ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ପ୍ରଶଂସକଙ୍କ ପାଇଁ ଖୁସୀ ଖବର । ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ୫ ଥର ଚାମ୍ପିୟନ ବ୍ରାଜିଲ ଫୁଟବଲ ଟିମ ଭାରତ ଗସ୍ତରେ ଆସିପାରେ । ରିପୋର୍ଟ ମୁତାବକ ଅକ୍ଟୋବରରେ ବ୍ରାଜିଲ ଫ୍ରେଣ୍ଡଲୀ ମୁକାବିଲା ପାଇଁ କୋଲକାତା ଆସିବା ସମ୍ଭାବନା ରହିଛି । ବ୍ରାଜିଲ ଫୁଟବଲ ଆସୋସିଏଶନ ସହ ଆୟୋଜକ ଯୋଗାଯୋଗ କରୁଛନ୍ତି । ୨୦୨୬ ଫିଫା ବିଶ୍ୱକପ ଅବସରରେ ଏହି ଆଲୋଚନା ଆରମ୍ଭ ହୋଇଥିଲା । ତେବେ ବ୍ରାଜିଲ ସହ ଭାରତୀୟ ଜାତୀୟ ଟିମ କିମ୍ବା ଅନ୍ୟ କୌଣସି ଦଳ ଖେଳିବ ତାହା ସ୍ପଷ୍ଟ ହୋଇନି ।
ସେପ୍ଟମ୍ବର ୨୧ରୁ ୬ ଅକ୍ଟୋବର ମଧ୍ୟରେ ବ୍ରାଜିଲ ଟିମ ୩ଟି ମ୍ୟାଚ ଖେଳିପାରେ । ଅଷ୍ଟ୍ରେଲିଆରେ ୨ଟି ଏବଂ ଭାରତରେ ଗୋଟିଏ ମ୍ୟାଚ ହେବ । କୋଲକାତା ସହ ବ୍ରାଜିଲ ଟିମର ପୂର୍ବ ସମ୍ପର୍କ ରହିଛି । ମୋହନବାଗାନ ଟିମ ସହ ୧୯୭୭ରେ ମହାନ ଫୁଟବଲ ଖେଳାଳି ପେଲେ ଇଡେଗାର୍ଡେନରେ ନ୍ୟୁୟର୍କ କସମସ ପକ୍ଷରୁ ଖେଳିଥିଲେ । ୨୦୧୫ ସେ ପୂନର୍ବାର କୋଲକାତା ଆସିଥିଲେ । ଫିଫା ବିଶ୍ୱକପ ୨୦୨୬ରେ ବ୍ରାଜିଲର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତେବେ ଏହା ସତ୍ୱେ ଏହାର ପ୍ରଶଂସକଙ୍କ ସଂଖ୍ୟା କମି ନାହିଁ । ଭାରତରେ ଅନେକ ବ୍ରାଜିଲ ଏବଂ ଏହାର ଖେଳାଳିଙ୍କ ପ୍ରଶଂସକ ରହିଛନ୍ତି ।