Latest Odisha News

BREAKING NEWS

ଟ୍ରମ୍ପଙ୍କ ଯୁଦ୍ଧ ଧମକ ପରେ ବିଗିଡ଼ିଲା ସ୍ଥିତି: ଆମେରିକା-ଇରାନ ଶାନ୍ତି ଆଲୋଚନା ଅଧାରୁ ଛାଡ଼ି ପଳାଇଲା ଇରାନର ପ୍ରତିନିଧି ଟିମ୍

ଜେନେଭା: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତାର ଅନ୍ତ ଘଟାଇବା ପାଇଁ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହୋଇଥିବା ହାଇ-ପ୍ରୋଫାଇଲ୍ ଶାନ୍ତି ଆଲୋଚନା ଏକ ବଡ଼ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମରିକ ଆକ୍ରମଣର ଧମକ ପରେ ରାଗିଯାଇଥିବା ଇରାନର ପ୍ରତିନିଧି ଦଳ ବୈଠକ ଅଧାରୁ ବର୍ଜନ କରି ଫେରିଯାଇଛନ୍ତି। ସ୍ୱିଜରଲ୍ୟାଣ୍ଡର ବରଗେନଷ୍ଟକ ରିସୋର୍ଟରେ ପାକିସ୍ତାନ ଓ କତାରର ମଧ୍ୟସ୍ଥତାରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପ୍ରଥମ ପର୍ଯ୍ୟାୟ ମାତ୍ର ୮୦ ମିନିଟ୍ ଚାଲିବା ପରେ ସ୍ଥଗିତ ହୋଇଯାଇଛି।

 

ଇରାନର ସରକାରୀ ଗଣମାଧ୍ୟମ ‘ତସନିମ୍‌’ ଅନୁଯାୟୀ, ଆଲୋଚନା ଆରମ୍ଭ ହେବା ପୂର୍ବରୁ ସେଠାରେ ଏକ ମଧ୍ୟାହ୍ନ ଭୋଜନ ତଥା ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ କରମର୍ଦ୍ଦନ ଓ ମିଳିତ ଫଟୋସେସନର କାର୍ଯ୍ୟକ୍ରମ ଥିଲା। ମାତ୍ର ଇରାନର ମୁଖ୍ୟ ବାର୍ତ୍ତାଳାପକାରୀ ମହମ୍ମଦ ବାଘେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ଏହାକୁ ଆମେରିକାର ଏକ ‘ମିଡିଆ ଶୋ’ ଦର୍ଶାଇ ଏଥିରେ ସାମିଲ ହେବାକୁ ସାଫ୍ ମନା କରିଦେଇଥିଲେ। ଏହାପରେ ବୈଠକ ଆରମ୍ଭ ହୋଇଥିଲେ ସୁଦ୍ଧା ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ଯୋଗୁଁ ଇରାନର ପ୍ରତିନିଧି ଦଳ ଆଲୋଚନା କକ୍ଷ ତ୍ୟାଗ କରିଥିଲେ।

 

ଆଲୋଚନା ଚାଲିଥିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍‌’ରେ ଇରାନକୁ ଏକ ଖୋଲା ଚେତାବନୀ ଦେଇଥିଲେ। ଟ୍ରମ୍ପ ଲେଖିଥିଲେ, “ଇରାନ ତୁରନ୍ତ ଲେବନାନରେ ନିଜର ପ୍ରୋକ୍ସି (ଆଶ୍ରିତ ଆତଙ୍କୀ ସଙ୍ଗଠନ) ହିଜବୁଲ୍ଲାକୁ ଅଶାନ୍ତି ସୃଷ୍ଟି କରିବାରୁ ରୋକିବା ଦରକାର। ଯଦି ସେମାନେ ଏହା ନକରନ୍ତି, ତେବେ ଆମେ ଇରାନ ଉପରେ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିବୁ, ଯେମିତି ଗତ ସପ୍ତାହରେ କରିଥିଲୁ, କିନ୍ତୁ ଏଥର ଆକ୍ରମଣ ଆହୁରି ଭୟଙ୍କର ହେବ।”

 

ଟ୍ରମ୍ପଙ୍କ ଏହି ମିଲିଟାରୀ ଆକ୍ସନ ଧମକ ସାମ୍ନାକୁ ଆସିବା ପରେ ବୈଠକ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ ବାଘେଇ କହିଛନ୍ତି ଯେ, ଆମେରିକା ପକ୍ଷରୁ ଏଭଳି ସାମରିକ ଧମକ ଦିଆଯାଉଥିବା ବେଳେ ଶାନ୍ତି ଆଲୋଚନା ଆଗକୁ ବଢ଼ିପାରିବ ନାହିଁ। ଇରାନ ନିଜର ଆପତ୍ତି ଆମେରିକା ପ୍ରତିନିଧି ଦଳ ନିକଟରେ ଦାଖଲ କରିଛି ଏବଂ ଏହି ମୌଖିକ ଚେତାବନୀର ଉଚିତ ଜବାବ ଦେବା ପାଇଁ ଇରାନ୍ ସେନାକୁ ହାଇ-ଆଲର୍ଟରେ ରଖାଯାଇଛି।

 

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୈଠକରେ ଇରାନର ଜବତ ହୋଇଥିବା ପାଣ୍ଠି ମୁକ୍ତ କରିବା ଏବଂ ତେଲ ରପ୍ତାନି ଉପରୁ ପ୍ରତିବନ୍ଧକ ହଟାଇବା ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେବାର ଥିଲା। ମାତ୍ର ବୈଠକ ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଉପସ୍ଥିତି ସତ୍ତ୍ୱେ ଟ୍ରମ୍ପଙ୍କ ଟ୍ୱିଟ୍ ଉଭୟ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ପୁଣି ଥରେ ବିବାଦ ଘେରକୁ ଟାଣି ଆଣିଛି।

Leave A Reply

Your email address will not be published.