ଅନୁଗୋଳ: ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ଗତ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟରେ ଜିଲ୍ଲା ଜଜ୍ଙ୍କ ସରକାରୀ ମେଲ୍କୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା ।
ଆଜି ସକାଳେ କୋର୍ଟ ଖୋଲିବା ପରେ ଜିଲ୍ଲା ଜଜ୍ ନିରଞ୍ଜନ ପଣ୍ଡା ଏହା ଦେଖି ତୁରନ୍ତ ସ୍ଥାନୀୟ ପୋଲିସ ଓ ହାଇକୋର୍ଟ ସୂଚନା ଦେଇଥିଲେ ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନୁଗୋଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ଖାଲି କରାଯାଇ ସମସ୍ତ ଓକିଲ ଓ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କରୁଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ବେଳେ, ଇମେଲ୍ର ଉତ୍ସ ଖୋଜିବା ପାଇଁ ସାଇବର ଟିମ୍ ତଦନ୍ତ ଚଳାଇଛି । ପରିସ୍ଥିତି ଉପରେ ପୋଲିସର ତୀକ୍ଷ୍ଣ ନଜର ରହିଛି ।