Latest Odisha News

ପୁସ୍ତକ ପରିଚୟ : ମୁଁ ଓ ମୁଁ

ମୁଁ ଓ ମୁଁ
ମୂଳ ରଚନା : ମୃଦୁଳା ଗର୍ଗ
ଅନୁବାଦ : ନୀହାରିକା ମଲ୍ଲିକ
ପ୍ରକାଶକ : ଆଦିତ୍ୟ ଭାରତ
ଇ ୩୯୫, ସେକ୍ଟର ୬ ସିଡିଏ
କଟକ ୭୫୩୦୧୪
ପୃଷ୍ଠା : ୩୩୬
ମୂଲ୍ୟ : ୩୦

ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ ଖୋଜୁଥାଏ ଜୀବନର ତତ୍ତ୍ୱ । ନିଜ ଭାବ ଭାଷାରେ କଳ୍ପନାର ରଙ୍ଗ ଦେଇ ଗଢ଼ିଚାଲେ ଅନେକ ଚରିତ୍ର। ଶବ୍ଦ ଚାତୁରୀରେ ଜୀବନ୍ତ କରେ ଚରିତ୍ରମାନଙ୍କୁ। ସେହିପରି କିଛି ଚରିତ୍ର ସହ ଏକ ବଳିଷ୍ଠ କାହାଣୀର କାହାଣୀର କଳେବର ହେଉଛି ଲେଖିକା ନୀହାରିକା ମଲ୍ଲିକଙ୍କର ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ ‘

ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ବହୁ ଚର୍ଚ୍ଚିତ ଉପନ୍ୟାସ ‘ମୈଁ ଔର୍ ମୈଁ’ର ଓଡ଼ିଆ ଅନୁବାଦ ହେଉଛି ଉପନ୍ୟାସ ‘ମୁଁ ଓ ମୁଁ’

ମଣିଷ ଭିତରେ ଲୁଚି ରହିଥାଏ ଅନେକ ବ୍ୟକ୍ତିତ୍ୱ। ନିତିଦିନିଆ ଜୀବନରେ ସମୟର ପ୍ରଭାବ ସହ କେତେବେଳେ ଭଲ ତ କେତେବେଳେ ଖରାପ ହୋଇ ନିଜକୁ ବଖାଣେ ସାଧାରଣ ମଣିଷଟିଏ। ସବୁବେଳେ ଅନ୍ୟ ଆଖିରେ ନିଜକୁ ମହାନ କରି ଦେଖିବାର ଦୁର୍ବାର ଅଭିପ୍ସା ବେଳେ ବେଳେ କବଳିତ କରିଦିଏ। ତା’ପରେ ନିଜେ ମୁକୁଳି ପାରେନାହିଁ ସେଇ ଚକ୍ରବ୍ୟୁହରୁ ।

ମୁଁ ଓ ମୁଁ ଉପନ୍ୟାସର ମୁଖ୍ୟ ଚରିତ୍ର ମାଧବୀ ଜଣେ ଲେଖିକା। ନିଜର ସଦ୍ୟତମ ପ୍ରକାଶିତ ଉପନ୍ୟାସକୁ ନେଇ ସେ ଖୁବ୍ ଉତ୍ସାହିତ ଥିବା ବେଳେ ଅଚାନକ ତା ଜୀବନକୁ ପଶି ଆସୁଛି କୌଶଳ କୁମାର । ଜଣେ ସମ୍ଭ୍ରାନ୍ତ ବିତ୍ତଶାଳୀ ଲେଖିକାଙ୍କ ଜୀବନରେ ଜଣେ ସାଧାରଣ ଲେଖକର ଅନୁପ୍ରବେଶର କାହାଣୀକୁ ନେଇ ଗତିଶୀଳ ହେଉଛି ଉପନ୍ୟାସର ପୃଷ୍ଠଭୂମି ।

ମାଧବୀ ନିଜକୁ ମହାନ କରିବାକୁ ଯାଇ ବାରମ୍ବାର ସାମନା କରୁଛି କୌଶଳ କୁମାରର ଦୁର୍ଭେଦ୍ୟ ମନସ୍ତତ୍ତ୍ୱକୁ । ସେଥିପାଇଁ ବଳି ଦେବାକୁ ହେଉଛି ତାର ନୈତିକତାକୁ । ସଫଳତାର ଶୀର୍ଷରେ ପହଞ୍ଚିବାକୁ ଯାଇ ବାରମ୍ବାର ଅପଦସ୍ତ ହେଉଛି କିନ୍ତୁ ଦୂରେଇ ଯାଉନାହିଁ। ଆଉ ଗୋଟିଏ ଉପନ୍ୟାସ ଲେଖିବା ପାଇଁ ଏକ ସଂଜ୍ଞାହୀନ ସମ୍ପର୍କକୁ ସେ ବଢ଼େଇ ଚାଲିଛି । ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଘୃଣାକୁ ପିଇ ଯାଉଛି। କିଛି ଭଲ କରିବା ପାଇଁ ଯଦି ଭୁଲକୁ ଆପଣେଇ ନେବାକୁ ହୁଏ ତାହା ଭୁଲ ନୁହେଁ । ଏକ ନକରାତ୍ମକ ପରିବେଶ ଭିତରେ ସତେଜତା ସାଉଁଟି ସାଉଁଟି ଅଣନିଃଶ୍ବାସ ହୋଇପଡୁଥାଏ ମାଧବୀ। ତଥାପି ସାଲିସ କରି ଚାଲିଥାଏ। ନିଜର ବ୍ୟକ୍ତିଗତ ଅପରାଧ ପାଇଁ ସମାଜକୁ ଦାୟୀ କରାଯାଇ ନପାରେ। ଅପରାଧ ସବୁବେଳେ ଅପରାଧରେ ହିଁ ଗଣା ହୁଏ। ସଂଘର୍ଷ , ଦ୍ଵନ୍ଦ ଓ ଗ୍ଲାନିରେ ଭାରାକ୍ରାନ୍ତ ହୋଇ ଶୀର୍ଷରେ ପହଞ୍ଚି ହୁଏ ନାହିଁ। ମାନବୀୟ ଚେତନା ହିଁ ଜଣଙ୍କୁ ଅଧିକ ସର୍ଜନଶୀଳ କରିଥାଏ । ମିଛ ସହ ଅଧିକ ବାଟ ଯାଇହୁଏ ନାହିଁ । ଦିନେ ନା ଦିନେ ତାର ମୁଖା ଖୋଲିଯାଏ।

ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ । ସେଥିପାଇଁ ଅନୁବାଦକଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ‘ମୁଁ ଓ ମୁଁ’ ଉପନ୍ୟାସରେ ସେହି ଗୁରୁତ୍ୱ ପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ କରିଛନ୍ତି ଅନୁବାଦିକା ନୀହାରିକା ମଲ୍ଲିକ । ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉପନ୍ୟାସ ‘ମୁଁ ଓ ମୁଁ’ ବିପୁଳ ପାଠକୀୟ ଆଦୃତି ସହ ଓ଼ଡିଆ ସାହିତ୍ୟ ଜଗତରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.