ଭୁବନେଶ୍ୱର: ଏଣିକି ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ। ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ। ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ବିଧାନସଭା ଷ୍ଟାଣ୍ଡିଂ କମିଟି ବି ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଆୟୋଜନ ନେଇ ବିଭାଗକୁ ପରାମର୍ଶ ଦେଇଛି।
ସୂଚନାଯୋଗ୍ୟ, ଗତ ୭ ବର୍ଷ ହେବ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୁସ୍ତକ ମହୋତ୍ସବ ଆୟୋଜକ ଅନୁଷ୍ଠାନଙ୍କୁ ନେଇ ସଂସ୍କୃତି ବିଭାଗ ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ୧୦ଦିନ ଧରି ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଆୟୋଜନ କରିଆସୁଥିଲା। ଗତ ବର୍ଷଠାରୁ ସଂସ୍କୃତି ବିଭାଗ ଏକାକୀ ପୁସ୍ତକ ମହୋତ୍ସବ ଆୟୋଜନ କରୁଛି । ପୁସ୍ତକ ମହୋତ୍ସବ ପାଇଁ ବାର୍ଷିକ ୩ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବର୍ଷ ବଜେଟ୍ରେ ୨୪ କୋଟି ଟଙ୍କା ବ୍ୟୟବରାଦ ସହ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ କରିବାକୁ ବିଭାଗ ସବୁଜ ସଙ୍କେତ ଦେଇଛି । ଜିଲ୍ଲାୱାରୀ ପୁସ୍ତକ ମହୋତ୍ସବ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ପୂର୍ବରୁ ସରକାରଙ୍କୁ ସଂସ୍କୃତି ବିଭାଗ ପ୍ରସ୍ତାବ ଦେଇଥିଲା।
ବଜେଟ୍ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି । ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି ଏସ୍ଓପି ପ୍ରସ୍ତୁତ ହେବ । ଏହି ଅନୁସାରେ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ହେବ। ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ଯଥେଷ୍ଟ ପୂର୍ବରୁ ଦିନ ଧାର୍ଯ୍ୟ ହେବ। ଅଧିକରୁ ଅଧିକ ଅଂଶଗ୍ରହଣ ଲାଗି ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ କରାଯିବ। ପ୍ରତି ପୁସ୍ତକ ମହୋତ୍ସବ ମଞ୍ଚକୁ ସେହି ଜିଲ୍ଲାର ଜଣେ ବରପୁତ୍ରଙ୍କ ନାଁରେ ନାମିତ କରାଯିବ। ଏପରିକି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବରପୁତ୍ରଙ୍କ ପାଭିଲିୟନ୍ ନିର୍ମାଣ କରାଯାଇ ତାଙ୍କର ମୂଲ୍ୟବୋଧ ଓ ସିଦ୍ଧାନ୍ତର ପ୍ରଚାର, ପ୍ରସାର କରାଯିବ। ଓଡ଼ିଆ ଭାଷା, ଓ ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାହିତ୍ୟ ଆଲୋଚନାଚକ୍ରରେ ସାମିଲ କରାଯିବ ।