ନୂଆଦିଲ୍ଲୀ: ୧ ଫେବୃଆରୀରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେନ୍ଦ୍ରୀୟ ବଜେଟରେ ମଧ୍ୟବିତ୍ତ ବର୍ଗ ଏବଂ ସାଧାରଣ ଜନତାଙ୍କ ପାଇଁ କ’ଣ ପରିବର୍ତ୍ତନ କରାଯାଇଛି।
ବଜେଟରେ ମଧ୍ୟବିତ୍ତ ବର୍ଗ ଏବଂ ସାଧାରଣ ଜନତାଙ୍କ ପାଇଁ ଟିକସ ସ୍ଲାବରେ କୌଣସି ବଡ଼ ପରିବର୍ତ୍ତନ କରାନଯାଇଥିଲେ ମଧ୍ୟ ଅନେକ ବ୍ୟବସ୍ଥା ଏବଂ ଆଶ୍ୱସ୍ତି ମିଳିଥିବା କୁହାଯାଉଛି। ଯାହାକି ବେତନଭୋଗୀ କରଦାତା, କ୍ଷୁଦ୍ର ନିବେଶକ ଏବଂ ସାଧାରଣ ଲୋକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ।
ଏହି ବଜେଟରେ ଆୟକର ସ୍ଲାବରେ କୌଣସି ସଂଶୋଧନ କରାଯାଇ ନାହିଁ କିନ୍ତୁ ବର୍ତ୍ତମାନ ନିୟମ ଅନୁଯାୟୀ ଯେଉଁଥିରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ପ୍ରାୟତଃ କରମୁକ୍ତ ରହିବ (ପ୍ରାୟ ୧୨.୭୫ଲକ୍ଷ ଟଙ୍କା ମାନକ ଡିଡକ୍ସନ ସମେତ ବାର୍ଷିକ ଆୟ) ତାହା ପୂର୍ବ ଭଳି ଲାଗୁ ହୋଇ ରହିବ। ବଜେଟରେ TCS ହାରରେ ରିହାତି ପ୍ରଦାନ କରାଯାଇଛି। ଯେପରିକି ବିଦେଶୀ ପର୍ଯ୍ୟଟନ ପ୍ୟାକେଜ ଏବଂ ଶିକ୍ଷା/ଚିକିତ୍ସା ଖର୍ଚ୍ଚ ପାଇଁ LRS ରେମିଟେନ୍ସ ଉପରେ TCS ୨% କୁ ହ୍ରାସ କରାଯାଇଛି। ତେବେ ଏହାଦ୍ବାରା ବିଦେଶ ଯାତ୍ରା ଏବଂ ଶିକ୍ଷା-ସ୍ୱାସ୍ଥ୍ୟ ଖର୍ଚ୍ଚ ଉପରେ ଟିକସ ବୋଝ ହ୍ରାସ ହୋଇପାରିବ।
ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ତାରିଖ ମଧ୍ୟ ସ୍ଥିର କରାଯାଇଛି। ବ୍ୟକ୍ତିଗତ କରଦାତାମାନେ ଏବେ ଜୁଲାଇ ୩୧ ପର୍ଯ୍ୟନ୍ତ ITR-୧ ଏବଂ ITR-୨ ଦାଖଲ କରିପାରିବେ ଓ ଅଣ-ଅଡିଟ୍ ବ୍ୟବସାୟ ଏବଂ ଟ୍ରଷ୍ଟଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ମିଳିବ ବୋଲି ଜଣାପଡିଛି। ଲାଭାଂଶ ଏବଂ ସୁଧ ଉପରେ TDS ପାଇଁ ଫର୍ମ ୧୫G କିମ୍ବା ଫର୍ମ ୧୫H ଏବେ ଡିପୋଜିଟୋରୀ ସହିତ ଏକକ ୱିଣ୍ଡୋ ମାଧ୍ୟମରେ ଦାଖଲ କରାଯାଇପାରିବ। ଯାହା କର-ସମ୍ବନ୍ଧୀୟ ପ୍ରକ୍ରିୟାଗୁଡ଼ିକୁ ସହଜ କରିବା ସହ ଏହାକୁ ଶୀଘ୍ର ମଧ୍ୟ କରିବ। ଏଥିସହିତ ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ୍ ଦ୍ୱାରା ପ୍ରଦାନ କରାଯାଇଥିବା ସୁଧକୁ ଆୟକରରୁ ମୁକ୍ତ କରାଯାଇଛି ଏବଂ ପ୍ରଯୁଜ୍ୟ TDS ଛାଡ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକି ଦୁର୍ଘଟଣା ପୀଡିତ ମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ବଜେଟରେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ-ସମ୍ବନ୍ଧୀୟ ଖର୍ଚ୍ଚର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ପ୍ରାୟ ୧୭ଟି କର୍କଟ ଔଷଧ ଉପରେ ମୌଳିକ ସୀମା ଶୁଳ୍କ ଛାଡ କରାଯାଇଛି ଏବଂ କିଛି ବିରଳ ରୋଗ ଔଷଧର ବ୍ୟକ୍ତିଗତ ଆମଦାନୀ ପାଇଁ ଶୁଳ୍କ ମୁକ୍ତ ପ୍ରବେଶ ପ୍ରଦାନ କରାଯିବ। ଯାହାଦ୍ଵାରା ରୋଗୀ ମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିପାରିବ। ସରକାର ପୁଞ୍ଜି ଖର୍ଚ୍ଚ ପାଇଁ ବଜେଟକୁ ୧୨ଲକ୍ଷ କୋଟିରୁ ଅଧିକ ବୃଦ୍ଧି କରିଛନ୍ତି। ଏହାସହିତ ପର୍ଯ୍ୟଟନ, ରେଳବାଇ ଏବଂ ଯାତ୍ରା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଆବଣ୍ଟନ କରାଯାଇଛି। ଯାହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।