ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ଟଙ୍କିକିଆ ମଣିଷ : ଗୋଟିଏ ସ୍କେଚ୍ ନିହାତି ଗରିବ ଓ ନିମ୍ନ ମଧ୍ୟବିତ୍ତ ମଣିଷର
କବିତା ସଙ୍କଳନ : ଟଙ୍କିକିଆ ମଣିଷ
କବି : ସମରେନ୍ଦ୍ର ମହାପାତ୍ର
ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍
ପ୍ରଥମ ପ୍ରକାଶ : ୨୦୨୦
ମୂଲ୍ୟ : ୧୦୦ ଟଙ୍କା ମାତ୍ର
ସାମ୍ପ୍ରତିକ ଓଡ଼ିଆ କବିତାରେ ଯେଉଁ କେତେଜଣ ବରିଷ୍ଠ ଏକଦମ୍ ସିଧା କଥା କହିବାରେ ସିଦ୍ଧହସ୍ତ ସେମାନଙ୍କ ଭିତରେ କବି ସମରେନ୍ଦ୍ରନାଥ ମହାପାତ୍ର ଅନ୍ୟତମ। କବି ସମରେନ୍ଦ୍ର ମହାପାତ୍ରଙ୍କ କବିତାରେ ଜଣେ ସାଧାରଣ ମଣିଷର ଜୀବନ ଦେଖାଯାଏ । ତାଙ୍କ କବିତାରେ ପଢି ହୁଏ ସେହି ସାଧାରଣ ମଣିଷର ଦୁଃଖକୁ, ଅଭାବକୁ, ଅଭିମାନକୁ । ପଢିବି ହୁଏ ସେହି ସାଧାରଣ ମଣିଷ ଆଖିର ଲୁହ ଓ ଛାତିର କୋହକୁ।
ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟରେ ସକ୍ରିୟ ଥିବା ଶ୍ରୀଯୁକ୍ତ ସମରେନ୍ଦ୍ର ମହାପାତ୍ର ଅନେକ ସମୟରେ ଅନେକ କଥାରେ ଭାବପ୍ରବଣ ହୋଇଯାଇ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଯିବା କଥାକୁ ମୋ ପରି ଅନେକ ଲକ୍ଷ୍ୟ କରିଥିବେ ନିଶ୍ଚୟ। କିନ୍ତୁ ହୁଏତ ଅନେକ ଲକ୍ଷ୍ୟ କରିନଥିବେ ସେହି ପ୍ରତିକ୍ରିୟାରୁ କେମିତି ଜନ୍ମ ନିଅନ୍ତି କବିତା ସବୁ। ସେହି ଜନ୍ମ ନେଉଥିବା କବିତା ସବୁକୁ ନେଇ “ମୈୗନ ଅଭସାର” ଠୁ ଆରମ୍ଭ କରି ” ଟଙ୍କିକିଆ ମଣିଷ” ଯାଏ ପ୍ରାୟ ନଅ ଖଣ୍ଡ କବିତା ସଂକଳନ କହିଛି ମଣିଷ ମନର କଥା। କହିଛି କେତେବେଳେ ଦୁଃଖ ଓ ଯନ୍ତ୍ରଣାର କଥାତ କେତବେଳେ ପ୍ରେମ ଓ ନିଃସଙ୍ଗତାର କଥା।
କବିଙ୍କ କବିତା ସଙ୍କଳନ”ଟଙ୍କିକିଆ ମଣିଷ ” ଏକ ନିଆରା ସୃଷ୍ଟି । ଟଙ୍କିକିଆ ମଣିଷ ସିଏ, ଯିଏ ସବୁବେଳେ ଅଭାବରେ ହନ୍ତସନ୍ତ ହୋଇ ରହି ଯାଇଥାଏ ଦାରିଦ୍ର୍ୟର ସୀମା ରେଖା ତଳେ । ଟଙ୍କିକିଆ ଚାଉଳ ଓ ପାଞ୍ଚ ଟଙ୍କିଆ ଡାଲମା ଭାତ ଦେଇ ସେଇ ମାନଙ୍କୁ ଭୁଆଁ ବୁଲାଏ ସରକାର। ସେମାନେ ନିଜ ପାଇଁ ନିଜେ ସ୍ବପ୍ନ ଦେଖି ପାରନ୍ତିନି ବୋଲି ପାଞ୍ଚ ବର୍ଷକୁ ଥରେ ତାଙ୍କୁ ସ୍ବପ୍ନ ଦେଖାନ୍ତି ନେତା, ମନ୍ତ୍ରୀ । ସେହି ସ୍ବପ୍ନ ପାଇଁ ସରକାର କରନ୍ତି ଯୋଜନା ପରେ ଯୋଜନା, ହେଲେ ଭାଗ୍ୟଦୋୟ ହୁଏ ନେତା ମନ୍ତ୍ରୀଙ୍କର ଏବଂ ସାଧାରଣ ମଣିଷ ପୁଣି ଥରେ ପାଲଟି ଯାଏ ସେହି ଟଙ୍କିକିଆ ମଣିଷ ।ତାହାର ମୁଣ୍ଡ ଟଙ୍କାକର। ସେ କାହୁଁ ବା ବୁଝିବ ଏ ରାଜନୀତିର ପଶାପାଲି ଖେଳ। ଏଣୁ ସେହି କଥାକୁ ସେଇ ମାନଙ୍କ ଭାଷାରେ କହିବାକୁ ଯାଇ କବି କୁହନ୍ତି,
” ଆମକୁ ମଳି ମୁଣ୍ଡିଆ କହି
ଯେତେ ହସୁଛ ହସ
ଆମର କୋଉ ଅଛି ଯେ
ଇଜ୍ଜତ ମହତ ,
ଜୀବନ ଆମର ହା’ହୁତାଶ
ଭାଗ୍ୟ ଚୁଲି ପାଉଁଶ
ଟଙ୍କାକର ମୁଣ୍ଡ ଆମର
ଆମେ ଟଙ୍କିକିଆ ମଣିଷ ”
(ପୃଷ୍ଠା ସଂଖ୍ୟା – ୯ )
ଦେବ ଦେବ କହି ପ୍ରାୟ ସବୁକିଛି ତାଙ୍କଠୁ ଛଡାଇ ନେଲାଣି ସରକାର, ଛଡାଇ ନେଲାଣି ଏ ସଭ୍ୟ ସମାଜ। ଜଳ, ଜଙ୍ଗଲ, ଜମି ସବୁଠିତ ଲାଗିଲାଣି ଖଜଣା, ସବୁଠି ସରକାରଙ୍କ ନଜର। ଏଣୁ ଦୁଃଖୀ ହୋଇ ସେହି ସାଧାରଣ ମଣିଷଟି କୁହେ,
” ନା ଜମି ନା ଜଙ୍ଗଲ ନା ଜଳ
କୋଉଥିରେ ଆମକୁ ଛାଡିଲ ସାଆନ୍ତେ !
ସବୁଥିରେତ ନିଘା ତମର
ସବୁଠି କଷି ଦେଇଚ ବଳ ”
(ପୃଷ୍ଠା ସଂଖ୍ୟା – ୧୬ )
ହଁ, ସାଧାରଣ ମଣିଷ ସବୁବେଳେ ଏମିତି ଦୁଃଖ ପାଏ ଏବଂ ନିଜେ ନିଜକୁ ସାନ୍ତ୍ବନା ଦେଇ କୁହେ,
” ସନା ମଳିକର ଝୁଅ ସିନା
ମରିଗଲା ଟୋପେ କ୍ଷୀର ବିନା,
ତା’ଭାରିଜାର ଶୁଖିଲା
ସ୍ତନ ଦି’ଟାକୁ ରେକେଟି ରେକେଟି
ପୁଣି ବଞ୍ଚିଛିତ ସେ ପୁଅ ଛୁଆଟା ”
(ପୃଷ୍ଠା ସଂଖ୍ୟା – ୨୧)
ସରକାରଙ୍କ ନୀତି, ଯୋଜନା ସେହି ସାଧାରଣ ମଣିଷଙ୍କ ପାଇଁ ହେଉଥିଲେ ବି ସେମାନେ ସଭ୍ୟ ସମାଜର ଛଳନା ଯୋଗୁଁ ବାରମ୍ବାର ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଣୁ ସେଇ ମାନଙ୍କ ଦୁଃଖକୁ ସେଇ ମାନଙ୍କ ଭାଷାରେ ଥୋଇଛନ୍ତି କବି ତାଙ୍କ କାବ୍ୟିକ ଶୈଳୀରେ। କବି ଏଠି ସାଧାରଣ ଗରିବ, ମୁଲିଆର ଦୁଃଖକୁ ପରଶିଥିବା ବେଳେ କୋଷିଛନ୍ତି ସରକାରଙ୍କୁ।
“ଆଚରଣ ବିଧି ” ପରି କବିତାରେ କବି କଟାକ୍ଷ କରିଛନ୍ତି ଲାଞ୍ଚ ନେଇ ଗାଡି ଚଢୁଥିବା ସରକାରୀ କର୍ମଚାରୀଙ୍କୁ।
କବି ,ଖାଲି ଗରିବର ଅଭାବ, ଦୁଃଖ,ଭୋକ,ଲୁହ ଓ କୋହକୁ ଦେଖି ବିଚଳିଚ ହୋଇଛନ୍ତି ସେକଥା ନୁହେଁ। ସେ ସଭ୍ୟ ସମାଜର ସଭ୍ୟ ମୁଖା ପିନ୍ଧି ଅସଭ୍ୟଙ୍କ ପରି ଅମାନୁଷିକ କାମ କରୁଥିବା ଚରିତ୍ରକୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି। ଅଙ୍କଲ୍ ଅଙ୍କଲ୍ ଡାକୁଥିବା ଛ’ବର୍ଷର ଝିଅଟିଏକୁ ବି ବାଙ୍ଗାଲୋର ଭଳି ସହରରେ ଧର୍ଷଣ କରିପାରେ ସେହି ଅମଣିଷଟି। ଏଣୁ ଦୁଃଖୀ ହୋଇ କବି କୁହନ୍ତି,
” ବଡ ବିଚିତ୍ର ନଜର ତୁମର ଅଙ୍କଲ୍
ଗୋଟେ ସୁନ୍ଦର ଝିଅ ଭିତରେ ତୁମେ
ଦେଖି ପାରିଲନି ଆଉ କିଛି
ଦେଖିଲ ନଗ୍ନତା କେବଳ ”
(ପୃଷ୍ଠା ସଂଖ୍ୟା – ୬୩)
ଆଉ ଗୋଟିଏ କଥା, ବେଳେବେଳେ ଏମିତି ଅନୁଭବ ହୁଏ ଯେ ମୋ ଆଗରେ ମୋ ସାଙ୍ଗ ସାଥି ଖୁବ୍ ଉପରକୁ ଉଠିଗଲେ, ଗାଡି ଘୋଡା, ମାନ ,ସମ୍ମାନ ,ସବୁ କିଛି ପାଇଗଲେ ଅଥଚ ମୁଁ ବାମନ ପରି ରହିଗଲି ଖୁବ୍ ପଛରେ। ଏହି ଅନୁଭବକୁ କବିତାରେ ଉତ୍ତାରିବାକୁ ଯାଇ କବି କୁହନ୍ତି,
” ବାମନ ହୋଇ ରହିଗଲି ମୁଁ
ହୋଇ ପାରିଲିନି ମଣିଷ
ଯୁଆଡେ ବଢାଇଲି ହାତ
ସବୁ ଖାଲି ଅପହଞ୍ଚ,
ନା ଚଢି ପାରିଲି ପାହାଡ଼
ନା ଛୁଇଁ ପାରିଲି ଆକାଶ ”
(ପୃଷ୍ଠା ସଂଖ୍ୟା – ୮୧)
ସାଧାରଣ ଗରିବ, ମୁଲିଆ ଓ ମଧ୍ୟବିତ୍ତର କଥା କହୁଥିବା “ଟଙ୍କିକିଆ ମଣିଷ “ର ଅଧିକାଂଶ କବିତା ହୃଦୟସ୍ପର୍ଶୀ ହୋଇଥିଲେବି ପୁସ୍ତକଟିରେ ” କ୍ଷମାକର ” ଓ
” ଭାଇରାଲ୍ ” ଭଳି କିଛି ଦୁର୍ବଳ କବିତା ମଧ୍ୟ ରହିଯାଇଛି। ବରିଷ୍ଠଙ୍କଠୁ ପାଠକ ଯାହା ଅପେକ୍ଷା ରଖେ ସେମିତି କିଛି ଅନୁଭବ ଏ ଦୁଇ କବିତାରେ ନାହିଁ। ପୁସ୍ତକ ପ୍ରକାଶନ ସମୟରେ ସଠିକ୍ କବିତା ଚୟନ ପାଇଁ ଆଉ ଟିକିଏ ଅଧିକ ସମୟ ଦେବାର ଆବଶ୍ୟକତା ଥିଲା। ତଥାପି ମୋଟା ମୋଟି ଭାବରେ ଦେଖିବାକୁ ଗଲେ ଯେଉଁ ସାଧାରଣ ମଣିଷର କଥା କବି କହିବାକୁ ଚାହିଁଛନ୍ତି ତାହା ଏବଂ ଯେଉଁ ଟଙ୍କିକିଆ ମଣିଷର ଚିତ୍ରକୁ କବି ପାଠକ ସାମ୍ନାରେ ଥୋଇଛନ୍ତି ତାହା ପ୍ରକୃତରେ ଖୁବ୍ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇଛି। ଆଶା କରୁଛି ଏହା ପାଠକଙ୍କୁ ପ୍ରଭାବିତ କରିବ ନିଶ୍ଚୟ।
Comments are closed.