ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ଛୋଟ ଛୋଟ କଥାରେ ଇଶ୍ବର : ଏକ ଆଲ୍ହାଦିତ ଅନୁଭବ
କବିତା ବହି : ଛୋଟ ଛୋଟ କଥାରେ ଈଶ୍ୱର
କବୀ : ଶୈଳବାଳା ମହାପାତ୍ର
ପ୍ରକାଶକ : ପକ୍ଷୀଘର ପ୍ରକାଶନୀ
ପ୍ରଥମ ପ୍ରକାଶ :୨୦୨୧
ପୃଷ୍ଠା ସଂଖ୍ୟା : ୧୦୮
ମୂଲ୍ୟ : ୧୨୦ ଟଙ୍କା
ସମକାଳୀନ ଓଡ଼ିଆ କାବ୍ୟ ଜଗତରେ ଶୈଳବାଳା ମହାପାତ୍ର ଜଣେ ନୀରବ ସାଧିକା। ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । କବିତା ସଙ୍କଳନ ଛୋଟ ଛୋଟ କଥାରେ ଈଶ୍ୱରଏକ ଅନବଦ୍ୟ ସୃଷ୍ଟି ।
ଈଶ୍ୱର କିଏ କି ? ଈଶ୍ୱରଙ୍କୁ ଏଯାଏ ମୁଁ ଦେଖିନି। ଆପଣ ମାନେ ଦେଖିଛନ୍ତି କି ନାହିଁ ସେକଥା ଆପଣ ମାନେ ହିଁ ଜାଣନ୍ତି। ମୁଁ କିନ୍ତୁ କହି ରଖିବାକୁ ଚାହେଁ ଈଶ୍ୱରଙ୍କୁ ମୁଁ ଅନୁଭବିଛି ଅନେକ ଛୋଟ ଛୋଟ କଥାରେ। ମରିଥିଲେ, ଏବେକୁ ତିନି ଵର୍ଷ ହୋଇ ସାରନ୍ତାଣି, ଆପଣ ମାନେ ଭୁଲି ସାରନ୍ତଣି ମୋତେ। କିନ୍ତୁ ଦେଖନ୍ତୁତ, ହଠାତ୍ ଯୋଗାଯୋଗ ହେଲା ଡାକ୍ତର ଅମ୍ରିତ୍ ପିପାରିୟାଙ୍କ ସହ। ସେ ଓ ତାଙ୍କ ସହଯୋଗୀ ଦଳ ମିଶି ମୋତେ ବଞ୍ଚାଇ ଦେଲେ ଏକ କ୍ୟାନସର ଭଳି ରୋଗରୁ। ସେଇଠି ମୁଁ ଅନୁଭବ କଲି ଈଶ୍ୱରଙ୍କ ସ୍ପର୍ଶକୁ।
୨୦୧୫ ରେ ଯାଇଥିଲି ବୈଷ୍ଣବ ଦେବୀ ଦର୍ଶନ ପାଇଁ। ପାହାଡ଼ ଉପରେ ଧାଡିରେ ଠିଆ ହୋଇଥିଲି ମୁଁ , ମୋ ଆଗରେ ଠିଆ ୧୨୦୦୦ ରୁ ଅଧିକ ଲୋକ। ରାତି ଆଠଟା ଵାଜି ସାରିଥିଲା, ଝିପିଝିପି ବର୍ଷା ହେଉଥିଲା, ଘଣ୍ଟା ପ୍ରତି ମାତ୍ର ହଜାରେ ରୁ ଵାରଶହ ଭକ୍ତଙ୍କର ଦର୍ଶନ ପୁରା ହେଉଥିଲା । ଭାଵିଲି, ଆଜି ହୁଏତ ରାତିରେ ଆଉ ଦେବୀଙ୍କ ଦର୍ଶନ ହୋଇ ପାରିବନି। ହଠାତ୍ ଵାଦଲ ଫଟା ଵର୍ଷା ହେଲା। କିଛି ଲୋକ ପାଣିରେ ଭାସିଗଲେ, କିଛି ଲୋକ ଆର ପାରିକୁ ଚାଲିଗଲେ। ପାହାଡ଼ ଶିଖରରୁ ଖସୁଥିଵା ପାଣିର ପ୍ରଖର ସ୍ରୋତରେ ଧାଡି ସହ ଆମେବି ଭାସିଗଲୁ ଆଗକୁ। ତିନି ଘଣ୍ଟା ପରେ ପାଣି ଛାଡିଲା ଵେଳକୁ, ମନ୍ଦିର ଦୁଆରେ ଅଟକିଛି ମୁଁ। ମୋ ଆଗରେ ମାତ୍ର ଶହେ କି ଦୁଇଶହ ଲୋକ। ପଛକୁ ଆଉ ଚାହିଁ ନାହିଁ ମୁଁ।
ଆଶ୍ଚର୍ଯ୍ୟ, ତଥାପି ମୋ ପଛରେ ଲମ୍ଵିଥାଏ ଧାଡି, ପୋଲିସ ଓ ରେଡକ୍ରସ ବଲା ତାଙ୍କ କାମ କରୁଥାନ୍ତି, ମନ୍ଦିରରେଵି ଚାଲୁଥାଏ ପୁଜା। ପୁଜା ସାରି ମୁଁ ଫେରି ଆସିଲି। ଆମେ ସାଥିରେ ଥିଲୁ ୮ଜଣ, କିନ୍ତୁ ପୁଜା ସାରି ଫେରିଲୁ କେବଳ ୨ ଜଣ। ସାରା ରାତି ଆମେ କାନ୍ଦୁଣୁ ମାନ୍ଦୁଣୁ ହୋଇ ଖୋଜିଲୁ ଅନ୍ୟ ମାନଙ୍କୁ। ଯାହାକୁ ପଚାରିଲୁ, ସମସ୍ତେ କହିଲେ ଏଠି କେହିବି କେଵେ ହଜନ୍ତି ନାହିଁ ସଵୁଵେଳେ ପାଇଁ। ଦିନେ ଦୁଇଦିନ ଭିତରେ ମିଳିଯିଵେ ସମସ୍ତେ। ତୁମେ କଟରାକୁ ଯାଇ ଅପେକ୍ଷା କର। ଯିଏ ଯୁଆଡେ ଗଲେଵି ସମସ୍ତ ଆସି ଅଟକିଵେ ସେଇଠି। ତୁମ ପାଦ ଥକି ଯିବଣି ଵୋଧେ, ପାଦଟା ଦିଅ ଟିକେ ମାଲିସ୍ କରିଦେଵି। ଇଛାହେଲେ କିଛି ଦେଵ, ନଦେଲେଵି ଚଳିବ। କଟରା ଯାଏ ଖଚର୍ ନେଇ ମୁଁ ଯିଵି, ତୁମେ ଯଦି କହିଵ ତୁମକୁ ସେଇଠି ଛାଡି ଦେଵି। ମୋ କାନ୍ଧରେ ସେ ଲୋକଟାର ହାତ ପଡିବା ବେଳକୁ ମୁଁ ଇଶ୍ବରଙ୍କ ସ୍ପର୍ଶ ଅନୁଭଵ କରୁଥିଲି। କଟରାରେ ପହଁଚିବା ବେଳକୁ ରାତି ପାହିଵାକୁ ଅଳ୍ପ କିଛି ଵାକି ଥିଲା। ସେଇଠି ଦେଖାଗଲେ ହଜି ଯାଇଥିବା ସାଙ୍ଗ ମାନଙ୍କ ଭିତରୁ ଆଉ ତିନିଜଣ। ଆମ ଦୁଇ ଜଣଙ୍କ ସହ ସେ ତିନିଜଣଵି ଥିଲେ କାନ୍ଦ କାନ୍ଦ। ଆମେ ପାଞ୍ଚ ଜଣ ମିଶି ଖୋଜିଲୁ ବାକି ତିନି ଜଣଙ୍କୁ। ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ଫେରୁଥିଲେ ଭୈରଵ ମନ୍ଦିରୁ। କହିଲେ ଵୈଷ୍ଣଵ ଦେଵୀ ଙ୍କ ଦର୍ଶନ ପରେ କାଳ ଭୈରବ ଦର୍ଶନ ନକଲେ ସଵୁ ପୁଣ୍ୟ କୁଆଡ଼େ ଚୁଲିକୁ ଯିଵ। ସେତଵେଳେ ଆମେ ଛାତିରେ ଛେପ ପକାଇଲୁ, ପାଖରେ ଇଶ୍ଵରଙ୍କୁ ଅନୁଭବ କଲୁ।
ଏଵେ ଆପଣ ଭାବୁଥିଵେ ଏ ଵହି ସହିତ ଏକଥାର ସମ୍ପର୍କ କଣ।ମୋଟା ମୋଟି କଥା ଏତିକିଯେ ଏମିତି ଛୋଟ ଛୋଟ କଥାରେ ହଁ ଗଢି ହୋଇଯାଏ ବଡବଡ କାହାଣୀ, କାଵ୍ୟ ଓ ମହାକାବ୍ୟ। ତାହାରି ଭିତରେ ହିଁ ଦେଖାଯାଏ ଇଶ୍ବରଙ୍କ ଅରୂପ ରୂପ। ସବୁକିଛି କେବଳ ଗୋଟିଏ ଅନୁଭବ। ସେହି ଅନୁଭବକୁ ସାଉଁଟିଛନ୍ତି କଵି ଶୈଳବାଳା ମହାପାତ୍ର ଏଵଂ ” ଛୋଟ ଛୋଟ କଥାରେ ଇଶ୍ବର ” କଵିତା ସଂକଳନଟିରେ ତାକୁ ସଜାଇଛନ୍ତି ୫୩ ଗୋଟି କଵିତା ମାଧ୍ୟମରେ।
ପ୍ରଥମ କବିତାରେ ସେ ପଚାରିଛନ୍ତି ପ୍ରଶ୍ନ ” ପାହାଡର ଜାତି କଣ ” ?
ହଁ, ଏହା ହିଁ ପ୍ରଥମ କଵିତାର ଶୀର୍ଷକ। କବିତାଟି ମାତ୍ର ୧୧ ଧାଡିର। ଏଇ ଏଗାର ଧାଡି ଭିତରେ ସେ ଥୋଇଛନ୍ତି ଦୁଇଟି ଶକ୍ତିଶାଳୀ ପ୍ରଶ୍ନ ଏଵଂ ତାହାରି ଭିତରେ କହିଛନ୍ତି ଜାତି, ଧର୍ମ, ବର୍ଣ, ଲିଙ୍ଗ ଭେଦ ଭାବଠୁ ଖୁବ୍ ଉର୍ଦ୍ଧରେ ଥିଵା ମାନଵିକତାର କଥା। କେହି କେବେ କହି ପାରିଵକି ଗୋଟିଏ ପାହାଡର ଜାତି କଣ, ଧର୍ମ କଣ, ଗୋତ୍ର କଣ !
ପାହାଡ ତା ଛାତିରେ ସମସ୍ତଙ୍କୁ ଯାଗା ଦେଇଛି। ତାପାଇଁ ସଵୁ ସମାନ। ସଵୁ ପକ୍ଷୀର ଛାତିରେ ସେହି ସମାନ ରଙ୍ଗର ରକ୍ତ। ସଵୁ ମଣିଷଙ୍କ ରକ୍ତର ରଙ୍ଗ ମଧ୍ୟ ସମାନ, ତଥାପି କାହିଁକି ଏ ଭେଦ ଭାବ। ଏଣୁ କଵି କୁହନ୍ତି,
” ପାହାଡର ଜାତି କଣ
କେଉଁ ଧର୍ମରେ ପାଳିତ ହୁଅନ୍ତି
ପକ୍ଷୀ ମାନେ
ଗଛ ମାନେ ଵଢନ୍ତି କେଉଁ ସଂପ୍ରଦାୟରେ
* ***
ମତେ କହିଵ – ଛାତି ଚିରିଦେଲେ
ଯା’ଦିଶି ଯାଏ
ତା’କେଉଁ ବର୍ଣ୍ଣର
କେମିତି ଦିଶନ୍ତି
ଗୀର୍ଜା ବା ଗୁରୁଦ୍ୱାରାର ମଣିଷ ମାନେ
ଥମିଗଲେ ପବନ ”
(ପୃଷ୍ଠା ସଂଖ୍ୟା -୧୩)
ଏହି ସଂସାରରେ ଆମେ ଜନ୍ମ ନେଇଛେ, ଆମ ଜୀବନ ଗୋଟିଏ ନାଟକ ଏବଂ ଏ ଦୁନିଆ ଗୋଟିଏ ରଙ୍ଗ ମଞ୍ଚ। ସେଇଥିପାଇଁତ ଆମ
ମୁହଁରେ ଏତେ ମୁଖା, ଏତେ ରଙ୍ଗ ପାଉଡର। ସଵୁ ସମ୍ପର୍କରେ ଛଳନା ଓ ଅଭିନୟ। କେତେଦିନ ଆଉ ଏମିତି କରୁଥିଵା। ଅନ୍ତତଃ ଜୀବନର ଶେଷ ସମୟରେ ଏ ଛଳନାରୁ, ଏ ଅଭିନୟରୁ ଵାହାରି ମୁହଁରୁ ମୁଖା ଖୋଲି ଏକ ନିର୍ଭେଜାଲ ସମ୍ପର୍କକୁ ନେଇ ବଞ୍ଚିଲେ କେମିତି ହୁଅନ୍ତା। ଏଣୁ କଵି କୁହନ୍ତି,
” ମାର୍ ଗୁଲି ସେ ନାଟକର
କାହାଣୀ ସଂଳାପ
ଆସ, ଖୋଲିଦେଵା
ନିଜ ନିଜ ଦେହର
ଅଭିନୟ ସାଜସଜ୍ଜାର ପୋଷାକ
ଠିଆ ହୋଇ ପଡିବା
ମଞ୍ଚରେ ଲଙ୍ଗଳା ହୋଇ
କୁଣ୍ଢାଇ ଧରିଵା ପରସ୍ପରକୁ ,
ଦେଖିବା – ଏ ଦୃଶ୍ୟ ପାଉଛି କି ନାହିଁ
ଦର୍ଶକ ମନକୁ ”
(ପୃଷ୍ଠା ସଂଖ୍ୟା -୧୫)
ଏହା ଭିତରେ କଵିଙ୍କର ମନେ ପଡେ ପିଲା ଦିନ, ଗାଁ ଘର, ଏ ଦେଶ ମାଟିର କଥା, ଲକ୍ଷ୍ନୌ ଇମାମଵଡାର କଥା ଏବଂ ମନେ ପଡେ ଗାଁ ର ଗଉଡ ପିଲା ମଧୁର ପଦେ କଥା ” ନମସ୍କାର ଦେଇ, କୋଉ ଦିନ ଆଇଲ ” । ପୁଣି ମନେ ପଡେ ସେହି ସ୍ତ୍ରୀ ଲୋକଟିର କଥା, ଯାହାକୁ ପାଣି ମୁନ୍ଦେ ପାଇଁ ପଚାରିଲେ ସେ ହାତକୁ ବଢାଇ ଦିଏ ଲୋଟାଏ ପାଣି ଏଵଂ ଖୋଜ କାଢିଲା ଵେଳକୁ କହେ ” ଏଡେ ଖରାରେ ଯିବ କେମିତି / ଵସି ପଡୁନ ଟିକେ ”
(ପୃଷ୍ଠା ସଂଖ୍ୟା – ୨୧ ଓ ୨୨ )
କଵି ଅନୁଭବ କରନ୍ତି ଏହି ଛୋଟ ଛୋଟ କଥାରେ ଯେଉଁ ଆତ୍ମୀୟତା ରହିଛି, ଯେଉଁ ନିର୍ଭେଜାଲ ଭଲ ପାଇବା ରହିଛି, ଯେଉଁ ସମ୍ପର୍କର ମଧୁରତା ରହିଛି, ତାଭିତରେ ହିଁ ଲୁଚି ରହିଥାନ୍ତି ଇଶ୍ଵର।
ହଁ, ଗାଁରେ ଏଵେଵି ସମ୍ପର୍କ ଏମିତି। କଵି ଜାଣନ୍ତି ସମ୍ପର୍କର ଦାୟକୁ। କଵି ଜାଣନ୍ତି ସମ୍ପର୍କରେ ଭଲମନ୍ଦ ପଚାରି ଵୁଝିବାଟା କେତେ ଜରୁରୀ। ତେଣୁ ସେ ଦେଵ ପ୍ରିୟକୁ କୁହନ୍ତି,
” କଣ ଏମିତି ପଚାରି ଦେଲିଯେ
ତମେ କହିଲ :
ପଚାରିଵାଟା ତୋର ଗୋଟେ
ପୁରୁଣା ଅଭ୍ୟାସ
ପଚାରିଵାଟା ମୋର –
ଅଭ୍ଯାସ ନୁହଁ, ଦେବପ୍ରିୟ !
ଗୋଟିଏ ନିରୋଳା ଦାୟିତ୍ବ
ଛାତିରେ ସାଇତି ରଖିବାର ।
* * ***
” ଜାଣେ, ଦିନେ ନା ଦିନେ
ତୁମେ ଆଣ୍ଠେଇ ପଡିବ
ହେବାକୁ ଏ ପ୍ରଶ୍ନର କଏଦୀ ”
(ପୃଷ୍ଠା ସଂଖ୍ୟା – ୩୨ ଓ ୩୩)
କଵି ଦେଖିଛନ୍ତି ନଵଘନକୁ, ସିଲୁକୁ, ବିଚି ଅପା ଆଖିର ଟଳମଳ ଲୁହକୁ । କଵି ଦେଖିଛନ୍ତି ମେଘକୁ, ଆକାଶକୁ , ଜୀବନ ଓ ଦାମ୍ପତ୍ୟକୁ। ଯାହା ସେ ଦେଖିଛନ୍ତି, ଅନୁଭବିଛନ୍ତି, ତାକୁ ନେଇ ସେ ଗଢିଛନ୍ତି ତାଙ୍କ କଵିତାର କୋଣାର୍କ, ସେହି କୋଣାର୍କ ରଥ ଚକାର ପ୍ରତିଟି ଅଖରେ ବସିଛନ୍ତି ଛୋଟ ଛୋଟ କଥାର ଇଶ୍ବର। ନବଘନ ସିରିଜ୍ ର ସବୁତକ କଵିତାରେ ଦିଶିଛନ୍ତି ମୁରଲୀଧର।
ଏହି ଆଧୁନିକ କବିତା ସଙ୍କଳନଟିରେ ପ୍ରାୟ ସମସ୍ତ କଵିତା ଖୁବ୍ ସୁନ୍ଦର ହୋଇଥିଲେଵି, ଏହା ଭିତରେ କିଛି ଗୀତି କଵିତା ରଖିଵାର ଆବଶ୍ୟକତା କାହିଁକି ପଡିଲା ସେକଥା ମୁଁ ଜାଣେନା। ସେଗୁଡ଼ିକ ନଥିଲେଵି କିଛି ଫରକ ପଡିନଥାନ୍ତା। ନବଘନ ସିରିଜ୍ ର ସବୁତକ କଵିତା ଗୋଟିଏ ରିଦିମ୍ ରେ ଯାଇଥିଵାରୁ ସେସଵୁକୁ ଗୋଟିଏ ପାଖରେ ରଖିଥିଲେ ଭଲ ହୋଇଥାଆନ୍ତା। ଦାମ୍ପତ୍ୟ ସିରିଜ୍ ର ପ୍ରଥମ କଵିତାରେ କିଛି କଥାକୁ ପରଦାରେ ରଖି ଇମେଜ୍ ଵ୍ୟଵହାର କରିଥିଲେ କଵିତାଟା ଆହୁରି ସୁନ୍ଦର ହୋଇଥାନ୍ତା।
ଶେଷ କବିତାରେ କଵି ସ୍ଵୀକାର କରିଛନ୍ତି ସେ କଵିତା ଲେଖନ୍ତିନି, କଵିତା ଲେଖି ହୋଇଯାଏ। ଏହି କଥାକୁ କହିଵାକୁ ଯାଇ ସେ କୁହନ୍ତି,
“କଵିତା ଲେଖୁନ ବୋଲି କହିଲଯେ
କେବେ ଲେଖୁଥିଲିକି !
* **
ମୁଁ ‘ତ କେଵଳ ଆକାଶକୁ ଅନାଇଥାଏ
ଖଣ୍ଡେ ଚଲା ବାଦଲ ଭାସିଯାଏ
* ***
ମୁଁ’ତ କେଵଳ ଭାଵି ହୁଏ
ବିଚି ଅପାର ଲୁହ ଟଳଟଳ ଆଖିକୁ,
* **
କେଵେ ଲେଖିଥିଲି କବିତା ଯେ
ଏଵେ କହୁଛ ଲେଖିଵାକୁ ”
(ପୃଷ୍ଠା ସଂଖ୍ୟା -୧୦୭ ଓ ୧୦୮)
ହଁ, ସତ କଥା। କଵିତା ଲେଖା ଯାଏନି, କଵିତା ଲେଖି ହୋଇଯାଏ ଆପେ ଆପେ। ସେହି ଆପେ ଲେଖି ହୋଇଯାଉଥିବା କଵିତା ହିଁ ସୁନ୍ଦର। ଏଣୁ ସଂକଳନର ଅଧିକାଂଶ କଵିତା ମୋତେ ଭଲ ଲାଗିଲା। ଏଣୁ ଆଜି ହିଁ ପଢିଲି ଓ ଆଜି ହିଁ ଲେଖିଲି ଏହା ସମ୍ପର୍କରେ ଦୁଇ ଚାରି ଧାଡି। ଆଜି ଲେଖି ନଥିଲେ ପୁଣି ଥରେ ଅପେକ୍ଷା କରିଵାକୁ ପଡିଥାଆନ୍ତା ଆଉ ଏକ ଛୁଟି ଦିନକୁ। ଆପଣ ପଢନ୍ତୁ, ଆପଣଙ୍କୁବି ଭଲ ଲାଗିବ ଵହିଟି।
କବିତା ବହି : ଛୋଟ ଛୋଟ
କଥାରେ ଇଶ୍ବର
କଵି : ଶୈଳବାଳା ମହାପାତ୍ର
ପ୍ରକାଶକ : ପକ୍ଷୀଘର ପ୍ରକାଶନୀ
ପ୍ରଥମ ପ୍ରକାଶ :୨୦୨୧
ପୃଷ୍ଠା ସଂଖ୍ୟା : ୧୦୮
ମୂଲ୍ୟ : ୧୨୦ ଟଙ୍କା
ସମୀକ୍ଷା : ଶୁଭ ନାରାୟଣ ସ୍ୱାଇଁ
Comments are closed.