ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା
ଶ୍ରୀମନ୍ଦିର ରତ୍ନ ଭଣ୍ଡାର
ସମ୍ପାଦନା ‐ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ରତନପୁର,
ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ଚେତନା ଓ ଦର୍ଶନର ଅନନ୍ୟ ରୂପକାର ହେଲେ ସୁରେନ୍ଦ୍ର ନାଥ ଦାଶ । ଅଧ୍ୟାପନା ବୃତ୍ତିରେ ବ୍ରତୀ ଶ୍ରୀଯୁକ୍ତ ଦାଶ ଶ୍ରୀଜଗନ୍ନାଥ ସଂସ୍କୃତିର ଜଣେ ବରେଣ୍ୟ ଗବେଷକ, ଆଲୋଚକ, ସଙ୍ଗଠକ, ସମ୍ପାଦକ ଭାବେ ସମଗ୍ର ଓଡ଼ିଶା ତଥା ଭାରତରେ ସୁପରିଚିତ । ଓଡିଶା, ଭାରତ ତଥା ଭାରତ ବାହାରେ ଜଗନ୍ନାଥି ପରମ୍ପରା, ଚେତନା, ଆଦର୍ଶ ଓ ଉତ୍କର୍ଷକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କ ଭୂମିକା ପ୍ରଶଂସନୀୟ । ବିଭିନ୍ନ ଜାତୀୟ ଓ ଆନ୍ତଃର୍ଜାତୀୟ ଆଲୋଚନାଚକ୍ର ଓ ବୌଦ୍ଧିକ ସଂପାନମାନଙ୍କରେ ନିୟମିତ ଯୋଗଦାନପୂର୍ବକ ଜଗନ୍ନାଥ ଚିନ୍ତା ଓ ଚେତନା ସମ୍ପର୍କିତ ବହୁ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଛନ୍ତି ।
ବିଶ୍ବଦେବତା ଶ୍ରୀଜଗନ୍ନାଥଙ୍କ ସାହିତ୍ୟ, ଧର୍ମ, ସଂସ୍କୃତି, ପୂଜା ପଦ୍ଧତି, ପର୍ବପର୍ବାଣୀ ସମ୍ପର୍କରେ ଅନେକ ଗ୍ରନ୍ଥ ପ୍ରଣୟନ କରିଛନ୍ତି ଯାହା ସମଗ୍ର ସୁଧି ସମାଜର ଦୃଷ୍ଟି ଆକର୍ଷଣ କରିପାରିଛି । ଉକ୍ତ ଗ୍ରନ୍ଥରାଜି ଉଭୟ ତତ୍ତ୍ବ ଓ ତଥ୍ୟ ଦୃଷ୍ଟିରୁ ଅନେକ ନୂତନତାରେ ପରିପୂର୍ଣ୍ଣ । ଓଡିଶାରେ ଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀମନ୍ଦିର ଶବ୍ଦକୋଷ ନାମରେ ତିନୋଟି ବୃହତ ପ୍ରକଳ୍ପ ସମ୍ପାଦନ କରି ଶ୍ରୀଯୁକ୍ତ ଦାଶ ଅଜସ୍ର ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି ।
ପୁଣି ‘ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ’ର ପ୍ରତିଷ୍ଠାତା ସଭାପତି ତଥା ‘ଶ୍ରୀଜଗନ୍ନାଥ’ ପତ୍ରିକାର ସମ୍ପାଦନା ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ସଫଳତା । “ଶ୍ରୀମନ୍ଦିର ରତ୍ନ ଭଣ୍ଡାର” ତାଙ୍କର ଅନ୍ୟତମ ମୂଲ୍ୟବାନ ସାରସ୍ବତ ଅର୍ଘ୍ୟ ।
ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଆଜି ବି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଯେପରି ଆଧ୍ୟାତ୍ମିକତାର ଉତ୍ସ ଜିଜ୍ଞାସୁମାନଙ୍କ ପାଇଁ ସେହିପରି ରହସ୍ୟର ଗନ୍ତାଘର । ବାକି ରହିଲା ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରସଙ୍ଗ, ସେ ତ ଆହୁରି ରହସ୍ୟମୟ । ଯୁଗେଯୁଗେ ଭାରତର ମଠ, ମନ୍ଦିର ବିଦେଶୀ ଓ ଯବନ ଲୁଣ୍ଠନକାରୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହି ଆସିଛି । ତତ୍କାଳୀନ ରାଜରାଜୁଡା ସମୟରେ ରାଜା ମହାରାଜାମାନଙ୍କ ବିଜିତ ସଂପତ୍ତିର ବହୁ ଅଂଶ ମନ୍ଦିରମାନଙ୍କୁ ଦାନ ସୂତ୍ରରେ ମିଳୁଥିଲା । ପୁଣି ସନାତନୀ ହିନ୍ଦୁମାନେ ନିଜ ଧାର୍ମିକ ଆଚରଣକୁ ଚରିତାର୍ଥ କରିବା ପାଇଁ ମଠ ମନ୍ଦିରମାନଙ୍କୁ ବହୁ ଅର୍ଥ, ସ୍ବର୍ଣ୍ଣ, ରୌପ୍ୟ, ହୀରା, ଲୀଳା, ମୋତି, ମୂଲ୍ୟବାନ ଧାତୁପଥର ମଧ୍ୟ ଦାନ କରୁଥିଲେ । ତେଣୁ ମଧ୍ୟଯୁଗରୁ ଏହି ମଠ ଓ ମନ୍ଦିରମାନେ ଥିଲେ ଖୁବ୍ ବିତ୍ତଶାଳୀ । ତେଣୁ ବିଦେଶୀମାନଙ୍କ ଦୃଷ୍ଟି ଆକର୍ଷିତ ହେବା ସ୍ବାଭାବିକ୍ । ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତାର ସୂଯୋଗ ନେଇ ସେମାନେ ବାରମ୍ବାର ସ୍ବର୍ଣ୍ଣପ୍ରସୂ ଭାରତକୁ ଆକ୍ରମଣ କରି ମଠ ଓ ମନ୍ଦିରମାନଙ୍କୁ ଲୁଟ୍ କରିବା ଯେମିତି ତାଙ୍କର ପ୍ରମୁଖ କାର୍ଯ୍ୟ ପାଲଟିଥିଲା । ଏତଦ୍ବାରା ହିନ୍ଦୁମାନଙ୍କ ଧାର୍ମିକ ଭାବନାରେ କୁଠାରାଘାତ ହେବା ସହ ଆର୍ଥିକ ଅବନତି ମଧ୍ୟ ଘଟୁଥିଲା । ତେବେ ଏହା ପଛରେ ଆହୁରି ବହୁତ କାରଣ ରହିଛି । ବିଖ୍ୟାତ ଶୈବକ୍ଷେତ୍ର ସୋମନାଥ ମନ୍ଦିର ଆଫଗାନିସ୍ତାନର ଲୁଟେରା ମାମୁଦ ଗଜନିଙ୍କ ଦ୍ବାରା ବାରମ୍ବାର ଲୁଟ୍ ହେବା ଏକ ପ୍ରମୁଖ ଉଦାହରଣ । ଆଉ ରହିଲା ଓଡିଶା କଥା, ସୂର୍ଯ୍ୟବଂଶ ଶାସନର ଶେଷ ଆଡକୁ ଗୋଳମାଳିଆ ରାଜନୈତିକ ପରିବେଶ, କିଛି ଗୃହଶତ୍ରୁମାନଙ୍କ ହୀନ ଚକ୍ରାନ୍ତ ଯୋଗୁଁ ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ତନ୍ମଧ୍ୟସ୍ଥ ରତ୍ନଭଣ୍ଡାର ଯବନ ଲୁଟେରାଙ୍କ ଦୃଷ୍ଟି ଆକର୍ଷଣ କରେ । ଅତୀତରେ ଅନେକଥର ପଠାଣ, ମୋଗଲ, ମରହଟ୍ଟାମାନଙ୍କ ଦ୍ବାରା ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଲୁଣ୍ଠନ ହେବା ପରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି, ସେଇଟା ହିଁ ଏ ଜାତିର ସୌଭାଗ୍ୟ । ସ୍ବର୍ଣ୍ଣ, ରୌପ୍ୟ, ଅନ୍ୟାନ୍ୟ ମୂଲ୍ୟବାନ ପଥର, ମୂର୍ତ୍ତି ଆଦି ବାରମ୍ବାର ଅପହୃତ ହୋଇ ଆଜି ବିଦେଶୀମାନଙ୍କ ହାତରେ । ତେବେ ସେ ପ୍ରସଙ୍ଗ ଆଜିର ଆଲୋଚନାର ବିଷୟବସ୍ତୁ ନୁହେଁ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଳ ଉତ୍ସ ହେଉଛି ହିନ୍ଦୁ ରାଜା, ରାଜକର୍ମଚାରୀ, ବଦାନ୍ୟ ଭକ୍ତ ଓ ଧର୍ମପ୍ରାଣ ବ୍ୟକ୍ତିଙ୍କ ଦାନ । ମାଦଳାପାଞ୍ଜି କହନ୍ତି ଅନଙ୍ଗ ଭୀମଦେବ ରାଜ୍ୟ ଜୟ କରି ‘ରାଜ୍ୟ ଜିଣି ଆଣିଲା ବାହାରେ ଯେ ଭଣ୍ଡାର ଧନମାନ ଅଣା ହୋଇଲା, ସୁନା ୪୦ ଲକ୍ଷ ମାଢ଼ ରତନମାନ ଆଣି ହୋଇଲା । ମୂଳ ପ୍ରମାଣେ ୭ ଲକ୍ଷ ୮୮ ହଜାର । ପାଏ ଦୁଇ ପଦକୁ ମାଢ଼ ୪୭୮୮୦୦ ଲକ୍ଷ ହୋଇଲା । ମୋଟ ୪୭ ଲକ୍ଷ ୮୮ ହଜାର ମାଢ଼ ସୁବର୍ଣ୍ଣ ଶ୍ରୀମନ୍ଦିର ରାଜକୋଷକୁ ପ୍ରଦାନ କରିଥିଲେ’ । ଏଥି ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ଓ ଉତ୍ସବ ଲାଗି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ନିର୍ମାଣ ନିମନ୍ତେ ୨ ଲକ୍ଷ ୫୦ ହଜାର ମାଢ଼ ସୁବର୍ଣ୍ଣ ମନ୍ଦିରକୁ ପ୍ରଦାନ କରିଥିଲେ । ଏଥି ସହିତ ୧୦ ହଜାର ସ୍ବର୍ଣ୍ଣ ମୁଦ୍ରା ମଧ୍ୟ ରତ୍ନଭଣ୍ଡାରକୁ ଦାନ କରିଥିଲେ । ଅତଏବ ଗଙ୍ଗବଂଶ ରାଜତ୍ବ କାଳରୁ ହିଁ ରତ୍ନଭଣ୍ଡାର ସ୍ଥିତି ସୁଦୃଢ ହେବା ସହ ଶ୍ରୀ ବିଗ୍ରହମାନଙ୍କୁ ସ୍ବର୍ଣ୍ଣାଳଙ୍କାର ଲାଗି ହେବା ପରମ୍ପରା ସୃଷ୍ଟି ହେଲା । ଏହା ପରେ ଗଜପତି କପିଳେନ୍ଦ୍ରଦେବଙ୍କ ସମୟରେ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆହୁରି ବୃଦ୍ଧି ପାଇଲା । ଜୟବିଜୟ ଦ୍ବାରସ୍ଥ ଏକ ଅଭିଲେଖରୁ ପ୍ରତୀୟମାନ ହୁଏ ଯେ କପିଳେନ୍ଦ୍ର ଦାକ୍ଷିଣାତ୍ୟ ଜୟ କରି ୧୬ଟି ହସ୍ତୀ ପୃଷ୍ଠରେ ଆଣିଥିବା ବିପୁଳ ପରିମାଣର ଧନରତ୍ନ ଠାକୁରଙ୍କୁ ସମର୍ପଣ କରିଥିଲେ । ଏଇଥିରୁ ହିଁ ରତ୍ନଭଣ୍ଡାର ସ୍ଥିତିକୁ କଳନା କରାଯାଇପାରେ । ତାଙ୍କରି ସମୟରୁ ହିଁ ରଥ ଉପରେ ସୁନାବେଶ ଆରମ୍ଭ ହୁଏ ।
ଏହାପରେ ଦୀର୍ଘ ଶତାବ୍ଦୀ ଧରି ଶ୍ରୀମନ୍ଦିର ବାରମ୍ବାର ଲୁଣ୍ଠନ ହୋଇ ରତ୍ନଭଣ୍ଡାର ଶ୍ରୀହୀନ ହୋଇଛି । କର୍ପୂର ଯାଇଛି କନା ପଡିରହିଛି ମାତ୍ର । ଦୁର୍ବଳ ତଥା ଗୋଳମାଳିଆ ରାଜନୈତିକ ଅବସ୍ଥା ଓ ଗୄହଶତ୍ରୁମାନଙ୍କ ହୀନ ଚକ୍ରାନ୍ତ ଯୋଗୁଁ ଏ ଜାତିର ମୁକସାକ୍ଷୀ ଶ୍ରୀମନ୍ଦିରର ଶ୍ରୀ ଲୁଣ୍ଠିତ ହୋଇଛି ଏବଂ ଶ୍ରୀବିଗ୍ରହମାନେ ବାରମ୍ବାର ଆସ୍ଥାନ ବଦଳେଇଛନ୍ତି । ତେବେ ୧୮୦୩ରେ ଇଂରେଜମାନଙ୍କ ଓଡିଶା ଅଧିକାର ପରେ ପଠାଣ, ମୋଗଲମାନଙ୍କ ଶ୍ୟେନ ଦୃଷ୍ଟି ମନ୍ଦିର ଊପରେ ଆଉ ପଡିନାହିଁ । ରତ୍ନଭଣ୍ଡାରସ୍ଥ ମୂଲ୍ୟବାନ ଦ୍ରବ୍ୟଗୁଡିକର ସୁରକ୍ଷା ବ୍ୟବସ୍ଥା ପ୍ରଥମେ ତ୍ରିସ୍ତରୀୟ ଥିଲା । ୧୯୨୬ପର୍ଯ୍ୟନ୍ତ ଚାଲି ଆସିଥିବା ଏହି ପରମ୍ପରାରେ ଭଣ୍ଡାର ଘରେ ତିନୋଟି କୋଲପ ପଡୁଥିଲା । ଗୋଟିଏ ଚାବି ସୁପରିଟେଣ୍ଡେଣ୍ଟ, ଆଉ ଗୋଟିଏ ଭଣ୍ଡାର ମେକାପ ଅନ୍ୟଟି ଭଣ୍ଡାର ନାୟକଙ୍କ ପାଖରେ ରହୁଥିଲା । କାଳକ୍ରମେ ବିଭିନ୍ନ ପ୍ରକାର ଅସୁବିଧା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଉପରେ ହିଁ ରତ୍ନଭଣ୍ଡାରର ଦାୟିତ୍ବ ନ୍ୟସ୍ତ ହୋଇଛି । ତେବେ ପ୍ରଥମଥର ପାଇଁ ୧୮୦୫ମସିହାରେ ପୁରୀର ତତ୍କାଳୀନ କଲେକ୍ଟର ଚାର୍ଲସ ଗ୍ରୋମ ରତ୍ନଭଣ୍ଡାରସ୍ଥ ରତ୍ନ, ମୂଲ୍ୟବାନ ବସ୍ତ୍ର, ସ୍ବର୍ଣ୍ଣ, ରୌପ୍ୟ ମୋହରଗୁଡିକର ସବିଶେଷ ତାଲିକା କରି କମିଶନରଙ୍କୁ ପ୍ରଦାନ କରିଥିଲେ । ଏହାପରେ ୧୯୫୬ ଓ ୧୯୭୮ ଏହିପରି ଆଉ ଦୁଇଥର ରତ୍ନର ତାଲିକା କରାଯାଇଛି । ତେବେ ୧୮୦୫ରୁ ୨୦୨୩ ଭିତରେ ବି ଅନେକ ବିଭ୍ରାଟ ଘଟିସାରିଛି । ରଥଯାତ୍ରା, ବ୍ରହ୍ମ ବିଭ୍ରାଟ ପୁଣି ରତ୍ନଭଣ୍ଡାରକୁ ନେଇ ଅନେକ ବାର ବିବାଦ ଉପୁଜିଛି । ସମାଧାନ ହୋଇଛି ଅଳ୍ପ ମାତ୍ର ସରକାରୀ କମିଶନ ରିପୋର୍ଟ ଭିତରେ ସତ୍ୟ ବାଟବଣା ହୋଇଛି ବା ନାଲି ଫିତାରେ ବନ୍ଦ ହୋଇ ରହିଯାଇଛି । ଆହୁରି କେତେ ଯେ ନାଟକ ଦେଖିବାକୁ ବାକି ଅଛି ତାହା କିଏ କହିବ ?
ପ୍ରଫେସର ଦାଶ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବରେଣ୍ୟ ଗବେଷକ । ସେ ଅକ୍ଳାନ୍ତ ପରିଶ୍ରମ କରି ୧୮୦୫, ୧୯୫୬ ଓ ୧୯୭୮ର ରତ୍ନଭଣ୍ଡାର ରତ୍ନ ତାଲିକା ସଙ୍କଳନ କରିଛନ୍ତି । ପୁଣି ଶ୍ରୀମନ୍ଦିର ପରମ୍ପରା ସହିତ ନେପାଳର ହିନ୍ଦୁ ରାଜାଙ୍କ ସମ୍ପୃକ୍ତି ଅନ୍ୟତମ ଉଲ୍ଲେଖନୀୟ ପ୍ରସଙ୍ଗ ଯାହା ସମ୍ପର୍କରେ ଲେଖକ ଚୁମ୍ବକରେ ଉଲ୍ଲେଖ କରିବା ସହ ବିଶ୍ବ ପ୍ରସିଦ୍ଧ କୋହିନୂର ହୀରା ପ୍ରସଙ୍ଗଟିକୁ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରିଛନ୍ତି । ପରିଶେଷରେ ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ କୋହିନୂର ହୀରାକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଦେବା ଲାଗି ଚୁକ୍ତିନାମାର ନକଲ ମଧ୍ୟ ସଂଯୋଜିତ କରିଛନ୍ତି । ଜିଜ୍ଞାସୁମାନଙ୍କ ପାଇଁ “ଶ୍ରୀମନ୍ଦିର ରତ୍ନଭଣ୍ଡାର” ଅବଶ୍ୟ ଏକ ସଂଗ୍ରହଣୀୟ ପୁସ୍ତକ ।
୭୩୭୭୮୮୯୯୧୬
ନୀଳଚକ୍ର ନଗର
ପୁରୀ
Comments are closed.