Latest Odisha News

BREAKING NEWS

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟ ବିଚାରପତି ରୋହିତ ଦେଓ, କହିଲେ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି

ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।

ମୁମ୍ଵାଇ; ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେଓ। ଗତକାଲି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଥିଲେ । କୋର୍ଟ ପରିସରରେ ଉପସ୍ଥିତ ଜଣେ ଆଇନଜୀବୀଙ୍କ ଅନୁଯାୟୀ ଜଷ୍ଟିସ ରୋହିତ ଦେଓ ଇସ୍ତଫା ଦେବା ନିଷ୍ପତ୍ତି ପଛରେ କାରଣ ଦର୍ଶାଇ ନାହାଁନ୍ତି କିନ୍ତୁ ସେ କହିଛନ୍ତି ଯେ, ସେ ତାଙ୍କ ଆତ୍ମ ସମ୍ମାନ ବିକି କୌଣସି କାର୍ଯ୍ୟ କରିପାରିବେ ନାହିଁ।

ସୂଚନା ଅନୁସାରେ, ଗତକାଲି କୋର୍ଟ ରୁମରେ ଓକିଲଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଉପସ୍ଥତ ଜଷ୍ଟିସ୍‌ ରୋହିତ ଦେଓ ନିଜ ଇସ୍ତଫା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ସେ ଏପରି କଠୋର ପଦକ୍ଷେପ ନେଇଥିବା କହିଥିଲେ । ମାତ୍ର ନିର୍ଦ୍ଦିଷ୍ଟ ଭାବେ କେଉଁ ଘଟଣା ଯୋଗୁ ସେ ନିଜ କ୍ୟାରିଅରକୁ ଜଳାଞ୍ଜଳି ଦେବାକୁ ପଛାଇ ନାହାନ୍ତି ତାହା ଉପରେ ପାଟି ଫିଟାଇ ନ ଥିଲେ। ଏହି ଅବସରରେ ସେ ନିଜ ସହଯୋଗୀ ଓକିଲମାନଙ୍କୁ ପୂର୍ବରୁ କରିଥିବା ଗାଳିଗୁଲଜ ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ।

ଏଥିସହ ସେ କହିଥିଲେ, ମୁଁ ଆପଣମାନଙ୍କୁ ଏଥିପାଇଁ କଡ଼ା କଥା କହୁଥିଲି, କାରଣ ମୁଁ ଚାହୁଁଥିଲି ଆପଣମାନେ ନିଜ କ୍ୟାରିଅରେ ଆଗକୁ ବଢ଼ନ୍ତୁ, କାମରେ ଦକ୍ଷ ହୁଅନ୍ତୁ। ମୁଁ ବ୍ୟକ୍ତିଗତ ଭାବେ କାହାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନ ଥିଲି, କାରଣ ଆପଣମାନେ ସମସ୍ତେ ମୋ’ ପରିବାର ପରି। ଇସ୍ତଫା ଘୋଷଣା କରିବା ପରେ ଜଷ୍ଟିସ୍ ଦେଓ ରାଷ୍ଟ୍ରପତିଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ଜଷ୍ଟିସ୍‌ ଦେଓ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ ଜଜ ଭାବେ ଯୋଗ ଦେଇଥିବା ବେଳେ ୨୦୨୫ରେ ଅବସର ନେଇଥାନ୍ତେ। ମାତ୍ର ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

 

 

Leave A Reply

Your email address will not be published.