Latest Odisha News

BREAKING NEWS

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା

ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ
ଗାଳ୍ପିକ : ମଳୟ ମିଶ୍ର
ପ୍ରକାଶକ : ଦୃଷ୍ଟିପାତ
ପ୍ରଥମ ପ୍ରକାଶ : ୨୦୧୧
ପୃଷ୍ଠା ସଂଖ୍ୟା : ୧୨୯
ମୂଲ୍ୟ : ୧୫୦ ଟଙ୍କା

ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ ‘ବିମ୍ବ ପୁରୁଷ’ ଏକ ନିଆରା ସୃଷ୍ଟି । ହେଲେ ବିମ୍ବ ପୁରୁଷ କିଏ ତାହା ଏକ ପ୍ରଶ୍ନବାଚୀ। ପୁରାଟା ଗପ ଲେଖା ଯାଇଛି ଏକ ନିଆରା ଶୈଳୀରେ , ପ୍ରତୀକାତ୍ମକ ଢଙ୍ଗରେ ।ପୁରାଟା ଗପରେ କେବଳ ବିମ୍ବ ହିଁ ବିମ୍ବ। ବିମ୍ବ ପୁରୁଷବି ଗୋଟିଏ ବିମ୍ବ। ଚିଲିକାତ କହୁଛି ବିମ୍ବ ପୁରୁଷ ତା’ର କେହି ନୁହଁ, ହେଲେ ବାହା ହେଲା ପରେବି ସେ କାହିଁକି ଏତେ ଝୁରୁଛି ସେହି ବିମ୍ବ ପୁରୂଷକୁ। ସ୍ବାମୀ ସହ ସହାବସ୍ଥାନ କରୁଥିବାବେଳେ ଦୁଇଟି ଲଙ୍ଗଳା ଶରୀର ମଝିରେ କାହିଁକି ପ୍ରବେଶ କରୁଛି ବିମ୍ବ ପୁରୁଷ। କାହିଁକି ଅନ୍ୟ ମନସ୍କ ହେଉଛି ସେ। କାହିଁକି ସେ ମନେ ପକାଉଛି ୧୨ ତଳେ ତାପାଇଁ ଲେଖା ହୋଇ ହଜି ଯାଇଥିବା ଗୋଟିଏ ଚଠିକୁ, ଯାହା ଆଜି ଖାଲି ଏକ ସ୍ମୃତି। ତାହା ହେଲେ ବିମ୍ବ ପୁରୁଷ ତା’ର ପ୍ରଥମ ପ୍ରେମ ନୁହେଁତ, ଯାହା ପାଇଁ ଆଜି ସେ ବାରମ୍ବାର ଅନ୍ୟମନସ୍କ ହେଉଛି। ଏବେ ତା’ର ନଥିବା ପଣର ଦୁଃଖରେ ନିଜ ଘର ନିଜେ ଭାଙ୍ଗୁଛି। ହୋଇଥାଇ ପାରେ।

ବୟସର ଅପରାହ୍ନରେ ବେଳେବେଳେ ନିଜର ଅର୍ଦ୍ଧଚେତନ ମନରେ ଚାଲି ଆସୁଥିବା ପାପ, ପାପବୋଧର ଅନୁଭବ ଓ ସେହି ଅନୁଭବର ଅବଶୋଷ ଓ ଆଭ୍ୟନ୍ତରୀୟ ଭୟକୁ ନେଇ ଖୁବ୍ ସୁନ୍ଦର ଭାବରେ ଗତିଶୀଳ ହୋଇଛି କାହାଣୀ ” ଜହ୍ନ ରାତିକୁ ଦିନ ମନେ କରି ” । କାହାଣୀର ଦିନାନାଥ ଚରିତ୍ର ପରି ଅନେକ ଚରିତ୍ର ଅଛନ୍ତି ଆମ ସମାଜରେ। ସେମାନଙ୍କୁ ପ୍ରତିନିଧିତ୍ବ କରୁଛି ଦିନାନାଥର ଚରିତ୍ର।

” ମାଆ ” ଗପରେ ଚୋରି କରୁଥିବା ୪୫ ବର୍ଷର ରଘୁଆ ଭାବୁଥାଏ କେବଳ ମାଆ ମାନେ ହିଁ ତାଙ୍କ ପିଲାଙ୍କ ମୁହଁରେ ଖଞି ଦେଇପାରନ୍ତି ଦାନା। ପୋଲିସ ସବୁବେଳେ ବାନ୍ଧି ଆଣି ପାରେ ରଘୁଆ ପରି ଅତି ତଳ ସ୍ତରର ଗରିବ ଚୋର ମାନଙ୍କୁ ।କିନ୍ତୁ, ପୋଲିସ ବାନ୍ଧି ପାରେନା ଡାକ୍ତର, ଇଂଜିନିୟର, ନେତାଙ୍କ ପରି ବଡବଡ ଚୋରଙ୍କୁ।

“ଉଇ ହୁଙ୍କାରେ କୋଣାର୍କ ” ଗପଟି ଏକ ପ୍ରତୀକାତ୍ମକ ଗଳ୍ପ। କିନ୍ତୁ କେଜାଣି କାହିଁକି ମୋତେ ଲାଗିଲା ଗପଟି ଠିକ୍ ଭାବରେ ରୂପକ ସୃଷ୍ଟି କରି ପାରିନି। ଏଣୁ ଗପଟି ଛୁଇଁ ପାରିନି ମୋତେ।

” ଭାରତର ଗରିବ ଲୋକ ” ଗପଟି କିନ୍ତୁ ଖୁବ୍ ପାଠକଙ୍କୁ ଛୁଇଁବା ସହ ପିଲାଦିନ ମନେ ପକେଇଦେବା । ଗାଁର ଚିତ୍ରପଟ ଭାସିଯିବ। ତାଆ ସହିତ ମନେ ପଡିଗଲା ମୋ ଆମ ଗାଁରୁ ଆମ ଘରକୁ ଆସୁଥିବା ସବୁ ଲୋକ ଓ ମୋ ମାମୁଁର କୃତ୍ରିମ କାନ୍ଦଣା କଥା। ମୁଁ ଜାଣେ ଛତିଶଗଡ଼ର ମହାନଦୀ ଉପର ମୁଣ୍ଡରେ ବନ୍ଧ ବନ୍ଧା ହେବା ପରଠୁ ଓଡିଶାରେ କୈୗଣସି ବଡ ଧରଣର ବନ୍ୟା ହୋଇନି। ଶେଷ ଦଶ ବାର ବର୍ଷ ଭିତରେ ମରୁଡି ପଡିନି। ତଥାପି ସେମାନେ ଆସିଲେ ଆମ ଆଗରେ ଥୋଇବେ ନ’ ଅଙ୍କ ଦୁର୍ଭିକ୍ଷ ଭଳି ଚିତ୍ର। ୧୯୯୯ର ମହାବାତ୍ୟା ଭଳି ଦୃଶ୍ୟ। ପୁରୁଣା ଟେପ୍ ରେକର୍ଡ ବଜାଇଲା ଭଳି ବଜାଉଥିବେ ଗରିବର ଗୀତ। କାନ୍ଦୁଣୁ ମାନ୍ଦୁଣୁ ହେଉଥିବେ ଗାଁ ଲୋକ। ତୁଣ୍ଡରେ ତୁଣ୍ଡରେ କହୁଥିବେ ସରକାରଙ୍କ ସବୁ ଯୋଜନାର କଥା। ତାଙ୍କ ସହ ମାମୁଁ କହୁଥିବ କିଛି ମିଳିଲାନି ଆମକୁ। ଆମେ ସବୁ ଗରିବ ଲୋକ। ବାହାରକୁ ଆସି ହସୁଥିବେ ବାପା। ଟିକିଏ ଭିତରକୁ ଡାକି ନେଇ ମୋ ସ୍ତ୍ରୀ ମୋତେ କହୁଥିବ,” ଜାଣିଛନା ! ମାମୁଁ ଗଲା ସନ ଯେଉଁ ଘରଟା କରିଛନ୍ତି ସେଇଟା କୁଆଡେ ୨୫ ଲକ୍ଷ ଟଙ୍କାର ! ”

ଏମିତି ମୁଖା ପିନ୍ଧା ଭାରତର ଗରିବ ଲୋକଙ୍କ ସମ୍ପର୍କରେ କେହି କେବେ ପ୍ରାୟତଃ ଗପ ଲେଖନ୍ତିନି। ହେଲେ ଏସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ଗାଳ୍ପିକ ମଳୟ ମିଶ୍ର।

ଅନ୍ୟ ଏକ ଗଳ୍ପ ” ମଲା ହଳଦୀ ବସନ୍ତର ଡାକ ” ରେ ଗାଳ୍ପିକ ଖୁବ୍ ସୁନ୍ଦର ଭାବରେ ଥୋଇଛନ୍ତି ୨୦ ବର୍ଷ ତଳର ଗାଁର ଦୃଶ୍ୟ, ଭାଇ ଭାଗ ଓ ବଦଳୁଥିବା ସମ୍ପର୍କକୁ। ଏମିତି ଆଗରୁ ଅନେକ ଗପ ଲେଖା ଯାଇ ସାରିଛି। କିନ୍ତୁ ଏଠି ଗପର ଶେଷ ଦୃଶ୍ୟରେ ହଳଦୀ ବସନ୍ତକୁ ପ୍ରତୀକ କରି ଯେମିତି କହିଛନ୍ତି ମାଆ ଛେଉଣ୍ଡ ପିଲାଙ୍କ କଥା,ଫାଶ ପକାଇ ହଳଦୀ ବସନ୍ତଟିକୁ ଧରିବାକୁ ଚେଷ୍ଟା କଲାବେଳେ ହଳଦୀ ବସନ୍ତର ମୃତ୍ୟୁ ପାଇଁ ନିଜକୁ ଦୋଷୀ ଦୋଷୀ ଭାବି ପଶ୍ଚାତାପ କରୁଥିବା ଗଳ୍ପ ନାୟକ ଶାନ୍ତନୁର ଅନୁଭବକୁ ବିମ୍ବରେ ଯେମିତି ପରଷିଛନ୍ତି ଗାଳ୍ପିକ, ତାହାହିଁ ଗଳ୍ପର ନିଆରାପଣ।

” ମଟିଆ ” ଗପରେ ଗାଳ୍ପିକ ମଟିଆକୁ ବିମ୍ବ କରି ଦେହ ଦାହର କଥା କହିବାକୁ ଚେଷ୍ଟା କରିଥିବା ବେଳେ ” ଆଦିମ” ଗପରେ ସିଧାସଳଖ କହିଛନ୍ତି ମଣିଷର ଆଦିମ ପ୍ରବୃତ୍ତିର କଥା।
” ଜିଅନ୍ତା କଣ୍ଢେଇ ” ପଶୁ ପକ୍ଷୀ ଏବଂ କିଛି କିଛି ବୈଜ୍ଞାନିକ ଚିନ୍ତାଧାରାକୁ ନେଇ ନିଜର କଳ୍ପନାକୁ ଗପର ରୂପ ଦେଇଥିବା ବେଳେ ” ଏକ ସୁନିୟୋଜିତ ହତ୍ୟାକାଣ୍ଡ ପାଇଁ ରିହର୍ସାଲ୍ ” ଗପରେ ଏକ ମନସ୍ତାତ୍ତ୍ଵିକ ତତ୍ତ୍ଵ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗପର ଶୈଳୀ, କ୍ଲାଇମାକ୍ସ ଖୁବ୍ ସୁନ୍ଦର ହୋଇଛି। ଏମିତି ସଂକଳନଟିର ଅଧିକାଂଶ ଗଳ୍ପ ଖୁବ୍ ଭଲ ହୋଇଛି। ଗପ ଗୁଡିକ ସତ ପରି ମନେ ହେଉଛି । ଏହାହିଁ ଗୋଟିଏ ଗପର ସାର୍ଥକତା।

Comments are closed.