Latest Odisha News

BREAKING NEWS

ସେନାରେ ନିଯୁକ୍ତି ପାଇଁ ମାଗଣାରେ ତାଲିମ୍‌ ଦେଉଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ଯବାନ ସୀମାଞ୍ଚଳ

ବ୍ରହ୍ମପୁର: କଥାରେ କୁହଯାଏ, ଥରେ ଯିଏ ସୈନିକ ସାଜିଲା, ସେ ଶେଷ ନିଶ୍ୱାସ ଯାଏଁ ଜଣେ ସୈନିକ ହୋଇ ରୁହେ । ତାଙ୍କ ପାଇଁ ଛୁଟି ନ ଥାଏ କି ନଥାଏ ଅବସର । ଏକଥାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ବାରିକ। ସେନାରେ ୨୦ ବର୍ଷ ପାଇଁ ଦେଶମାତୃକାର ସେବା କରିବା ପରେ ଅବସର ନେଇଥିଲେ । ଆଉ ଏବେ ସେ ମାଗଣାରେ ଯୁବକ ଯୁବତୀଙ୍କୁ ସେନାରେ ନିଯୁକ୍ତି ପାଇଁ ତାଲିମ୍‌ ଦେଉଛନ୍ତି ।

‘କାଳିଆ ଭାଇନା’ ନାଁରେ ବେଶ୍‌ ପରିଚିତ ସୀମାଞ୍ଚଳ ୟୁଟ୍ୟୁବ୍‌ରେ ଭିଡ଼ିଓ ମାଧ୍ୟମରେ ଫିଟନେସ୍‌ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ରେ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଯାଏ ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ରେ ୮ଲକ୍ଷ ୮୭ହଜାର ଫୋଲର୍ସ ଅଛନ୍ତି।

 

ବ୍ରହ୍ମପୁର ରାମନଗର ବାସିନ୍ଦା ସୀମାଞ୍ଚଳ । ବାପା ପିତାମ୍ବର ଏବଂ ମା’ ଗୁରୁବାରୀଙ୍କ ୬ ସନ୍ତାନ ମଧ୍ୟରେ ପଞ୍ଚମ ହେଉଛନ୍ତି ସୀମାଞ୍ଚଳ । ପିଲାଟି ଦିନରୁ ସେନାରେ ସାମିଲ ହେବା ପାଇଁ ସ୍ୱପ୍ନ ରହିଥିଲା । ସେଥିପାଇଁ କଠିନ ପରିଶ୍ରମ କରିଥିଲେ । ପଡ଼ିଆକୁ ଯାଇ ସୁନ୍ଦର ସ୍ୱାସ୍ଥ୍ୟ ଗଠନ କଲେ । ତାଙ୍କର ଏହି ପରିଶ୍ରମ ଫଳପ୍ରଦ ହେଲା । ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିବା ସମୟରେ ୨୦୦୦ ମସିହାରେ ସେନା ନିଯୁକ୍ତି ପାଇଲେ । ଶାରୀରିକ ପ୍ରଶିକ୍ଷଣ ପାଇଁ ତାଙ୍କର ଆଗ୍ରହ ଥିଲା । ଏଣୁ ସେଥିରେ ସେ ତାଲିମ ଗ୍ରହଣ କଲେ । ପରେ ଶାରୀରିକ ପ୍ରଶିକ୍ଷଣ ବିଶେଷଜ୍ଞ ଭାବେ ହିଁ ସେନାରେ କାର୍ଯ୍ୟ କଲେ ।

ସେନାର କନିଷ୍ଠ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କୁ ବ୍ୟାୟାମ ଏବଂ ଅନ୍ୟାନ୍ୟ ତାଲିମ୍‌ ଦେଉଥିଲେ । ପ୍ରାୟ ୨୦ ବର୍ଷ ପରେ ଗତ ୨୦୨୦ ଜୁଲାଇ ୩୧ ତାରିଖରେ ସେନାରୁ ସେ ନେଲେ ଅବସର । ଚାକିରିରୁ ସିନା ଅବସର ନେଲେ, ହେଲେ ଶରୀରରେ ରହିଯାଇଥିଲା ଜଣେ ସୈନିକର ମନ । ଦିନ ରାତି ସେ ସେନା ବାହିନୀ କଥା ଭାବୁଥିଲେ । ନିଜେ ଅବସର ନେଇଥିଲେ ମଧ୍ୟ ପରବର୍ତ୍ତି ପିଢ଼ୀକୁ ସେନା ବାହିନୀ ପାଇଁ ପ୍ରସ୍ତୁତ କରିବାକୁ ମନସ୍ଥ ହୋଇଥିଲେ । କିଛି ମାସର ଯୋଜନା ପରେ ଆରମ୍ଭ କରିଥିଲେ ‘ବ୍ରହ୍ମପୁର ଫିଜିକାଲ ଏକାଡେମୀ’ ।

ପ୍ରଥମେ ପ୍ରଥମେ ସେ ୟୁଟ୍ୟୁବ୍‌ରେ ଭିଡ଼ିଓ ପୋଷ୍ଟ କରୁଥିଲେ । ସେଥିରେ ବିଶେଷ ଭାବେ ରହୁଥିଲା ଫିଟନେସ୍‌ ସଂପର୍କିତ ଭିଡ଼ିଓ। ମୁଖ୍ୟତଃ ହିନ୍ଦି ଭାଷାରେ ଥିବା ଏହି ଭିଡ଼ିଓଗୁଡ଼ିକରେ ସୀମାଞ୍ଚଳ ଓଜନ ହ୍ରାସ, ବିଭିନ୍ନ ପ୍ରକାର ବ୍ୟାୟାମ ସହିତ ସନ୍ତରଣ ଏବଂ ଅନ୍ୟାନ୍ୟ ବିଷୟରେ ତାଲିମ୍‌ ଦେଉଥିଲେ । ଧିରେ ଧିରେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଫଲୋର୍ସଙ୍କ ସଂଖ୍ୟା ବଢ଼ିଲା । ଭିଡ଼ିଓ ଦେଖିବା ପରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ତାଙ୍କ ପାଖକୁ ତାଲିମ୍‌ ନେବା ପାଇଁ ଆସିଲେ ।

 

ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆ ଏବଂ ମେଡ଼ିକାଲ ପଡ଼ିଆରେ ତାଲିମ୍‌ ଦେବା ଆରମ୍ଭ କଲେ । ବର୍ତ୍ତମାନ ଏହି ବ୍ରହ୍ମପୁର ଫିଜିକାଲ ଏକାଡେମିରେ ଶତାଧିକ ଯୁବକ ଯୁବତୀ ସେନା ବାହିନୀରେ ନିଯୁକ୍ତି ପାଇଁ ତାଲିମ୍‌ ନେଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଏବଂ ବ୍ୟାୟାମ କରିବାକୁ ଆସୁଛନ୍ତି । ସୀମାଞ୍ଚଳଙ୍କ ତାଲିମ୍‌ ପ୍ରଦାନର ଶୈଳୀ ଅନେକଙ୍କୁ ପସନ୍ଦ ଆସିବାରେ ଲାଗିଛି ।

ମାତ୍ର ଗୋଟିଏ ବର୍ଷ ଏବଂ କିଛି ମାସ ଭିତରେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ୮ଲକ୍ଷ ୮୭ହଜାର ରୁ ଅଧିକ ଫଲୋର୍ସ ଅଛନ୍ତି । ଏପିରିକି ଚ୍ୟାନେଲ ଆରମ୍ଭ କରିବାର ମାତ୍ର ତିନି ମାସ ଭିତରେ ଫଲୋର୍ସଙ୍କ ସଂଖ୍ୟା ଏକ ଲକ୍ଷ ହୋଇଯାଇଥିବା ଯୋଗୁ ୟୁଟ୍ୟୁବ୍‌ ତରଫରୁ ସିଲଭର୍‌ ପ୍ଲେ ବଟନ୍‌ ମିଳିଥିଲା । ଭିଡ଼ିଓଗୁଡ଼ିକର ଦର୍ଶକଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ତାଙ୍କ ରୋଜଗାରେ ମଧ୍ୟ ବଢ଼ିଛି । ସୀମାଞ୍ଚଳ ୫୬୦ରୁ ଅଧିକ ଭିଡ଼ିଓ ପୋଷ୍ଟ କରିଛନ୍ତି । ୟୁଟ୍ୟୁବ୍ ପକ୍ଷରୁ ପ୍ରଥମେ ୮ହଜାର ଟଙ୍କା କାଳିଆଙ୍କୁ ମିଳିଥିବା ବେଳେ ବର୍ତମାନ ସେ ମାସକୁ ଲକ୍ଷେ ଟଙ୍କାରୁ ଅଧିକ କମାଉଛନ୍ତି।

ସୀମାଞ୍ଚଳଙ୍କ କହିବାନୁଯାୟୀ, ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ବହୁ ଗରିବ ଶ୍ରେଣୀର ପିଲାମାନେ ସଠିକ୍ ଟ୍ରେନିଂ ପାଇପାରୁନାହାନ୍ତି । ଯାହାଫଳରେ ସେମାନେ ସେନା ବାହିନୀରେ ଯୋଗ ଦେବା ପାଇଁ ଅଯୋଗ୍ୟ ସାବ୍ୟସ୍ତ ହେଉଥିଲେ । ଏଣୁ ୟୁଟ୍ୟୁବ୍ ମାଧ୍ୟମରେ ପିଲାମାନଙ୍କୁ ସଠିକ୍ ଟ୍ରେନିଂ ବିଷୟରେ ଶିଖାଇବା ପାଇଁ ଏହି ଚ୍ୟାନେଲ ଖୋଲିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ସୀମାଞ୍ଚଳଙ୍କ ପାଖକୁ କେବଳ ବ୍ରହ୍ମପୁରର ନୁହେଁ ବରଂ ଗଞ୍ଜାମ ଜିଲା ଏପରିକି ରାଜ୍ୟ ବାହାରୁ ମଧ୍ୟ ପିଲାମାନେ ଆସୁଛନ୍ତି । ପ୍ରତିରକ୍ଷା, ପୁଲିସ, ଓଜନ କମାଇବା, ଯୋଗ ଶିକ୍ଷା ପାଇଁ ତାଲିମ୍‌ ନେଉଛନ୍ତି। ଗରିବ ପିଲାଙ୍କୁ ସେ ମାଗଣା ଟେନିଂ ଦେବା ସହ ସେମାନଙ୍କୁ ଗୋଟିଏ ତାଲିମ୍‌ କିଟ୍‌ ମଧ୍ୟ ଦେଉଛନ୍ତି । ଏଯାଏଁ ତାଙ୍କ ଦ୍ୱାରା ପ୍ରଶିକ୍ଷଣ ନେଉଥିବା ଶତାଧିକ ଯୁବକ ଯୁବତୀ ସେନା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.