Latest Odisha News

BREAKING NEWS

ଆଉ ସୁନ୍ଦର ଫୁଟବଲ ଖେଳୁନାହିଁ ବ୍ରାଜିଲ 

ନୂଆଦିଲ୍ଲୀ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ବ୍ରାଜିଲ ଉରୁଗୁଏଠାରୁ କ୍ୱାର୍ଟର ଫାଇନାଲରେ ହାରି ବିଦାୟ ନେଇଛି । ବ୍ରାଜିଲ ଫୁଟବଲ ଦଳର ଏଭଳି ନିରାଶାଜନକ ପ୍ରଦର୍ଶନରେ ପ୍ରଶଂସକମାନେ ଆଉ ଆଶ୍ଚର୍ଯ୍ୟ ହେଉନାହାନ୍ତି । ଗତ କିଛି ବର୍ଷ ଧରି ଜାତୀୟ ଦଳ ଲଗାତର ଦୁର୍ବଳ ପ୍ରଦର୍ଶନ କରିଆସୁଛି । ବ୍ରାଜିଲର ଅଲିମ୍ପିକ୍ ଫୁଟବଲ ଟିମ୍ ପ୍ୟାରିସ ପାଇଁ ଯୋଗ୍ୟତା ହାସଲ କରିପାରିନାହିଁ । ୨୦୨୬ ବିଶ୍ୱକପ୍ ପାଇଁ ଦକ୍ଷିଣ ଆମେରିକା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଂଟରେ ଦଳ ସଂଘର୍ଷ କରୁଛି । ଏଥର ଯଦି ଦଳ ୨୦୨୬ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ ନକରେ, ତାହା ହେଲେ ବ୍ରାଜିଲ ଫୁଟବଲ ଇତିହାସରେ ସବୁଠାରୁ କଳା ଅଧ୍ୟାୟ ହେବ ।

୨୦୨୨ କାତାର ବିଶ୍ୱକପରେ ବ୍ରାଜିଲ କ୍ୱାର୍ଟରରେ କ୍ରୋଏସିଆଠାରୁ ହାରଥିଲା । ଶେଷଥର ପାଇଁ ୨୦୦୨ରେ ବିଶ୍ୱକପ୍ ଫୁଟବଲ ଚାମ୍ପିଅନ ହୋଇଥିଲା ବ୍ରାଜିଲ । ୨୦୧୪ରେ ନିଜ ମାଟିରେ ଆୟୋଜିତ ଫୁଟବଲ ବିଶ୍ୱକପରେ ବ୍ରାଜିଲ ସେମିଫାଇନାରେ ଜର୍ମାନୀଠାରୁ ୧-୭ ଗୋଲରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା ।

ପେଲେଙ୍କ ପରି ସର୍ବକାଳୀନ ମହାନ ଫୁଟବଲର ସୃଷ୍ଟି କରିଥିବା ଓ ୫ ଥରର ବିଶ୍ୱକପ୍ ଚାମ୍ପିଅନ ହୋଇଥିବା ବ୍ରାଜିଲର ଚମକ ଫିକା ପଡିବାରେ ଲାଗିଛି । ଆଉ ସୁନ୍ଦର ଖେଳ (ବୋନୋ ଜୋଗିତୋ)ଖେଳିପାରୁନାହିଁ ବ୍ରାଜିଲ । ବ୍ରାଜିଲର ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିିଛି । ବିଂଶ ଶତାବ୍ଦୀର ନବେ ଦଶକରେ ରୋମାରିଓ, ରବର୍ଟୋ କାର୍ଲୋସ,ରୋନାଲ୍‌ଡୋ, ରୋନାଲଡିନୋ, ରିଭାଲଡୋ, କାକା ଓ ଡୁଙ୍ଗାଙ୍କ ପରି ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଖେଳାଳି ବ୍ରାଜିଲ ଫୁଟବଲକୁ ସମୃଦ୍ଧ କରିଥିଲେ । କିନ୍ତୁ ଏବେ ସେମାନଙ୍କ ଭଳି ପ୍ରତିଭାଙ୍କ ଅଭାବ ଦେଖାଦେଇଛି, ଯାହା କି ଜାତୀୟ ଫୁଟବଲ ଦଳର ଦୁର୍ବଳ ପ୍ରଦର୍ଶନରେ ପ୍ରତିଫଳିତ ହେଉଛି । ନେମାରଙ୍କ ଭଳି କିଛି ଖେଳାଳି ଅଛନ୍ତି ସତ, କିନ୍ତୁ ସେମାନଙ୍କର ପ୍ରଦର୍ଶନ ସନ୍ତୋଷଜନକ ବୋଲି ମଧ୍ୟ କହିହେବ ନାହିଁ ବୋଲି କ୍ରୀଡା ସମୀକ୍ଷକମାନେ କହନ୍ତି ।

ବ୍ରାଜିଲର ଫୁଟବଲର ଗୁଣାତ୍ମକ ମାନ ହ୍ରାସ ପାଇଥିବା ଅନେକ ପୂୂର୍ବତନ ଖେଳାଳି ଓ କୋଚ୍ ସ୍ୱୀକାର କରିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଆଗଭଳି ବ୍ରାଜିଲ ଆଉ ଉଚ୍ଚକୋଟୀର ଫୁଟବଲ୍ ଖେଳୁନାହିଁ ।ବ୍ରାଜିଲରେ ଅଣଓସାରିଆ ସାହିଗଳି ଓ ସମୁଦ୍ରତଟରେ ଫୁଟବଲ ଶିଖି ବହୁ ତାରକା ସୃଷ୍ଟି ହୋଇଛନ୍ତି । ଆଜିକାଲି ସାହିଗଳିରେ ପିଲାଙ୍କ ଖେଳିବା ପାଇଁ ଜାଗାର ଅଭାବ ରହିଛି । ଫୁଟବଲ ଏକାଡେମୀରେ ଭର୍ତ୍ତି ହୋଇ ଖେଳର କଳାକୌଶଳ ଶିଖିବା ପାଇଁ ଅନେକ ପିଲାଙ୍କ ପାଖରେ ପଇସା ନଥାଏ ।

କିନ୍ତୁ ବ୍ରାଜିଲରେ ଫୁଟବଲ ପ୍ରତିଭାଙ୍କ ଅଭାବ ନାହିଁ ବୋଲି ଅନେକ କହନ୍ତି । ୟୁରୋପର ବିଭିନ୍ନ ଅଗ୍ରଣୀ ପେଷାଦାର ଫୁଟବଲ୍ ଲିଗରେ ଆଗଧାଡିର କ୍ଲବଗୁଡିକ ପାଇଁ ଅନେକ ବ୍ରାଜିଲ ଖେଳାଳି ଖେଳୁଛନ୍ତି । ସେଠାରେ ସେମାନେ ୟୁରୋପୀୟ ଶୈଳୀରେ ଖେଳୁଛନ୍ତି । ଜାତୀୟ ଦଳରେ ଖେଳିବା ବେଳେ ବ୍ରାଜିଲୀୟ ଶୈଳୀ ଆପଣାଇବାକୁ ସେମାନଙ୍କୁ କଷ୍ଟ ହୋଇଥାଏ ବୋଲି ବିଶେଷଜ୍ଞମାନେ କହନ୍ତି । ବହୁ ସଂଖ୍ୟାରେ ପ୍ରତିଭାବାନ ଖେଳାଳି ମୋଟା ଅଙ୍କର ଅର୍ଥ ପ୍ରତି ଆକର୍ଷିତ ହୋଇ ୟୁରୋପରେ ଫୁଟବଲ ଖେଳନ୍ତି । ବ୍ରାଜିଲର ନିଜସ୍ୱ ଫୁଟବଲ ଲିଗ୍ ମଧ୍ୟ ଆକର୍ଷଣ ହରାଇ ବସିଛି । ବହୁ ସଂଖ୍ୟାରେ ବ୍ରାଜିଲୀୟ ପ୍ରତିଭାଙ୍କ ସ୍ଥାନାନ୍ତରଣ ବ୍ରାଜିଲୀୟ ଫୁଟବଲର ଅବନ୍ନତିର ପ୍ରମୁଖ କାରଣ । ତେବେ ସମସ୍ତେ ଏ ନେଇ ବିଶେଷ ଚିନ୍ତିତ ନୁହଁନ୍ତି । ସେମାନେ କହନ୍ତି ଯେ, ବ୍ରାଜିଲୀୟ ଫୁଟବଲର ଖରାପ ସମୟ କେବଳ ସାମୟିକ । ଏବେ ମଧ୍ୟ ବ୍ରାଜିଲ ଫୁଟବଲର ଦେଶ ହୋଇ ରହିିଛି ।

Comments are closed.