Latest Odisha News

BREAKING NEWS

Operation Green Clean: ଚାଲିଛି ଅପରେସନ ଗ୍ରୀନ କ୍ଲିନ୍‌; ମାସେ ହେଲାଣି ୨୫୦୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ:ଅପରେସନ ଗ୍ରୀନ କ୍ଲିନ୍‌ ଅଧିନରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୭ରୁ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ । ପ୍ରାୟ ଗୋଟିଏ ମାସ ମଧ୍ୟରେ ୨୫୦୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୬୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି । ୨୫୦୦ ଏକରରୁ ଊର୍ଦ୍ଧ୍ବ ଜାଗାରେ ପାଖାପାଖି ଅଢେଇ ଲକ୍ଷ ଗଞ୍ଜେଇ ଗଛ କଟା ସରିଛି ।

ବୌଦ୍ଧ ଜିଲ୍ଲାରେ ପ୍ରାୟ ମାସେ ଧରି ଏହି ଅଭିଯାନ ଚାଲିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଓ ଏସପି ରାହୁଲ ଗୋଏଲ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଗଞ୍ଜେଇ ଚାଷ୍ଟ ନଷ୍ଟ କରିଛନ୍ତି ।

ସୂଚନାଥାଉକି, ଆମ୍ବଝରୀ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ କରାଯାଇଛି । ସେଠାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଆଜି ଖୋଦ ବୌଦ୍ଧ ଜିଲ୍ଲାପାଳ ଓ ଏସପି ଉକ୍ତ ସ୍ଥାନରେ ପହଞ୍ଚି ଗଞ୍ଜେଇ କଟା ଅଭିଯାନରେ ସାମିଲ ହୋଇଥିଲେ ।

ଏନେଇ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କହିଛନ୍ତି, ‘ଆମେ ଲୋକଙ୍କୁ ଅପିଲ୍‌ କରୁଛୁ ଏପରି ବେଆଇନ ଗଞ୍ଜେଇ ଚାଷ କାମ ଛାଡନ୍ତୁ । ପଶୁ ପାଳନଠୁ ନେଇ ଅନେକ କାର୍ଯ୍ୟ ଅଛି । ସରକାରୀ ଯୋଜନା ମଧ୍ୟ ରହିଛି । ସେଥିରେ ସାମିଲ ହେବାକୁ ଅପିଲ୍‌ କରୁଛୁ ।

ଆହୁରି ମଧ୍ୟ ଏସପି ରାହୁଲ ଗୋଏଲ କହିଛନ୍ତି, ଏପରି ବେଆଇନ କାର୍ଯ୍ୟକୁ ବୌଦ୍ଧ ପୋଲିସ ବରଦାସ୍ତ କରିବ ନାହିଁ । ଲୋକଙ୍କୁ ଅପିଲ୍‌ କରିବାକୁ ଚାହିଁବୁ ଗଞ୍ଜେଇ ଚାଷ ଛାଡି, ଛେଳି ଚାଷ, କୁକୁଡା ଚାଷ କରନ୍ତୁ । ଏପରି ବେଆଇନ କାମ କରନ୍ତୁ ନାହିଁ ।

ଏପଟେ ଗତ ତିନି ଦିନ ତଳେ ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ.ବି ଖୁରାନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ଉଭୟ ମାଓ ଦମନ ଓ ଜିଲ୍ଲାରୁ ଗଞ୍ଜେଇକୁ ସମୂଳେ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.