Latest Odisha News

BREAKING NEWS

ବ୍ରିକ୍ସ Vs ପଶ୍ଚିମ ଦେଶ…ହେବ କି ଶୀତଳ ଯୁଦ୍ଧ?

ନୂଆଦିଲ୍ଲୀ: ବିକାଶଶୀଳ ଅର୍ଥବ୍ୟବସ୍ଥାର ମଞ୍ଚ ବ୍ରିକ୍ସ । ବିଶ୍ବ ଅର୍ଥବ୍ୟବସ୍ଥାର ୪୧ପ୍ରତିଶତ ଅଂଶ ରହିଥିବା ବ୍ରିକ୍ସରେ ବ୍ରାଜିଲ, ଚୀନ୍, ଭାରତ ସହ ୧୦ଟି ବିକାଶଶୀଳ ଦେଶ ସଦସ୍ୟ ରହିଛନ୍ତି । ସେପଟେ ପଶ୍ଚିମ ଦେଶର ନେତୃତ୍ବ ନେଉଛନ୍ତି ଆମେରିକା ଓ ନାଟୋ । ଏହା ମୁଖ୍ୟ ରୂପରେ ସେନା ଓ ଆର୍ଥିକ ଶକ୍ତିର କେନ୍ଦ୍ର ରହିଛି । ନିକଟରେ ନାଟୋର ମହାସଚିବ ମାର୍କ ରୁଟ ଋଷ ସହ ବାଣିଜ୍ୟ ବନ୍ଦ କରିବାକୁ ଭାରତ, ଚୀନ ଓ ବ୍ରାଜିଲକୁ ଚେତାବନୀ ଦେଇଛନ୍ତି । ନହେଲେ ଶହେ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ଏହାପରେ ପ୍ରଶ୍ନ ଉଠୁଛି, ବ୍ରିକ୍ସ ଓ ପଶ୍ଚିମ ଦେଶ ମଧ୍ୟରେ ଆରମ୍ଭ ହେବ କି ନୂଆ ଶୀତଳ ଯୁଦ୍ଧ?

ଶୀତଳ ଯୁଦ୍ଧ କ’ଣ?

ସିଧାସଳଖ ଯୁଦ୍ଧ ନହୋଇ ଦେଶ ବା ଦେଶ ସମୂହ ମଧ୍ୟରେ ଉତ୍ତେଜନା, ଆର୍ଥିକ ଓ ସାମରିକ ଚାପ ସୃଷ୍ଟି କରିବାକୁ ଶୀତଳ ଯୁଦ୍ଧ କୁହାଯାଏ । ୧୯୪୫ରୁ ୧୯୯୧ ପର୍ଯ୍ୟନ୍ତ ଆମେରିକା ଓ ସୋଭିଏତ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା । ଏହି ସମୟରେ ଉଭୟ ପକ୍ଷ ଅସ୍ତ୍ରଶସ୍ତ୍ର ଜମା କରିବା ସହ ଗୁପ୍ତଚରୀ ଓ ଆର୍ଥିକ କଟକଣା ଦ୍ବାରା ପରସ୍ପରକୁ ଦୁର୍ବଳ କରିବାକୁ ଉଦ୍ୟମ କରିଥିଲେ । ଏବେ ବ୍ରିକ୍ସ ଓ ପଶ୍ଚିମ ଦେଶ ମଧ୍ୟରେ ଉତ୍ତେଜନା ବଢିଥିବା ବେଳେ ଶୀତଳ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହା ଆର୍ଥିକ ଓ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଧାରିତ ।

କାହିଁକି ବ୍ରିକ୍ସ ଓ ପଶ୍ଚିମ ଦେଶ ମୁହାଁମୁହିଁ?

ବିଶ୍ବର ଦକ୍ଷିଣ ଦେଶଗୁଡିକୁ ମଜବୁତ ସ୍ବର ଦେବା ବ୍ରିକ୍ସର ଲକ୍ଷ୍ୟ । ଗତ ୬ରୁ୭ ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ରିଓ ଡି ଜନେରୋରେ ହୋଇଥିବା ୧୭ତମ ବ୍ରିକ୍ସ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆମେରିକା ଡଲାର ଉପରେ ନିର୍ଭରଶୀଳତା କମ୍ କରିବା ସହ ନୂଆ ବ୍ରିକ୍ସ ମୁଦ୍ରା ବନାଇବାକୁ କହୁଛନ୍ତି ବ୍ରିକ୍ସ ଦେଶ । ଏଭଳି ହେଲେ ବିଶ୍ବରେ ଡଲାରର ସୁପ୍ରିମାସିକୁ ଚ୍ୟାଲେଞ୍ଜ ସୃଷ୍ଟି ହେବ । ସେହିପରି ଆମେରିକାର ଟାରିଫ ଓ ଇସ୍ରାଏଲ୍-ଇରାନ ଯୁଦ୍ଧକୁ ବ୍ରିକ୍ସ ନିନ୍ଦା କରିଛି । ଏହାସହ ଜାତିସଂଘ ଓ ବିଶ୍ବବ୍ୟାଙ୍କ ପରି ପ୍ଲାଟଫର୍ମରେ ଭାରତ ଓ ବ୍ରାଜିଲର ବଡ଼ ଭୂମିକା ପାଇଁ ଦାବି କରାଯାଇଛି । ଏହାପରେ ବ୍ରିକ୍ସ ଆର୍ଥିକ ଓ ରାଜନୈତିକ ଶକ୍ତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଆମେରିକା ମନେ କରୁଛି । ତେଣୁ ବ୍ରିକ୍ସକୁ ଆମେରିକା ବିରୋଧୀ କହିବା ସହ ୧୦ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ସେହିପରି ଋଷ ସହ ବାଣିଜ୍ୟ କଲେ ଅର୍ଥନୈତିକ କଟକଣାର ସାମନା କରିବାକୁ ଭାରତ, ଚୀନ୍ ଓ ବ୍ରାଜିଲକୁ ଚେତାବନୀ ଦେଇଛନ୍ତି ନାଟୋ ମହାସଚିବ ମାର୍କ ରୁଟ୍ ।

ଧମକର ପଡିବ କେତେ ପ୍ରଭାବ?

ଋଷ ସହ ଭାରତର ସଂପର୍କ ପୁରୁଣା । ଭାରତ ଋଷଠାରୁ ଶସ୍ତାରେ ତେଲ କିଣୁଛି, ଯାହା ଦେଶର ଅର୍ଥବ୍ୟବସ୍ଥା ପାଇଁ ଜରୁରୀ । ତେବେ ଯଦି ଆମେରିକା ଶହେ ପ୍ରତିଶତ ଟାରିଫ ଲଗାଏ, ତେବେ କ୍ଷତି ସହିବ ଭାରତ । ଭାରତ ବ୍ରିକ୍ସର ସକ୍ରିୟ ସଦସ୍ୟ ହୋଇଥିଲେ ମଧ୍ୟ ଆମେରିକା ଓ କ୍ବାଡ୍ ଦେଶ ସହ ଭଲ ସଂପର୍କ ରଖିବାକୁ ଚାହୁଁଛି । ସେପଟେ ଚୀନ ଋଷର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ । ୟୁକ୍ରେନ୍ ସହ ଯୁଦ୍ଧ ବେଳେ ଚୀନ୍ ଋଷକୁ ପରୋକ୍ଷ ସହାୟତା ଦେଇଛି । ଆମେରିକାର ଟାରିଫ ଯୋଗୁଁ ଚୀନ୍ ଅର୍ଥବ୍ୟବସ୍ଥାକୁ ଝଟକା ଲାଗିପାରେ । ତେବେ ପଶ୍ଚିମ ଦେଶ ବିରୋଧରେ ବ୍ରିକ୍ସକୁ ଏକ ଅସ୍ତ୍ର ଭାବେ ଦେଖୁଛି ଡ୍ରାଗନ । ବ୍ରିକ୍ସକୁ ନିରପେକ୍ଷ ଆନ୍ଦୋଳନ ଭାବେ ଦେଖାଇ ଆସିଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ବ୍ରାଜିଲକୁ ପୂର୍ବରୁ ହିଁ ୫୦ପ୍ରତିଶତ ଟାରିଫ ଧମକ ଦେଇସାରିଛି ଆମେରିକା । ନାଟୋର ଚେତାବନୀ ଯୋଗୁଁ ବ୍ରାଜିଲର ତେଲ ଓ କୃଷି ରପ୍ତାନୀ ପ୍ରଭାବିତ ହୋଇପାରେ । ଯଦିଓ ବ୍ରାଜିଲ ବ୍ରିକ୍ସକୁ ବିଶ୍ବର ଦକ୍ଷିଣ ଦେଶ ସ୍ବର ବନାଇବାକୁ ଚାହୁଁଛି, ତେବେ ଆମେରିକା ସହ ଟକ୍କର ଚାହୁଁନି ।

ଆମେରିକା ଓ ନାଟୋର ଟାରିଫ ବ୍ରିକ୍ସ ଦେଶଙ୍କୁ ଆର୍ଥିକ କ୍ଷତିରେ ପକାଇବାକୁ ଉଦ୍ୟମ କରୁଛନ୍ତି । ପୂର୍ବ ଶୀତଳ ଯୁଦ୍ଧଠୁ ଏହା ଭିନ୍ନ । କାରଣ ମୁକାବିଲା କେବଳ ଆର୍ଥିକ ଓ କୁଟନୈତିକ ସ୍ତରରେ ହେଉଛି । ଯଦି ବ୍ରିକ୍ସ ନିଜ ମୁଦ୍ରା କିମ୍ବା ବିକଳ୍ପ ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରେ ତେବେ ଉତ୍ତେଜନା ବଢିପାରେ । ତେବେ ଭାରତ ସନ୍ତୁଳିତ ନୀତିରେ ବିଶ୍ବାସ କରେ । ନା ଭାରତ ସଂପୂର୍ଣ୍ଣ ଭାବେ ପଶ୍ଚିମ ଦେଶଙ୍କ ସହ ରହିଛି, ନା ବିରୋଧରେ । ଭାରତ ଋଷଠାରୁ ଶସ୍ତା ତେଲ କିଣିବା ସହ ନିଜ ସ୍ବତନ୍ତ୍ର ବିଦେଶ ନୀତି ବଳରେ ଆମେରିକା ଓ ନାଟୋ ସହ ଭଲ ସଂପର୍କ ରଖିବାକୁ ଚାହିଁବ ।

Comments are closed.