗ ପାଇବା ପରେ ଏବେ ସେ ବେଶ୍ ଆନନ୍ଦିତ ବୋଲି କୁହନ୍ତି ଚୁଲବୁଲି ନାୟିକା ସ୍ୱପ୍ନା ପତି ।

ତେବେ ଯାହାବି ହେଉ ‘ମାଲ୍ ମହୁ ଜୀବନ ମାଟି’ ଓଡ଼ିଆ ସିନେମାରେ ଅଭିନୟ କରିବା ପରେ ତାଙ୍କ ପିଲାଦିନର ଏକ ସ୍ୱପ୍ନ ସାକାର ହୋଇଛି ।

Leave A Reply

Your email address will not be published.