ଶ୍ରୀନଗର: ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସାଁ ପାକିସ୍ତାନରୁ ଫେରିଛନ୍ତି । ଭାରତ ମଧ୍ୟ ଯବାନଙ୍କ ବଦଳରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ଫେରାଇ ଦେଇଛି । ଯବାନ ପିକେ ସାଁଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ସେ ଅଟାରୀ ସୀମାରୁ ଫେରି ଆସିଛନ୍ତି । ତେବେ ବିଏସଏଫ୍ ଯବାନ ଭୁଲବଶତଃ ସୀମା ପାର କରିଦେଇଥିଲେ । ଏହା ପରେ, ଭାରତ ଜଣେ ରେଞ୍ଜର୍ସ ସୈନିକଙ୍କୁ ମଧ୍ୟ ବନ୍ଦୀ କରିଥିଲା । ତଥାପି, ଏବେ ଉଭୟ ଦେଶ ଯବାନ ଏବଂ ରେଞ୍ଜର୍ସ ଅଦଳବଦଳ କରିଛନ୍ତି । ଜବାନ ଏବଂ ରେଞ୍ଜର୍ସଙ୍କ ମଧ୍ୟରେ ଆଦାନପ୍ରଦାନ ପାଇଁ ଆଲୋଚନା ସକାଳ ୧୦ଟା ୩୦ ରେ ଅଟାରୀ ସୀମାରେ ହୋଇଥିଲା ।
ଯବାନ ଭାରତ ଫେରିବା ବିଷୟରେ ବିଏସଏଫ୍ ସୂଚନା ଦେଇଛି । ବିଏସଏଫ୍ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ, ଆଜି ବିଏସଏଫ ଯବାନ ପିକେ ସାଁ ଫେରିଛନ୍ତି । ସେ ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିଲେ । ସକାଳ ପ୍ରାୟ ୧୦ଟା ୩୦ ସମୟରେ ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଜବାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ବିଏସଏଫ ଏହା ମଧ୍ୟ କହିଛି ଯେ ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଥିଲା ।
ଫିରୋଜପୁରର ପାକିସ୍ତାନ ସୀମାରୁ ପାକ୍ ରେଞ୍ଜର୍ସ ଦ୍ୱାରା ଭାରତୀୟ ସୈନିକଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ, ରାଜସ୍ଥାନର ଭାରତୀୟ ସୀମା ନିକଟରେ ବିଏସଏଫ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଧରିଥିଲା । ସୈନିକଙ୍କ ବଦଳରେ ଭାରତ ପାକ୍ ରେଞ୍ଜରକୁ ମଧ୍ୟ ପାକିସ୍ତାନକୁ ହସ୍ତାନ୍ତର କରିଛି ।
ପୂର୍ଣ୍ଣମ କୁମାରଙ୍କ ପତ୍ନୀ ରଜନୀ ଆଶା ପ୍ରକାଶ କରିଥିଲେ ଯେ ଡିଜିଏମଓଙ୍କ ସହ ଆଲୋଚନାରେ ପୂର୍ଣ୍ଣମ କୁମାରଙ୍କ ପ୍ରସଙ୍ଗ ଉଠାଇବେ । ସେ କହିଥିଲେ, ‘ଯେତେବେଳେ ଭାରତୀୟ ସେନା ମେ 3 ତାରିଖରେ ରାଜସ୍ଥାନରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଥିଲା, ସେତେବେଳେ ଲାଗୁଥିଲା ଯେ ହୁଏତ ମୋ ସ୍ୱାମୀଙ୍କୁ ମଧ୍ୟ ମୁକ୍ତ କରାଯିବ ଆଉ ତାହା ଆଜି ସଫଳ ହୋଇଛି’ ।
Comments are closed.