Latest Odisha News

ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ: କାହିଁକି ଯୋଗ ଦେବ ନାହିଁ ଟିଏମସି ?

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଆଜି ଅର୍ଥାତ୍ ରବିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସଂସଦର ଉଭୟ ଗୃହର ସୁଗମ କାର୍ଯ୍ୟ ପାଇଁ ସରକାର ସମସ୍ତ ବିରୋଧୀ ଦଳର ସହଯୋଗ ମାଗିଛନ୍ତି। ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହି କ୍ରମରେ ଆଜି ସର୍ବଦଳୀୟ ବୈଠକ ଡାକିଛି କେନ୍ଦ୍ର ସରକାର। ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି।

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସର୍ବଦଳୀୟ ବୈଠକରେ ଯୋଗ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ। ଟିଏମସି ଏହି ବୈଠକରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୂଚନା ମିଳିଛି। ତେବେ ଗୃହରେ ହଙ୍ଗାମା ନକରି ସବୁ ପ୍ରସଙ୍ଗରେ କିଭଳି ଆଲୋଚନା ହୋଇପାରିବ, ବିଲ୍ ପାସ୍ ହୋଇପାରିବ, ସେ ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ି ପାରନ୍ତି କେନ୍ଦ୍ର ସରକାର।

ବଜେଟ୍ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇ ଆସନ୍ତା ମାସର ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ । ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉଭୟ ଗୃହରେ ରାଜନୈତିକ ଦଳର ନେତାଙ୍କ ସହ ଏକ ବୈଠକ କରିବେ।

ଅନ୍ୟପଟେ ତୃଣମୂଳ କଂଗ୍ରେସ ଜୁଲାଇ ୨୧କୁ ଶହୀଦ ଦିବସ ଭାବରେ ପାଳନ କରୁଥିବାରୁ ଦଲର କୌଣସି ପ୍ରତିନିଧି ଏହି ବୈଠକରେ ଯୋଗଦେବେ ନାହିଁ । ତୃଣମୂଳ କଂଗ୍ରେସ ସଂସଦୀୟ ଦଳର ନେତା ଡେରେକ ଓ’ବ୍ରାଇନ ରିଜିଜୁଙ୍କୁ ଏକ ଚିଠି ଲେଖି ତାଙ୍କ ଦଳର ସଦସ୍ୟ ଏହି ସଭାରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାଇଛନ୍ତି ।

Comments are closed.