ସମ୍ବଲପୁର: କୋର୍ଟକୁ ପୁଣି ବୋମା ଧମକ। ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଯୋଗେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି । ଧମକପୂର୍ଣ୍ଣ ମେଲ୍ ଆସିବା ପରେ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି। ପୁଲିସ ଏବଂ ସୁରକ୍ଷା ଦଳ ଦ୍ୱାରା ଏକ ପୁଙ୍ଖାନୁପୁଙ୍ଖ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।
ରେଜିଷ୍ଟ୍ରାରଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍। ରିପୋର୍ଟ ଅନୁସାରେ, କୋର୍ଟ କମ୍ପ୍ଲେକ୍ସକୁ ଉଡ଼ାଇ ଦେବାକୁ ଧମକ ଦେଇ ଏକ ଇମେଲ୍ ପଠାଯାଇଥିଲା । ଏହି ଧମକ ପରେ, ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି । କୋର୍ଟ ପରିସର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି । କୋର୍ଟ କ୍ୟାମ୍ପସରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଛାନ୍ଭିନ୍ କରିଛନ୍ତି । କୋର୍ଟ ପରିସର ଖାଲି କରି ତଲାସୀ ଅଭିଯାନ ଜାରି ରହିଛି। ଆଗରୁ ମଧ୍ୟ ସମ୍ବଲପୁର ଜିଲ୍ଲା କୋର୍ଟକୁ ଆସିଥିଲା ବୋମା ଧମକ । ସେହି ସମୟରେ କୋର୍ଟ ପରିସରରେ ଛାନ୍ଭିନ୍ ପରେ କୌଣସି ବୋମାର ସୁରାକ ମିଳିନଥିଲା।
ଏହା ଉଲ୍ଲେଖନୀୟ ଯେ, ଗତ ୪ ମାସ ମଧ୍ୟରେ ସମ୍ବଲପୁର କୋର୍ଟକୁ ମିଳିଥିବା ଚତୁର୍ଥ ବୋମା ଧମକ । ବାରମ୍ବାର ଧମକ କୋର୍ଟ କର୍ମଚାରୀ, ଓକିଲ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ଧମକପୂର୍ଣ୍ଣ ଇମେଲର ଉତ୍ପତ୍ତି ଖୋଜିବା ଏବଂ ପ୍ରେରକଙ୍କୁ ଚିହ୍ନଟ କରିବା ପାଇଁ ଏକ ସାଇବର ଟିମ୍ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ପୁଲିସ ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର କହିଛନ୍ତି, “ଓକିଲ ଓ ମହକିଲମାନଙ୍କୁ କୋର୍ଟ ପରିସର ଛାଡିବା ପାଇଁ କୁହାଯାଇଛି । ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ଏପରି ଧମକ ଆସିଛି । ଆମେ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ ।”