Latest Odisha News

BREAKING NEWS

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ ମଧୁସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରିଛନ୍ତି ଯେ, ଆଫ୍ରିକୀୟ ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରି ବିରଳ କୃତିତ୍ୱ ପ୍ରତିଷ୍ଠା କରିଥିବା ବ୍ରହ୍ମପୁରର ମଧୁସ୍ମିତା ପାତ୍ରଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀଦିନରେ ଏହିପରି ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବା ସହ ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବ୍ରହ୍ମପୁରରେ ପହଞ୍ଚିବା ପରେ ସେ କହିଥିଲେ ଯେ, ଆଗାମୀ ଦିନରେ ଏଭେରେଷ୍ଟ ଆରୋହଣ ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆବଶ୍ୟକୀୟ ତାଲିମ୍‌ ଗ୍ରହଣ କରିବି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, କିଲିମାଞ୍ଜରୋ ଆରୋହଣ ପାଇଁ ଗତ ୫ ତାରିଖରେ ବ୍ରହ୍ମପୁରରୁ ବାହାରିଥିଲେ ମଧୁସ୍ମିତା। ୧୦ ତାରିଖରେ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜରୋ ଆରୋହଣରେ ବାହାରିଥିଲେ। ପ୍ରତ୍ୟେକ ଦିନ ପ୍ରାୟ ୫ରୁ ୭ ଘଣ୍ଟା ପାହାଡ଼ ଚଢିଥିଲେ। ଶେଷରେ ୧୩ ତାରିଖ ସକାଳେ ଶିଖରରେ ପହଞ୍ଚିଥିଲେ। ରାତିର ବିଯୁକ୍ତ ତାପମାତ୍ରା ଏବଂ ଅଲଟ୍ଟୀଟ୍ୟୁଟ ପ୍ରେସର ପର୍ବତାରୋହୀଙ୍କ ଉପରେ ପ୍ରଭାବ ପକାଇଥାଏ। ଏହାର ପ୍ରଭାବରେ ମଧୁସ୍ମିତା ମଧ୍ୟ ସାମାନ୍ୟ କ୍ଲାନ୍ତ ଅନୁଭବ କରିଥିଲେ। ତଥାପି ଥକିନଯାଇ ଆଗକୁ ଆଗକୁ ବଢ଼ିବା ପରେ ଏହି ସଫଳତା ମିଳିଥିଲା। କିଳମାଞ୍ଜାରୋ ଶିଖରରେ ପହଞ୍ଚି ନିଜ ଦେଶର ଜାତୀୟ ପତାକାକୁ ଉଡ଼ାଇଥିଲେ। ବେଶ୍‍ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେଶକ୍ୟମ୍ପ ଦେଇ ତଳକୁ ଓହ୍ଲାଇ ଆସିଥିଲେ। ମଧୁସ୍ମିତା ହେଉଛନ୍ତି ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର, ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠା କନ୍ୟା। ସେ ବର୍ତ୍ତମାନ କମ୍ପୁଟର ଇଞ୍ଜିନିୟର ଭାବେ ଚେନ୍ନାଇରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ସେ ଅନ୍ୟ ମହାଦେଶର ଉଚ୍ଚତମ ପାହାଡ଼ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଣ୍ଟ ଆରୋହଣର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଆରୋହଣ କରିଛନ୍ତି।

Leave A Reply

Your email address will not be published.