ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲ୍ରୁ ବିସିଏ ଶେଷ ବର୍ଷର ଛାତ୍ରୀ ସ୍ମୃତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା; ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ ଜେନା ଗିରଫ। ପୋଲିସ ବିଶ୍ୱଜିତଙ୍କୁ ଗୋଳନ୍ଥରା ଥାନାକୁ ଆଣି ଘଟଣା ସମ୍ପର୍କରେ ଘନ ଘନ ପଚରାଉଚୁରା କରିବା ପରେ ଗିରଫ କରିଛି। ବିଶ୍ୱଜିତଙ୍କ ବିରୋଧରେ ସଂଗୀନ ମାମଲା ରୁଜୁ ହୋଇଛି। ମୃତ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ବିଶ୍ୱଜିତ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ଶନିବାର ସକାଳେ କଲେଜ ହଷ୍ଟେଲ ରୁମ୍ ଭିତରୁ ୨୧ ବର୍ଷୀୟା ସ୍ମୃତିଙ୍କ ଶବ ଉଦ୍ଧାର କରାଯାଇଥିଲା। ତେବେ ଏହା ସାଧାରଣ ଆତ୍ମହତ୍ୟା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତ ଛାତ୍ରୀଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ସ୍ମୃତିଙ୍କ ମାମୁଁଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଏକ ଲିଖିତ ଏଫ୍ଆଇଆର୍ ଦାୟର କରାଯିବା ପରେ ପୋଲିସ ବିଶ୍ୱଜିତ ଜେନାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା) ଅଧୀନରେ ମାମଲା ରୁଜୁ କରିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବିଶ୍ୱଜିତ ଓ ସ୍ମୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର କିଛି ଦିନ ହେବ ବିଶ୍ୱଜିତ ଛାତ୍ରୀଙ୍କୁ ବିଭିନ୍ନ ଉପାୟରେ ବାରମ୍ବାର ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଯାହା ଯୋଗୁଁ ସେ ଗଭୀର ମାନସିକ ଚାପରେ ଥିଲେ। ଏପରିକି ପରିବାର ଲୋକେ ହଷ୍ଟେଲରେ ପହଞ୍ଚିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ ଶବକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରିଦେବା ଘଟଣାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍.ଙ୍କ ସୂଚନା ଅନୁଯାୟୀ, ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପୋଲିସ ସ୍ମୃତିଙ୍କ ମୋବାଇଲ୍ ଫୋନ୍, ଲାପଟପ୍ ଜବତ କରିବା ସହ ହଷ୍ଟେଲ ପରିସରର ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି। ଏହା ସହିତ ସ୍ମୃତିଙ୍କ ସହପାଠୀ ଓ ସାଙ୍ଗସାଥୀମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି।
