Latest Odisha News

କଂଗ୍ରେସ କୁ କେସିଆରଙ୍କ ଟାର୍ଗେଟ; କହିଲେ, ‘ତେଲେଙ୍ଗାନାରେ ଖୁବଶୀଘ୍ର ପୁଣି ସରକାର ଗଢିବୁ’

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ତେଲେଙ୍ଗାନାରେ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ବିଦ୍ୟୁତ ଯୋଗାଣ, ମଦ ଦୁର୍ନୀତି ଭଳି ପ୍ରସଙ୍ଗରେ ସେ କଂଗ୍ରେସର ରେଭନ୍ତ ରେଡ୍ଡୀ ସରକାରଙ୍କ କାର୍ଯ୍ୟକାଳ ଉପରେ କଡା ଆକ୍ଷେପ କରିଛନ୍ତି ।

କେସିଆର କହିଛନ୍ତି ଯେ, ବିକାଶର ଅନେକ ପ୍ରସଙ୍ଗରେ କଂଗ୍ରେସ ସରକାର ସମ୍ପୂର୍ଣ୍ଣ ବିଫଳତା ପ୍ରମାଣିତ କରିଛନ୍ତି । ସେ ଆହୁରି ମଧ୍ୟ କାଲେଶ୍ୱରାମ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ କୃଷକଙ୍କ କ୍ଷେତ ଶୁଖି ଯାଇଛି । ଯଦି କଂଗ୍ରେସ ସରକାର କାଲେଶ୍ୱରାମ ପ୍ରକଳ୍ପ ମରାମତି ନକରନ୍ତି ତେବେ ସେ ନିଜେ ଏହି କାମ କରିବେ ।

କେସିଆର କହିଛନ୍ତି ଯେ, ଯେତବେଳେ ତାଙ୍କ ସରକାର ସତ୍ତାରେ ଥିଲା ସେହି ସମୟରେ ସମାଜର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଅନେକ ଯୋଜନା ଆଣିକି ଆସିଥିଲେ । ଏହା ସହିତ ସେ କଂଗ୍ରେସ ଉପରେ ମିଛ ପ୍ରତିଶୃତି ଦେବାର ଆରୋପ ଲଗାଇଛନ୍ତି । କେସିଆର ଦୃଢୋକ୍ତିର ସହ କହିଛନ୍ତି ଯେ, ତାଙ୍କ ସରକାର ପୁଣି କ୍ଷମତାକୁ ନିଶ୍ଚୟ ଫେରିବ । ତାଙ୍କ ଦଳର ୩୯ ଜଣ ବିଧାୟକ ବିଜୟ ହାସଲ କରିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେସିଆର କହିଛନ୍ତି ଯେ, ଏହା ଫର୍ଜି ଅଟେ । ଦିଲ୍ଲୀ ମଦ ଦୁର୍ନୀତି ଦିଲ୍ଲୀ ସରକାରଙ୍କ ସହ ଜଡିତ । ସବୁ ସରକାରଙ୍କର ଗୋଟେ ଗୋଟେ ନୀତି ଥାଏ । ତାଙ୍କ ଝିଅ କେ କବିତାଙ୍କର ଏଥିରେ କୌଣସି ପ୍ରକାର ହାତ ନାହିଁ । ସେ ଚମକୁଥିବା ମୋତି ପରି ସାମ୍ନାକୁ ଆସିବେ । କବିତାଙ୍କୁ ଇଡି ପଚରା ଉଚରା ଜାରି ରଖିଛି ସତ କିନ୍ତୁ ଏଯାବତ୍ ଏହି ଘଟଣାରେ ଏକ ଟଙ୍କା ବି ଆଦାୟ ହୋଇପାରିନାହିଁ ବୋଲି କେସିଆର ଦାବି କରିଛନ୍ତି ।

Leave A Reply

Your email address will not be published.