Latest Odisha News

ପୁସ୍ତକ ପରିଚୟ : କବିତା ଭଳି ଶବ୍ଦ ମେଘରେ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା 

କବିତା ଭଳି ଶବ୍ଦ ମେଘରେ
କବି :ଶ୍ରୀ ମାନସ ରଞନ ମହାପାତ୍ର
ପ୍ରକାଶକ : ଦକ୍ଷ ବୁକ୍ସ
ପ୍ରଥମ ପ୍ରକାଶ : ୨୦୨୧
ପୃଷ୍ଠା ସଂଖ୍ୟା : ୧୨୪
ମୂଲ୍ୟ : ୧୪୦ ଟଙ୍କା ମାତ୍ର

ବରିଷ୍ଠ କବି ତଥା ନେସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ପୂର୍ବତନ ଓଡ଼ିଆ ସମ୍ପାଦକ ମାନସ ରଞନ ମହାପାତ୍ରଙ୍କୁ ଯେତିକି ଲୋକ ଜାଣନ୍ତି ଜଣେ ଇଂରାଜୀ ସ୍ତମ୍ଭ ଲେଖକ ଭାବରେ ସେତିକି ଲୋକ ଜାଣନ୍ତି ଜଣେ ଓଡ଼ିଆ କବି ଓ ଶିକ୍ଷାବିତ୍ ଭାବରେ। କିଛି ଲୋକ ତାଙ୍କୁ ଜାଣନ୍ତି ଜଣେ ଅନୁବାଦକ ଭାବରେ। ସେ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରନ୍ତି ଏବଂ ଗପ ମଧ୍ୟ ଲେଖନ୍ତି। ଓଡ଼ିଆରେ ଏଯାବତ୍ ତାଙ୍କର ୫ ଗୋଟି କବିତା ସଙ୍କଳନ, ୨ ଗୋଟିଏ ଗଳ୍ପ ସଂକଳନ ଓ ୨ ଗୋଟି ଅନୁବାଦ ପୁସ୍ତକ ପ୍ରକାଶ ପାଇ ସାରିଛି। ଗତ ବର୍ଷ ପ୍ରକାଶ ପାଇଛି ତାଙ୍କର ଷଷ୍ଠ କବିତା ସଙ୍କଳନ ” କବିତା ଭଳି ଶବ୍ଦ ମେଘରେ ” ।

ଆକାଶର ଭସା ମେଘ ପରି ଏଠି ଏହିରେ ମୁଁ ଦେଖି ପାରିଲି ଅନେକ ଗୁଡ଼ିଏ ଶବ୍ଦର ମେଘମାଳା ,ଯାହା ଭିତରୁ ଅହରହ ଅନୁଭବ କରିହୁଏ କବିତା ଭଳି କିଛି ଅନୁଭବକୁ । ସେହି କବିତା ଭଳି କିଛି ଶବ୍ଦ ମେଘର ଅନୁଭବରେ ଭିଜନ୍ତି କବି ଓ ଭିଜାନ୍ତି ପାଠକଙ୍କୁ ।

କବିଟିଏ ଶବ୍ଦକୁ ଗଢି ଜାଣେ, ଶବ୍ଦକୁ ଶବ୍ଦ ସହ ଯୋଡ଼ି କବିତାରେ ସ୍ବପ୍ନ ବୁଣି ପାରେ। କିନ୍ତୁ ପାଠକଟିଏ ସେହି କବିତାରେ ଲେଖି ଦେଇପାରେ ଅନେକ ଠିକଣା ଏବଂ ଗଢି ଦେଇ ପାରେ ନିଜ ଇଛା ମୁତାବକ ଅନେକ କୋଠରୀ। ସେଇଥିପାଇଁ ତ କବି କୁହନ୍ତି,
” କବିତା ମୁଁ ଲେଖିଛି
ଠିକଣା ତୁମେ ଲେଖ
** ***
ସ୍ବପ୍ନ ମୁଁ ଦେଖିଛି
ଆକାଶେ ତୁମେ ରଚ ”
(ପୃଷ୍ଠା ସଂଖ୍ୟା -୯ )

କବି ଛୋଟ ଛୋଟ ଶବ୍ଦରେ ଛୋଟ ଛୋଟ କବିତାରେ କୁହନ୍ତି ଅନେକ କଥା। ସେ କେତେବେଳେ କୁହନ୍ତି “ଦୈୗଡ” ର କଥା କେତେବେଳେ କୁହନ୍ତି ” ଚିତ୍ର ” ଆଉ ” ସୀମାରେଖା”ର କଥା। ସେ କେତେବେଳେ ଲେଖନ୍ତି ” ଝିଅ ପାଇଁ କବିତା “ତ କେତେବେଳେ ଲେଖନ୍ତି “ନିରୁଦ୍ଦିଷ୍ଟ ନାବିକ” ପାଇଁ କବିତା। ସେ ମନେ ପକାନ୍ତି ସେହି ଅନାମ କବିଙ୍କୁ ଯାହା ପାଇଁ ଉତ୍ସର୍ଗ କରିଛନ୍ତି ଏ ବହିଟିକୁ। ତାଙ୍କୁ ମନେ ପକାଇ ସେ ଲେଖନ୍ତି,
“ସବୁ ଯାଗାରେ ତୋ ନାଁ ଲେଖିଛି
ଲେଖି ଚାଲିଛି ସବୁଠି
ତୁ ବୁଝି ପାରିଲେ ହେଲା ।
ମୁଁ ତ ଚିରକାଳ ଯାଯାବର, ଅନାମ
ତୋ ଠିକଣା ଥାଉ, ବଞ୍ଚି ରହୁ
ମତେ ହଜିବାକୁ ଦେ।
କାଲିଠୁ ସବୁ ଛକରେ ଛାପିଦେ
ମୋ ନାଁର ପୋଷ୍ଟର
ମୁଁ ହଜିବି ହଜିବିନି
ବାରମ୍ବାର ଫେରି ଆସୁଥିବି
ତୋ ସହରକୁ
ଲେଖୁଥିବି ତୋ ନା ସବୁ କାନ୍ଥରେ
ରାସ୍ତାରେ, ହୋଟେଲ୍ ରେ.. ”

(ପୃଷ୍ଠା ସଂଖ୍ୟା – ୧୦୬)

ଏମିତି ପୁରାଟା ସଂକଳନରେ ଅଛି ସମଦାୟ ୭୮ଟି ଛୋଟ ଛୋଟ କବିତା। ସେଠି ,କେଉଁଠି ସେ କହିଛନ୍ତି “ସାକ୍ଷାତକାର ” ର କଥାତ କେଉଁଠି “ନେପଥ୍ୟ” ଓ ” ଟୋପି ” କଥା। ଏମିତି ପ୍ରାୟ ପ୍ରତ୍ୟେକ କବିତା କିଛି ଖୋଲା ମନର କଥା କହିଛି , ଘରକୁ ଫେରି ଆସିବାର କଥା କହିଛି, ପ୍ରେମର କଥା କହିଛି ଓ କହିଛି ଜୀବନର ଚର୍ଯ୍ୟାପଦ କଥା। ବହିଟି ବିପୁଳ ପାଠକୀୟ ଆଦୃତି ଲାଭ କରିବ ।

Leave A Reply

Your email address will not be published.