ଜୀବନରେ ଭୋଗିଥିବା ସୁଖ, ଦୁଃଖ, ହସ, ଲୁହ ତଥା ମାନସିକ ଅବସ୍ଥାକୁ ନେଇ ଅନୁଭବ ଓ ଅନୁଭୂତିର ସମାହାର : ଡାଏରୀ ଗପ
ଡାଏରୀ ଗପ
ଗାଳ୍ପିକ : ପ୍ରଦୀପ କୁମାର ରାୟ
ଆଦିତ୍ୟ ଭାରତ ପ୍ରକାଶନୀ
କଟକ
ପୃଷ୍ଠା ସଂଖ୍ୟା : ୧୧୧
ମୂଲ୍ୟ : ୧୫୦
ଗଳ୍ପର ସଂଜ୍ଞା ପୃଥିବୀର କୌଣସି ଗାଲ୍ପିକଙ୍କ ପାଖରେ ନଥାଏ। ନିଜ ଜୀବନରେ ଭୋଗିଥିବା ସୁଖ, ଦୁଃଖ, ହସ, ଲୁହ ତଥା ମାନସିକ ଅବସ୍ଥାକୁ ନେଇ ଅନୁଭବ ଓ ଅନୁଭୂତିର ରଙ୍ଗ ଭରି କିଛି ଚରିତ୍ର ଚିତ୍ରଣରେ ଯେଉଁ କଥା କହିବାକୁ ପ୍ରୟାସ କରାଯାଏ ତାହା ହିଁ ବ୍ୟକ୍ତିକୁ କଥାକାର ବା ଗଳ୍ପର ସ୍ରଷ୍ଟା ଭାବରେ ପରିଚିତ କରାଏ। ସେହି ଗପ ସବୁ ଯଦି ଜୀବନର ଘଟଣାବଳୀ ହୁଏ ତେବେ ଗାଳ୍ପିକଙ୍କୁ ଆଉ କଳ୍ପନାର ରଙ୍ଗ ଭରିବାର ଆବଶ୍ୟକତା ହିଁ ନଥାଏ। ଗାଳ୍ପିକ ପ୍ରଦୀପ କୁମାର ରାୟଙ୍କର ସଦ୍ୟ ପ୍ରକାଶିତ ‘ଡାଏରୀ ଗପ’ ସେହି ସବୁ ଅନୁଭବ ଓ ଅନୁଭୂତିରେ ସିକ୍ତ ସମାହାର। ଏହି ସଙ୍କଳନ ମାଧ୍ୟମରେ ଗାଳ୍ପିକ ଶ୍ରୀ ରାୟଙ୍କ ଜୀବନରେ ଘଟିଥିବା କିଛି ସତ୍ୟ ଘଟଣାର ମାର୍ମିକ ଉପସ୍ଥାପନ କରିଛନ୍ତି।
ସମୁଦାୟ ବାରଟି ଗଳ୍ପର କଳେବରରେ ମଣ୍ଡିତ ଏହି ସଙ୍କଳନର ପ୍ରଥମ ଗପ ‘ବନମାଳି ସାର୍’ ଗାଳ୍ପିକଙ୍କ ଶିକ୍ଷକ ବନମାଳି ସାରଙ୍କ ସହ ତାଙ୍କ ଅନୁଭୂତିର କଥା କହେ। ଜଣେ ଛାତ୍ର ବତ୍ସଳ ଅଧ୍ଯାପକ ଭାବରେ ବନମାଳୀ ସାର୍ ଛାତ୍ରଛାତ୍ରୀଙ୍କ ନିକଟରେ ଯ ପରିଚିତ ହେବା ସହ ଜଣେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ମଧ୍ଯ ଥିଲେ। ପିଲାମାନଙ୍କ ଅନ୍ତର୍ନିହିତ ଗୁଣ ଚିହ୍ନି ସେମାନଙ୍କୁ ଜୀବନର ସଠିକ ମାର୍ଗ ଦର୍ଶନ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। କିନ୍ତୁ ନିଜର ବ୍ୟକ୍ତିଗତ ଜୀବନର ଦୁଃଖ ଆଗରେ ଆଣ୍ଠେଇ ପଡ଼ିଥିଲେ। ମଣିଷ ଜୀବନର ଅନେକ ଦିଗ ବିଷୟରେ ଜାଣି ହୁଏ ନାହିଁ । ଜାଣିଲେ ବି କିଛି କରିହୁଏନି। ବନମାଳି ସାରଙ୍କ ଜୀବନ ବି ଠିକ ସେହିପରି। ଏହି ଗଳ୍ପରେ ଗାଳ୍ପିକ ବନମାଳି ସାରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ବର୍ଣ୍ଣନା କରି ଗୁରୁଙ୍କ ପ୍ରତି ତାଙ୍କର ଭକ୍ତିଭାବ ସହକେତେକାଂଶରେ ଦାୟିତ୍ଵବୋଧକୁ ନେଇ ଅସହାୟତା କଥା ପ୍ରକାଶ କରିଛନ୍ତି।
ଜୀବନରେ ଅନେକ ଘଟଣା ଘଟେ। କେତେ ନୂଆ ଚରିତ୍ର ସହ ନୂଆ ଅନୁଭୂତି ତିଆରି ହୁଏ। ସବୁକିଛିକୁ ମନେ ରଖି ହୁଏନା କିନ୍ତୁ କିଛି ଘଟଣାକୁ ଛାତିରେ ଦାଗ ପକେଇ ଲାଖି ରହେ। ଏହି ସଙ୍କଳନସ୍ଥ ଗାଳ୍ପିକ ଶ୍ରୀ ରାୟଙ୍କ ଦ୍ଵିତୀୟ ଗଳ୍ପ ‘ପୋଡ଼ା ବର ଓ ଅଶ୍ଵତଥ ଗଛର କାହାଣୀ’ ତାଙ୍କ ଜୀବନର ଆଉ ଏକ ସ୍ମୃତିସିକ୍ତ ଫର୍ଦ୍ଦ। ସନ୍ତାନର ଭବିଷ୍ୟତ ପାଇଁ ତମାମ ସୁଖକୁ ତ୍ୟାଗ କରିଥିବା ବାପା ମା ଯେତେବେଳେ ସେହି ସନ୍ତାନ ଦ୍ଵାରା ଅବହେଳିତ ହୋଇ ଯାଆନ୍ତି ସେତେବେଳେ ତାଙ୍କ ଅବସ୍ଥା ବି ପୋଡ଼ା ଗଛର ଗଣ୍ଡି ପରି ହୋଇଯାଏ।
ଇଶ୍ୱର କେଉଁଠି ତାହା ଆମକୁ ଜଣା ନାହିଁ । କିନ୍ତୁ କିଛି ବ୍ୟକ୍ତିଙ୍କ କର୍ମରେ ହିଁ ଆମେ ଇଶ୍ୱରଙ୍କ ସନ୍ଧାନ ପାଇଥାଉ। ଝର୍କାର ଆଲୋକିତ ଫ୍ରେମରେ ଇଶ୍ଵର ଗପରେ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତରଙ୍କ ବିଷୟରେ ତାଙ୍କର ଅନୁଭୂତିକୁ ଉପସ୍ଥାପନ କରିଛନ୍ତି। ସମୟ, ସ୍ଥାନ କି ବୃତ୍ତିଗତ ନିର୍ଘଣ୍ଟକୁ ଧ୍ୟାନ ନଦେଇ ଜଣେ ଡାକ୍ତର ଯେତେବେଳେ ରୋଗୀର ଚିକିତ୍ସା କରେ ସେତେବେଳେ ସେ ସତରେ ଇଶ୍ଵର ପାଲଟି ଯାଆନ୍ତି।
ଘରର କେଉଁ ଅଂଶରେ ଫାଟ ସୃଷ୍ଟି ହେଲେ ତାକୁ ବାଲି ସିମେଣ୍ଟର ଆସ୍ତରଣ ଦେଇ ବନ୍ଦ କରାଯାଇ ପାରେ। କିନ୍ତୁ ସମ୍ପର୍କ ଭିତରେ ଫାଟ ପଡ଼ିଲେ ତାହା କେବେ ବି ଯୋଡ଼ି ହୁଏ ନାହିଁ। ସେହି ଫାଟରେ ଅନେକ କଥା ଚାପି ହୋଇଯାଏ। ମାନବ ମିଶ୍ରର କାହାଣୀ ଠିକ୍ ସେହିପରି। ସନ୍ତାନମାନେ ବି ବାପା ମା’ଙ୍କ ପାଖରୁ ନିର୍ଯ୍ୟାତିତ ହୋଇ ପାରନ୍ତି। ସେହି ନିର୍ଯ୍ୟାତନାରେ ଯେଉଁ ଫାଟ ସୃଷ୍ଟି ହୁଏ ତାହା ଆଉ କେବେ ବି ଠିକ୍ ହୋଇ ପାରେ ନାହିଁ।
ଶରୀରରେ ଘା’ ଟିଏ ହେଲେ ସମୟ ସହ ତାହା ଶୁଖିଯାଏ ; ଧୀରେ ଧୀରେ ଚିହ୍ନ ବି ଲିଭିଯାଏ । କିନ୍ତୁ ମନ କି ହୃଦୟରେ ଘା’ ହେଲେ ତାହା ସବୁବେଳେ ସତେଜ ହୋଇ ରହେ। ସମୟ ସହ ତାହା ଅଧିକ ଆକାର ନେଇ ବଢ଼େ। ଦୁଃସମୟରେ ପରିବାରର ସଦସ୍ୟ ଓ ସମ୍ପର୍କୀୟ ସାହସ ଓ ଶକ୍ତି ହୋଇ ଠିଆ ହୁଅନ୍ତି। ଯଦି ସେମାନଙ୍କ ପାଖରୁ ସେହି ସହଯୋଗ ମିଳେ ନାହିଁ ତେବେ ସେହି ଅଭାବ ହୃଦୟରେ କ୍ଷତଟିଏ ସୃଷ୍ଟି କରେ। ଯାହାକି ଆଉ କେବେ ବି ଭଲ ହୋଇ ପାରେ ନାହିଁ। ଗାଳ୍ପିକ ଶ୍ରୀ ରାୟଙ୍କ ଗଳ୍ପ ଘା’ ଏପରି କିଛି ଘଟଣାର କଥା କହେ। ଜୀବନ ଅଛି ମାନେ ଭୋକ ଅଛି। ଯେଉଁଠି ଜୀବନ ସରିଲା ସେଇଠି ଭୋକର ଅନ୍ତ ଘଟିଲା। ଭୋକକୁ ମାରିବାକୁ ହେଲେ କେତେ କଣ କରିବାକୁ ହୁଏ। ଏପରିକି ବେଳେବେଳେ ଜୀବନକୁ ବି ହାରିବାକୁ ହୁଏ। ଭୋକ ଗଳ୍ପରେ ଗୋଟିଏ ଅସହାୟ ମା’ ଓ ଭୋକ ଦାଉରେ ଜଳୁଥିବା ତାର ଛୁଆମାନଙ୍କ କଥା କହିଛନ୍ତି।
ଗଳ୍ପ ସଙ୍କଳନର ସପ୍ତମ ଗଳ୍ପ ମା’ର ଖେଳ, ମାୟାର ଖେଳ ନାରୀର ଭିନ୍ନ ଭିନ୍ନ ସ୍ୱରୂପକୁ ନେଇ ପୁରୁଷ ପ୍ରଧାନ ସମାଜର ମନସ୍ତତ୍ତ୍ଵର କଥା କହେ। ଜଣେ ଅଜଣା ଅଚିହ୍ନା ନାରୀକୁ ଅନାୟାସରେ ଆଉ ଜଣେ ନାରୀ ସାହାଯ୍ଯ କରିପାରେ। କାହିଁକିନା ସେ ନାରୀର ଦୁଃଖ କଷ୍ଟକୁ ବୁଝିପାରେ। କିନ୍ତୁ ପୁରୁଷର ମାନସିକତା ଭିନ୍ନ ଥାଏ। ସେହି ମାନସିକତାରେ ପରିବର୍ତ୍ତନ ସେହିଦିନ ଆସେ ଯେଉଁଦିନ ସେ ପ୍ରତ୍ୟେକ ନାରୀ ଭିତରେ ମାତୃତ୍ୱକୁ ଦେଖି ପାରିବ ବୋଲି ଗାଳ୍ପିକ ଏହି ଗଳ୍ପ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି।
ଜୀବନ ଓ ମରଣ ମଝିରେ ହାଇଫେନ ଗଳ୍ପରେ ଗାଳ୍ପିକ ବାହାଦୁର ଜୀବନର ସଂଘର୍ଷ ଓ ମୃତ୍ୟୁ ବିଷୟରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି। ଜୀବନ ବଞ୍ଚେଇବାକୁ ଆଜୀବନ ସଂଘର୍ଷ କରିବାକୁ ହୁଏ । କେବଳ ମୃତ୍ୟୁ ହିଁ ସେ ସଂଘର୍ଷରେ ଯବନିକା ଟାଣି ପାରେ।
ଶିକ୍ଷକଙ୍କ ପାଇଁ ଛାତ୍ରଛାତ୍ରୀମାନେ ସବୁବେଳେ ସନ୍ତାନ ସଦୃଶ।ଯେମିତିକି ଜୀବନର ଗୋଟିଏ ବଡ଼ ଅଂଶ। ଛାତ୍ରଛାତ୍ରୀଙ୍କ ସଫଳତା ଯେତିକି ଗର୍ବ ଅନୁଭବ କରାଏ ସେମାନଙ୍କ ରୋଗ ଦୁଃଖ ସେତିକି ମର୍ମାହତ କରେ। ‘ଚିରକାଳର ମା’ ଗଲ୍ପଟି ଗାଲ୍ପିକଙ୍କ ସେହି ମାନସିକତାକୁ ଧରି ରଖିବାରେ ସକ୍ଷମ ହୋଇଛି। -କହିଦେଇ ଯାଅ, ତୁମେ କିଏ’ ଗଳ୍ପରେ ଗାଳ୍ପିକ ନିତିଦିନିଆ ଜୀବନରେ ଘଟୁଥିବା ଅନେକ ସମାଧାନର ବାଟ ଖୋଜିବାରେ ସକ୍ଷମ ହୋଇଛନ୍ତି। ଦୁଇ ଜଣ ପଡ଼ୋଶୀ ମଧ୍ୟରେ ବାଦ, ବିବାଦ, ତିକ୍ତତା କି ଅସହିଷ୍ଣୁତା ଯେତେ ବଢ଼ୁଥାଏ ସେମାନଙ୍କ ସମ୍ପର୍କ ସେତେ ଦୁର୍ବଳ ହେଉଥାଏ। ଉଭୟଙ୍କ ମଧ୍ଯରୁ ଜଣଙ୍କର ଯଦି ଆପଣାପଣ ଅକ୍ଷୁଣ୍ଣ ଥାଏ ତେବେ ସେମାନଙ୍କୁ ଯୋଡ଼ିବା ପାଇଁ କେଉଁ ଅଜଣା ହାତରେ ସେତୁଟିଏ ତିଆରି ହୋଇଯାଏ।
ବାଲ୍ୟ ଜୀବନର କିଛି ସ୍ମୃତି ସବୁବେଳେ ସତେଜ ହୋଇ ରହିଥାଏ। ଲାଲ ପରୀ ଗପଟିରେ ଗାଳ୍ପିକ ନିଜ ହୃଦୟର ସବୁଠୁ ପ୍ରିୟ ମଞ୍ଜୁ ଅଥଚ ତା ସହ ଜଡ଼ିତ ସବୁଠୁ ଦୁଃଖଦ ଘଟଣାକୁ ଛାତିର ସାତ ତାଳ ଗଭୀରତା ସାଇତି ରଖିଛନ୍ତି। ସମୟ ଯେତେ ବଳବାନ କାହିଁକି ହୋଇ ନଥାଉ କିଛି କ୍ଷତ ସବୁବେଳେ ସତେଜ ରହିଥାଏ। ଗଳ୍ପ ସଙ୍କଳନର ଶେଷ ଗଳ୍ପ ‘ମହାରଥୀ ଶୈଲ୍ୟ ବନାମ୍ ପ୍ରଫୁଲ୍ଲ ପୋଢ଼’ ଗଳ୍ପରେ ଗାଳ୍ପିକ ଜଣେ ଛାତ୍ର ସହ ତାଙ୍କର ଅନୁଭୂତିର ଫର୍ଦ୍ଦକୁ ଖୁବ୍ ସୁନ୍ଦର୍ ଭାବରେ ବର୍ଣ୍ଣନା କରିଛନ୍ତି । ଅସମୟରେ ଛାତ୍ରର ଅବର୍ତ୍ତମାନ ତାଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି।
ଏହି ଗଳ୍ପ ସଙ୍କଳନର ସମସ୍ତ ଗପ ଗାଲ୍ପିକଙ୍କ ନିଜସ୍ୱ ଅନୁଭୂତିର କିୟଦଂଶ ହୋଇଥିବାରୁ ପାଠକ ପଢ଼ିବା ସମୟରେ ନିଜେ ନିଜକୁ ଜଣେ ଚରିତ୍ର ବୋଲି ମନେ କରିବ। କିଛି ବନାନଗତ ଭୁଲକୁ ବାଦ ଦେଲେ ସଙ୍କଳନଟି ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ; ଏଥିରେ କୌଣସି ସନ୍ଦେହ ନାହିଁ।
Comments are closed.