Latest Odisha News

BREAKING NEWS

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

ଗୁରୁବାର ଏନେଇ ଏକ ଦାବିପତ୍ର ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରାଯାଇଛି । ମଞ୍ଚ ସମସ୍ୟା ନେଇ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବରୁ ଟାଉନ ହଲର ଭଡ଼ା ନାଟକ ପରିବେଷଣ ପାଇଁ ଦୈନିକ ମାତ୍ର ୫ଶହ ଟଙ୍କା ଥିଲା । ବର୍ତ୍ତମାନ ୧୩ ହଜାର ଟଙ୍କାର ଭଡ଼ା ଆଦାୟ କରାଯାଉଛି ।

ବିଭିନ୍ନ ସୂତ୍ରରୁ ଟଙ୍କା ସଂଗ୍ରହ କରି ନାଟକ ଉତ୍ସବ ଆୟୋଜନ କରୁଥିବା ସଂଗଠନଗୁଡ଼ିକ ଏତେ ଟଙ୍କା ଦେଇ ଟାଉନ ହଲ ଭଡ଼ାରେ ନେବାରେ ଆର୍ଥୀକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଭଡ଼ା ଦର ଅନ୍ତତଃ ନାଟକ ଆୟୋଜନ ପାଇଁ ହ୍ରାସ କରିବାକୁ ସେମାନେ ଦାବି କରିଥିଲେ । ଆୟୁକ୍ତ ବୋନ୍ଦର ନାଟକ ଆୟୋଜନ ପାଇଁ ଭଡ଼ା ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷେ ସହରରେ ନାଟକ ଉପଯୋଗୁ ମଞ୍ଚ ନ ଥିବା ଯୋଗୁ ଏଦିଗରେ ପଦକ୍ଷେପ ନେବାକୁ ସଂଗଠନଗୁଡ଼ିକ ତରଫରୁ ଦାବି କରାଯାଇଥିଲା ।

ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଆୟୁକ୍ତ ବୋନ୍ଦର ପ୍ରକାଶ କରିଥିଲେ । ସଂଗଠନଗୁଡ଼ିକ ତରଫରୁ ମେୟରଙ୍କ ଅନୁପସ୍ଥିତିରେ ଡେପୁଟି ମେୟର ଇ.ବିବେକ ରେଡ଼ିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ମଦନ ମିଶ୍ର, ରମେଶ ମହାରଣା, ସତ୍ୟ ମହାରଣା,ଏନ. ରାମବାବୁ, ଲିଙ୍ଗରାଜ ନାହାକ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଇଂ. ମନୋଜ ଦଣ୍ଡପାଟ, ଡ଼.ମିହିର ତ୍ରିପାଠୀ, ରାଜଗୋପାଳ ପାଢ଼ୀ, କୃଷ୍ଣଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ, ସତ୍ୟବ୍ରତ ଦାସ ଏବଂ ସିଏଚ. ଦେବଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.