Latest Odisha News

ପୁସ୍ତକ ପରିଚୟ : ଅୟୁତସ୍ବପ୍ନା

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

କବିତା ସଙ୍କଳନ : ଅୟୁତ ସ୍ବପ୍ନା
କବି : ମନୋଜ ମିଶ୍ର
ପ୍ରକାଶକ ‐ ସତ୍ୟମ ବୁକ୍ ଏଜେନ୍ସୀ, ଭୁବନେଶ୍ବର
ପୃଷ୍ଠା ‐ ୧୨୮, ମୂଲ୍ୟ ‐ ଟ୧୨୦/

କବିତା ଓ ଗୀତର ଫ୍ୟୁଜନରେ ବନ୍ଧା କବି ମନୋଜ ମିଶ୍ର ଖୁବ୍ କମ୍ ଶବ୍ଦରେ କବିତାର କଳେବର ଗଢ଼ନ୍ତି । ସଂସାରର ଯାବତୀୟ ଅସାରତା ଭିତରେ କବିତା ହିଁ ତାଙ୍କ ପାଇଁ ‘ଦିବ୍ୟ ଆଲୋକର ଶିଖା’ । ଜୀବନର ନଶ୍ବରତାକୁ କବି ପ୍ରତି କ୍ଷଣେ ଅନୁଭବ କରିଛନ୍ତି । ସେଇ ଦିବ୍ୟ ଭାବନାରେ ଉଦବୁଦ୍ଧ କବି କବିତାକୁ ପାଥେୟ କରି ସେ ଈଶ୍ବରଙ୍କୁ ଗୁହାରୀ ଜଣାନ୍ତି, ହେ ପ୍ରଭୁ…..
‘ଅଜ୍ଞାନ ତିମିରେ
ଅବାଟ ବାଟୋଇ
ଆଜନ୍ମ ପାପୀ ମୁଁ
ଲୋଡୁଛି ପ୍ରଭୁ ହେ
ଦିବ୍ୟ ଆଲୋକର ଶିଖା’

କବିତା ଆଉ କ’ଣ କି ? ଅନାବନା ଭାବନା ନା ସ୍ବପ୍ନ ଚୁନାଚୁନା, ଅନେକ ପ୍ରାଣର ତତଲା ନିଃଶ୍ବାସ ନା ମେଞ୍ଚାମେଞ୍ଚା ଦୀର୍ଘଶ୍ବାସ । ପ୍ରୀତି ପ୍ରଣୟର ସାମିଆନା ନା କବି ପ୍ରାଣର ବିକ୍ଷିପ୍ତ ଭାବନା । ଆଉ କବି ? କବି ମଧ୍ୟ ବଡ ବିଚିତ୍ର ଜୀବଟିଏ । ସମାଜ ଭିତରେ ଥାଇ ଯାବତୀୟ ସାଂସାରିକ ତାଡନାରେ ଘାରି ହେଲା ପରେ ବି କୋଉ ଶାନ୍ତିରେ ରହେ ! ନିଜ ହୃଦୟର ସବୁ ଭାବନାକୁ ଶବ୍ଦର ଜାଲରେ ନଛନ୍ଦିଲା ପର୍ଯ୍ୟନ୍ତ ଯେମିତି ତା’ର ମୁକ୍ତି ନାହିଁ ! କବି ମନୋଜ ମିଶ୍ର ମଧ୍ୟ ଅଜସ୍ର ଚିନ୍ତା ଓ ଭାବନାରେ ଭାରାକ୍ରାନ୍ତ । ସେଇ ସବୁ ବିକ୍ଷିପ୍ତ ଭାବନାକୁ କବିତାୟିତ କଲାବେଳେ କବି ହୋଇଛନ୍ତି ଭାବପ୍ରବଣ । ଗଢିଛନ୍ତି “ଅୟୁତସ୍ବପ୍ନା” ।

ତାଙ୍କ ପାଇଁ ବିଶ୍ବାସ ହେଉଛି ଅସଜଡା ମନର ଅଛିଣ୍ଡା ରେଶମୀ ସୂତା । ଟିକିଏ ଏପଟ ସେପଟ ହେଲେ ଜୀବନର ମୋଡ଼ ବଦଳିଯାଏ । ତାଙ୍କ ଭାଷାରେ
‘କୁହୁଡିକୁ ଭାବି ଧୂଆଁ
ମନ ତଳେ ଲାଗେ ନିଆଁ
ମରୀଚିକା ପଛେ ଧାଏଁ
ଭାବି ସେ ସାତ ଦରିଆ’

କବିତା ତାଙ୍କ ପାଇଁ ବିଚିତ୍ର ତାଡ଼ନା, ଅସରନ୍ତି ଭାବନା, ଅନୁଭବ ଓ ଅନୁରାଗର ମହମହ ବାସ୍ନା ଯାହା କାଗଜର ସୀମିତ ପରିସର ଭିତରେ ଶବ୍ଦର ପାହାଚ ଦେଇ ଧିରେଧିରେ ମାଖି ହୋଇଯାଏ । କବି ଲେଖେ ହେଲେ କବିତା ନିଜେ ନିଜକୁ ସଜାଏ…କେମିତି…..

‘ପ୍ରେମର ପ୍ରୀତିର
ଭଲ ପାଇବାର
ଅଳଙ୍କାର ମାଖିଦେଇ
ସ୍ନେହ ଅନୁରାଗେ
ହସୁଥିବ ସିଏ
ସାଧବ ବୋହୁଟେ ହୋଇ’

କବିତାର ବଗିଚାରେ ବୁଲୁଥିବା କବି ଶ୍ରୀ ମିଶ୍ର କିନ୍ତୁ ଆକାଶେ ସ୍ବପ୍ନକୁ ନେଇ ବିହ୍ବଳ ହୁଅନ୍ତି । ମୁଗ୍ଧ ହୁଅନ୍ତି ଲୁହର କ୍ଷୁବ୍ଧତାରେ, ଆହ୍ଲିଦିତ ହୁଅନ୍ତି ଲହୁର କ୍ଷୀପ୍ରତାରେ ଆଉ ପ୍ରବଳ ସରାଗରେ କଣ୍ଟାକୁ ଆପଣାଇ ନିଅନ୍ତି ଫୁଲସମ ସ୍ନିଗ୍ଧତାରେ…..
‘ଆଶ୍ଚର୍ଯ୍ୟ ଲାଗୁଚି ନା
କଣ୍ଟା କେବେ
ଫୁଲ ପରି ଲାଗେ
ମୁଁ କିନ୍ତୁ କଣ୍ଟାସବୁ
ବୋଳିହୁଏ
ଦେହେ ମନେ
ପ୍ରବଳ ସରାଗେ’

ସେ ଜଳନ୍ତି, ଠିକ୍ ସଳିତା ପରି । ଜ୍ବଳନର ଯନ୍ତ୍ରଣାରୁ ସୃଷ୍ଟି ହୁଏ ତାଙ୍କ କବିତା । ଅନ୍ୟ ପାଇଁ ଜଳି ଜଳି ନିଃଶେଷ ହୋଇଯାଉଥିବା ସଳିତାର ଦୁଃଖ ଓ ଲୁହକୁ କବି ଅନୁଭବ କରିଛନ୍ତି ଆଉ କହିଛନ୍ତି
‘ତୁମେ ତ ଜଳୁଛ
ମୁଁ ବି ଜଳୁଛି
ତୁମରି ବୁକୁର
କୋହ ମୁଁ ଶୁଣିଛି
ଜ୍ବଳନ ଯନ୍ତ୍ରଣା
ବୁଝିଛି ବୋଲି ମୁଁ
ତୁମ ଦୁଃଖ ସହି ପାରେନା’
ତଥାପି ଅନ୍ଧାର ଦୂର ହୋଇ ଯାଇନି କି ଲୁହ ଝରିବା ବନ୍ଦ ହୋଇନି ! ଆଉ କବିତା ? ଋତୁ ଆସେ ଆଉ ଯାଏ । କବିତା ବହିଯାଏ ଗ୍ରୀଷ୍ମର ଝାଞ୍ଜି ହୋଇ, ବର୍ଷାରେ ଲୁହର ନଈ ହୋଇ, ଶୀତରେ କାକର ଟୋପା ହୋଇ ଓ ବସନ୍ତରେ କୋଇଲିର କୁହୁ ତାନ ଦେଇ । ତଥାପି କବିତା ଏକ ଅବୁଝି ସମ୍ମୋହନ । ସେଥିପାଇଁ କବି ଲେଖନ୍ତି
‘ତୁମରି ଆଖିରେ ନିଜକୁ ଦେଖିଛି
ସପନର ଏକ ପରୀ ହୋଇ
ତମରି ଭିତରେ ନିଜକୁ ପାଇଛି
ଗୋଲାପର ଏକ ଫୁଲ ହୋଇ
ତଥାପି ଅବୁଝା ଟିକିଏ ବୁଝୁନ
କାହିଁକି ଝୁରୁଛି ତୁମ ପାଇଁ’

କବି ମନୋଜ ମିଶ୍ରଙ୍କ କବିତାରେ ଜୀବନ ଯନ୍ତ୍ରଣାର ଜଟିଳତାକୁ ଯେମିତି ସରଳ ଭାବେ ପ୍ରକାଶ କରିପାରନ୍ତି ପ୍ରେମ, ପ୍ରୀତି ଓ ପ୍ରଣୟର ଅବୁଝା, ଅକୁହା, ଅପ୍ରକାଶ୍ୟ ଭାବକୁ ସେହିପରି ସହଜରେ ଆଙ୍କି ପାରନ୍ତି । ଶବ୍ଦର କୁହୁକ ସ୍ପର୍ଶରେ କବିତାର ମାୟାଘେରରେ କବି ଜୀବନ ଦର୍ଶନର ନିଗୁଢ଼ ସତ୍ୟକୁ ଉନ୍ମୋଚନ କଲାବେଳେ ଯେତିକି ସତ୍ୟାଶ୍ରାୟୀ, ପ୍ରକୃତି, ପରିବେଶ, ପ୍ରେମ, ସମ୍ପର୍କ ଓ ସାମ୍ପ୍ରତିକ ସମାଜର କଥା କହିଲାବେଳେ ସେତିକି ବାସ୍ତବବାଦୀ । ଅତି ସରଳ ଭାବେ ନିଜ ମନର ବିକ୍ଷିପ୍ତ ଭାବନାକୁ କବିତା ବ୍ୟକ୍ତ କରିଛନ୍ତି କବି । ମଗ୍ନ ମଉନ ଶିଳ୍ପୀଟିଏ ପରି କବିତାର କଳେବର ଗଢିଛନ୍ତି । ଶବ୍ଦ ଓ ଭାବର ଅପୂର୍ବ କାରିଗରୀ କୌଶଳ ପ୍ରାୟ ପ୍ରତ୍ୟେକଟି କବିତାରେ ଦୃଶ୍ୟମାନ । ତାଙ୍କ କବିତାରେ ଅଛି ଗୋଟେ ଜାଦୁକରୀ ସମ୍ମୋହନ, ଆକର୍ଷଣ । କବିତା ହିଁ ତାଙ୍କ ପାଇଁ ସବୁକିଛି…..
‘ସ୍ବପ୍ନ ତୁମେ ସତ ତୁମେ
ବର୍ତ୍ତମାନ ଭବିଷ୍ୟତ
ବଞ୍ଚିବାର ରାହା
ସଞ୍ଚରିଯାଇଛ ତୁମେ
ସଜେଇଛ ଫୁଲେଫୁଲେ
ମୋ’ ସାରା ଦୁନିଆ’
ତଥାପି ପ୍ରତୀକ୍ଷା ସରିନି, ପଥ ଆରମ୍ଭ ହୋଇଛି । ଅନେକ ଆଶା, ଅନେକ ସ୍ବପ୍ନରେ ଭରା “ଅୟୁତସ୍ବପ୍ନା” କବିତାପ୍ରମୀ ପାଠକଙ୍କ ହୃଦୟରେ ସ୍ବପ୍ନର ରଙ୍ଗୀନ ପ୍ରଚ୍ଛଦ ଆଙ୍କିଦେଉ…..

୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ

Comments are closed.