ଦିଲ୍ଲୀ: ଭାରତରେ ରହିଛି ଅନେକ ଧାର୍ମିକ ସ୍ଥଳ । ମାତ୍ର ଆପଣମାନେ କେବେ ଶୁଣିଛନ୍ତି କି ଏମିତି ବି ଏକ ମନ୍ଦିର ଅଛି , ଯେଉଁଠାକୁ ଭାଈ ଭଉଣୀ କେବେ ଏକାଠି ଯିବା ଉଚିତ୍ ନୁହେଁ । ଏହି ମନ୍ଦିର ସହିତ ଜଡିତ କେତେକ ଧାର୍ମିକ ବିଶ୍ବାସ ଏବଂ କାହାଣୀ ରହିଛି । ଆସନ୍ତୁ ଜାଣିବା । ଛତିଶଗଡରେ ରହିଛି ଏହି ମନ୍ଦିର । ଯେଉଁଠାରେ ଭାଈ ଓ ଭଉଣୀକୁ ଏକାଠି ପ୍ରବେଶ କରିବାକୁ ଅନୁମତି ନାହିଁ । ରାଜ୍ୟର ବାଲୋଦାବାଜରର କସଡୋଲ ନିକଟ ନାରାୟଣପୁର ଗାଁରେ ଅବସ୍ଥିତ ଏହି ମନ୍ଦିର ନାରାୟଣପୁରର ଶିବ ମନ୍ଦିର ଭାବରେ ପ୍ରସିଦ୍ଧ । ଏହି ମନ୍ଦିର ୭ରୁ ୮ ଶତାଦ୍ଦୀ ମଧ୍ୟରେ କଲାଚୁରୀ ଶାସକ ମାନଙ୍କ ଦ୍ବାରା ନିର୍ମିତ ହୋଇଥିଲା । ଏହି ମନ୍ଦିର ଲାଲ-କଳା ବାଲୁକା ପଥରରେ ନିର୍ମିତ । ମନ୍ଦିରର ସ୍ତମ୍ଭ ଉପରେ ଅନେକ ସୁନ୍ଦର ଚିତ୍ର ନିର୍ମିତ । ମନ୍ଦିରର ଏକ ଛୋଟ ସଂଗ୍ରହାଳୟ ରହିଛି । ଯେଉଁଠାରେ ଖନନରୁ ମିଳିଥିବା ମୂର୍ତ୍ତି ଗୁଡିକ ରଖାଯାଏ ।
ଏହା ହେଉଛି ଏକମାତ୍ର ମନ୍ଦିର , ଯେଉଁଠାରେ ଭାଈ ଓ ଭଉଣୀଙ୍କୁ ଏକାଠି ଯିବାକୁ ବାରଣ କରାଯାଇଛି । ଏହା ପଛରେ ଏକ କାହାଣୀ ରହିଛି । ରାତିରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଥିଲା । ୬ ମାସ ମଧ୍ୟରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଥିଲା । ମନ୍ଦିରଟି ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ । ଶିଳ୍ପୀ ନାରାୟଣ ରାତିରେ ଉଲଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ । ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ନାରାୟଣଙ୍କ ପତ୍ନୀ ତାଙ୍କୁ ଖାଦ୍ୟ ଦେବା ପାଇଁ ଆସୁଥିଲେ । କିନ୍ତୁ ଦିନେ ସନ୍ଧ୍ୟାରେ ନାରାୟଣଙ୍କ ପତ୍ନୀଙ୍କ ବଦଳରେ ଭଉଣୀ ଖାଦ୍ୟ ଦେବାକୁ ନିର୍ମାଣ ସ୍ଥାନକୁ ଆସିଥିଲେ । ସେହି ସମୟରେ ତାଙ୍କ ଭଉଣୀ ଶିଳ୍ପୀ ନାରାୟଣଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିଦେଇଥିଲେ । ଫଳରେ ନାରାୟଣ ଲଜ୍ଜିତ ଅନୁଭବ କରି ମନ୍ଦିରର ଶିଖରରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି କାରଣରୁ ଭାଈ ଓ ଭଉଣୀ ଏହି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ।
Comments are closed.