Latest Odisha News

BREAKING NEWS

ଯୋଗୀଙ୍କୁ ମାତ ଦେବାକୁ ଏକାଠି ହେବେ ହାତୀ ହାତ!

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ନେଇ ଏବେ ରାଜନୈତିକ ଅଙ୍କକଷା ଅଧିକ ଦେଖିବାକୁ ମିଳୁଛି। ୟୁପିର ରାଜନୈତିକ ଚିତ୍ର କଣ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।

ୟୁପିରେ ବିଜେପିକୁ ଚେକ ଦେବା ପାଇଁ ସମାଜବାଦୀ ପାର୍ଟି ଶକ୍ତି ସାଉଁଟୁ ଥିବା ବେଳେ କଂଗ୍ରେସ ମଧ୍ୟ ଭିନ୍ନ କିଛି କରିବାକୁ ଯୋଜନା କରୁଛି। ସେପଟେ ବିଏସପିର ଆଭିମୁଖ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦଳର ନେତା କଂଗ୍ରେସ ନେତାଙ୍କୁ ଭେଟିଛନ୍ତି।

ବିଏସପିର ବରିଷ୍ଠ ନେତା ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କୁ ଭେଟିଥିବା କୁହାଯାଉଛି। ଯାହାକୁ ନେଇ ଆଗାମୀ ଦିନରେ ବିଏସପି କଂଗ୍ରେସ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ୟୁପିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ବିଏସପି ନେତା କଂଗ୍ରେସ ନେତାଙ୍କୁ ଭେଟିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନର ବିଧାନସଭା ନିର୍ବାଚନ ଓ ୟୁପିର ଆଗାମୀ ଲୋକସଭା ନିର୍ବାଚନରେ ଦଳ କଂଗ୍ରେସ ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

କିଛି ଦିନ ପୂର୍ବେ କଂଗ୍ରେସ ଜାତୀୟ ସମ୍ପାଦକ ଏସ ଏ ସମ୍ପଥ କୁମାର ଓ ବିଏସପିର ତେଲେଙ୍ଗାନା ରାଜ୍ୟ ସଭାପତି ପ୍ରବୀଣ କୁମାରଙ୍କ ମଧ୍ୟରେ ବୈଠକ ହୋଇଥିଲା। ୨୩ ତାରିଖରେ ବିରୋଧୀ ଏକତା ବୈଠକ ଅଛି। ତେଣୁ ଏସବୁ ଦୃଷ୍ଟିକୋଣରୁ ବିଏସପି ନେତା ଓ କଂଗ୍ରେସ ନେତାଙ୍କ ଦିଲ୍ଲୀ ଭେଟଘାଟ ବେଶ ଚର୍ଚ୍ଚାର କାରଣ ସାଜିଛି।

ୟୁପିରେ ସମାନ ସିଟ ସେୟରିଂରେ ବିଏସପି ଓ କଂଗ୍ରେସ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି। ଏ ସମ୍ପର୍କରେ ବହୁ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ୟୁପିରେ ଉଭୟ କଂଗ୍ରେସ ଓ ବିଏସପିର ସ୍ଥିତି ଏବେ ଦୁର୍ବଳ ରହିଛି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୟୁପିରେ ମାତ୍ର ଦୁଇଟି ସିଟ ଜିତିବାକୁ ସକ୍ଷମ ହୋଇଥିବା ବେଳେ ବିଏସପି ମାତ୍ର ଗୋଟିଏ ସିଟ ଜିତିବାକୁ ସକ୍ଷମ ହୋଇଥିଲା।

ସେହିଭଳି ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ କରି ୧୦ ଟି ସିଟ ଜିତିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଏଥର ସମୀକରଣ କଣ ହେଉଛି ତା ଉପରେ ସାରା ଦେଶର ନଜର ରହିଛି।

Leave A Reply

Your email address will not be published.