Latest Odisha News

BREAKING NEWS

ମୋ ଝିଅକୁ ମାରିଦେଇଛନ୍ତି; ଝୁଲନ୍ତା ଝିଅକୁ ଦେଖି ବାପା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର : ‘ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଇଛନ୍ତି’। ଜଣେ ବାପାଙ୍କ ଏହା ଦୁଃଖଭରା ବୟାନ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ତାଙ୍କ ବାପା ପଙ୍କଜ ରାଉତ ଏପରି କହିଛନ୍ତି ।

ଝିଅ ସାଇ ସ୍ୱରୂପା ରାଉତ ଗତକାଲି ବିଳମ୍ବିତ ରାତିରେ ନିଖୋଜ ହୋଇଯାଇଥିଲେ । ସେହି ଗ୍ରାମର ସାଗର ବିଶ୍ୱାଳ ୨ମାସ ହେବ ତାକୁ ପିଛା କରୁଥିଲା । ଅନେକ ସମୟରେ ହ୍ଵାଟ୍ସଆପରେ ମେସେଜ ଦେବା ସହ ହଇରାଣ ହରକତ କରୁଥିଲା । ଏନେଇ ପରିବାର ପକ୍ଷରୁ ସାଗରକୁ ତାଗିଦ କରିଥିଲେ ପଙ୍କଜ । ହେଲେ ପ୍ରେମରେ ପାଗଳି ଝିଅ ରାତିରେ ଘରୁ କିଛି ସୁନା ଗହଣା ଓ ଟଙ୍କା ନେଇ ଚାଲିଯାଇଥିବା ପରିବାର ଲୋକେ ଜାଣିଥିଲେ । ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ସନ୍ଧାନ ପାଇନଥିଲେ । ଝିଅ ସ୍କୁଲ ଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଭୋର ସମୟରେ ପୋଲିସଠାରୁ ଖବର ପାଇଥିଲେ। ତାର ମୃତ୍ୟୁକୁ ସନ୍ଦେହ  କରି ବାପା ପଙ୍କଜ କହିଛନ୍ତି ତାକୁ ସାଗର ମିଛ ସତ କହି ମାରିଦେଇଛି ।

ପୋଲିସ ଅନୁସାରେ, ଗତକାଲି ରାତି ପ୍ରାୟ ୩ଟାରେ ପ୍ରେମିକ ସାଗର ୧୧୨ରେ ଫୋନ କରି ଜଣାଇଥିଲାକି ସାଇ ସ୍ଵରୂପା ଓ ତାର ପ୍ରେମ ସମ୍ପର୍କକୁ ପରିବାର ଲୋକେ ବିରୋଧ କରୁଛନ୍ତି । ତେଣୁ ଦୁହେଁ ଆତ୍ମହତ୍ୟା କରିବାକୁ ବାହାରିଛନ୍ତି। ତେବେ ନାବାଳିକା ଜଣକ ପ୍ରଥମେ ରଶି ଲଗାଇ ଝୁଲି ଯିବା ପରେ ଡରିଯାଇଥିଲେ ସାଗର । ୧୧୨ରୁ ବାଲିଚନ୍ଦ୍ରପୁର ଥାନାକୁ ଫୋନ ଆସିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାଗରକୁ କାବୁ କରିଥିଲା। ଏବେ ସାଗରକୁ  ଥାନାରେ ଅଟକ ରଖି ପଚରାଉଚୁରା କରୁଛନି ପୋଲିସ ।

Leave A Reply

Your email address will not be published.