Latest Odisha News

BREAKING NEWS

ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ, ପ୍ରଥମେ ବିଦ୍ୟାଳୟ ଏବେ ଡାକ୍ତରଖାନା

ନୂଆଦିଲ୍ଲୀ: ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ । କିଛି ଦିନ ତଳେ ଦିଲ୍ଲୀ କେତେକ ସ୍କୁଲକୁ ବୋମାରେ ଉଡେଇଦେବାର ଧମକ ମିଳିଥିବା ବେଳେ ବର୍ତ୍ତମାନ ଦିଲ୍ଲୀର ୨ଟି ବଡ ହସ୍ପିଟାଲକୁ ମିଳିଛି ବୋମାରେ ଉଡେଇ ଦେବାର ଧମକ । ଦିଲ୍ଲୀର ବୁରାଡୀ ସରକାରୀ ଡାକ୍ତରଖାନା ଏବଂ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ବୋମା ପକାଇ ଉଡେଇଦେବାର ଧମକ ମିଳିଛି । ଇମେଲ ମାଧ୍ୟମରେ ଏହି ଧମକପୁର୍ଣ୍ଣ ବାର୍ତ୍ତା ପଠାଇଛନ୍ତି ଦୁର୍ବୃତ । ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗର କହିବାନୁସାରେ ବୁରାଡି ସରକାରୀ ହସ୍ପିଟାଲ ଏବଂ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ଇମେଲ ଜରିଆରେ ବୋମା ଧମକ ମିଳିଛି। ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସର କହିବାନୁସାରେ ବୋମା ଧମକ ମିଳିଥିବା ଖବର ମିଳିବା ପରେ ଡାକ୍ତରଖାନାରେ ସ୍ଥାନୀୟ ପୋଲିସ ଏବଂ ବମ୍ ଡିସପୋଜାଲ୍ ଟିମ୍ (ବିଡିଟି) ଉପସ୍ଥିତ ଅଛନ୍ତି । ତେବେ ଏଯାବତ୍ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଥିଲା। ଏହାପରେ ବିଦ୍ୟାଳୟଗୁଡ଼ିକରେ ଖୋଜାଖୋଜି କରାଯାଇଥିଲା । କିନ୍ତୁ କିଛି ମିଳିନଥିଲା । ପରେ ଏହା ଏକ ପେକ୍ କଲ୍ ବୋଲି ପ୍ରମାଣିତ ହୋଇଥିଲା । ତେବେ ରାଜଧାନୀ ଦିଲ୍ଲୀରେ ମେ’ ୨୫ରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ସୁରକ୍ଷିତ ଭୋଟ୍ ଦେବା ଦାୟିତ୍ୱରେ ପୋଲିସ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ଏଭଳି ମେଲଗୁଡିକ ଏକ ଚ୍ୟାଲେଞ୍ଜ ଭାବରେ ଉଭା ହେଉଛି।

 

Comments are closed.