ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’
ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ଓ ମହିଳାଙ୍କୁ ନିର୍ମମ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ଅମାନୁଷିକ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ତାଙ୍କ କଥାରେ, ଓଡ଼ିଶାରେ ଏବେ ଶାସନ ନୁହେଁ, ଗୁଣ୍ଡାରାଜ୍ ଚାଲିଛି।
ସୋସିଆଲ ମିଡିଆ ଜରିଆରେ ନବୀନ ପଟ୍ଟନାୟକ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଡ଼ା ପ୍ରଶ୍ନ ଉଠାଇଛନ୍ତି। ବ୍ରହ୍ମପୁରରେ ଘଟିଥିବା ମରଣାନ୍ତକ ଆକ୍ରମଣ ପରେ ସାରା ଓଡ଼ିଶାବାସୀ ଆତଙ୍କିତ ଓ ବିଚଳିତ ବୋଲି ସେ କହିଛନ୍ତି। ବିଚ୍ ରାସ୍ତାରେ ଯୁବକ ଏବଂ ମହିଳାଙ୍କୁ ଯେପରି ନିର୍ମମ ଭାବେ ମାଡ଼ ମରାଯାଇଛି, ତାହା ରାଜ୍ୟର ଆଇନ କାନୁନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।
ନବୀନ କହିଛନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ଏବେ ସାରା ଦେଶରେ ନିନ୍ଦିତ ହେଉଛି। ଦୁର୍ବୃତ୍ତମାନେ ଭୟଶୂନ୍ୟ ହୋଇ ଅପରାଧ ଘଟାଉଛନ୍ତି। ଲୋକଙ୍କ ସୁରକ୍ଷା ନେଇ ସରକାର ଦାୟିତ୍ୱ ନେବା ପରିବର୍ତ୍ତେ ଉତ୍ସବରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଆହୁରି କଡ଼ା। ସେ କହିଛନ୍ତି, ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଅପରାଧୀମାନେ ଖୋଲାଖୋଲି ଭାବେ ଆକ୍ରମଣ କରୁଛନ୍ତି, ଆଇନକୁ ହାତକୁ ନେଉଛନ୍ତି, କିନ୍ତୁ ପୋଲିସ ପ୍ରଶାସନର ଭୟ ଦେଖାଯାଉନି। “କୁଆଡ଼େ ଗଲା ପୋଲିସ ପ୍ରଶାସନ ଓ ଆଇନ କାନୁନର ବ୍ୟବସ୍ଥା?” ବୋଲି ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି ନବୀନ।
ବ୍ରହ୍ମପୁର ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କ ଏହି ପ୍ରତିକ୍ରିୟା ସରକାରଙ୍କ ଉପରେ ରାଜନୈତିକ ଚାପ ବଢ଼ାଇଛି। ପୂର୍ବରୁ ବାଲିଅନ୍ତା ଘଟଣାକୁ ନେଇ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଥିଲା। ଏବେ ବ୍ରହ୍ମପୁର ଘଟଣା ସେହି ଚର୍ଚ୍ଚାକୁ ଆଉ ତୀବ୍ର କରିଛି। ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାରୁ ବିରୋଧୀ ଶିବିର ସରକାରଙ୍କୁ ଘେରିବାକୁ ମୌକା ପାଇଛି।