ପୁରୀ: ଅପରାଧୀଙ୍କ ଚରାଭୂଇଁ ପାଲଟିଲାଣି ପୁରୀ । ଗତକାଲି ସନ୍ଧ୍ୟାରେ ଗୁଳିମାଡ ପରେ ଆଜି ପୁଣି ହୋଇଛି ପୁରୀରେ ବୋମାମାଡ। ଗତକାଲି ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡର ୨୪ ଘଣ୍ଟା ନ ପୂରୁଣୁ ପୁଣି ବୋମାମାଡ ହୋଇଛି ସଦର ମୁକୁନ୍ଦ ମିଶ୍ର ନଗରରେ ।
ଆଜି ଅପରାହ୍ନ ୩ଟାରେ ବାପି ଓରଫ ବିଜୟ କୁମାର ଖୁଣ୍ଟିଆଙ୍କ ଘରକୁ ବୋମାମାଡ ହୋଇଛି । ଦୁଇଜଣ ଦୁର୍ବୁତ୍ତ ଚାରୋଟି ବୋମା ବାପିଙ୍କ ଘର ଉପରକୁ ମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି । ତେବେ ବୋମାମାଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଏପରି ବୋମାମାଡ ହୋଇଥିବା ଅନୁମାନ କରାଯାଉଛି ।
ସୂଚନାଥାଉ କି, ଆସନ୍ତା ୧୦ ତାରିଖରେ କୋର୍ଟରେ ବାପି ଏକ ମାମଲାର ସାକ୍ଷୀ ଥିବାରୁ ତାଙ୍କ ପରିବାରକୁ ଡରାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।
ଏଠି କହିରଖିବୁ, ଗତକାଲି ସନ୍ଧ୍ୟାରେ ଯୁବ ବିଜେଡ଼ି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳିମାଡ ହୋଇଥିଲା । ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ । ଏଥିରେ କପଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟ ଓଟିରେ ଭର୍ତ୍ତି କରା ଯାଇଥିଲା।ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
Comments are closed.