ନୂଆଦିଲ୍ଲୀ: ସରିଲା ୧୭ କାର୍ଯ୍ୟଦିବସର ସଂସଦର ବଜେଟ ଅଧିବେଶନ । ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ରଖାଯାଇଛି । ଗତ ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ଆଜି ଶେଷ ହେଉଛି । ତେବେ ଏଥିରେ ସବୁଠୁ ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ ୨୦୨୫ ଭଳି ବିଧେୟକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ବହନ କରିଥିଲା ।
ତେବେ ଆଜି ସଂସଦର ବଜେଟ ଅଧିବେଶନର ୧୭ ତମ କାର୍ଯ୍ୟଦିବସ ଚାଲିଥିବା ବେଳେ ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ପାରସ୍ପରିକ ଶୁଳ୍କ ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମକେ ଏବଂ ଅନ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । କିଛି ସଦସ୍ୟ ଏହି ପ୍ରସଙ୍ଗକୁ ନେଇ ଓ୍ବେଲ୍ ଭିତରକୁ ଯାଇ ହୋହଲ୍ଲା କରିଥିଲେ । ଅନ୍ୟପକ୍ଷରେ, ୱାକଫ (ସଂଶୋଧନ) ବିଲ୍ ସମ୍ବିଧାନ ଉପରେ ଆକ୍ରମଣ ବୋଲି ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସେ କ୍ଷମା ମାଗିବାକୁ ଦାବି କରିଥିଲେ ଶାସକ ଦଳର ସଦସ୍ୟ । ହଟ୍ଟଗୋଳ ପରେ ଲୋକସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ଓମ୍ ବିର୍ଲା । ସେହିପରି, ରାଜ୍ୟସଭାରେ ମଧ୍ୟ ଅଧ୍ୟକ୍ଷ ଜଗଦୀପ ଧନଖଡ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ରଖିଛନ୍ତି ।
ଚଳିତ ବଜେଟ୍ ଅଧିବେଶନ ସମୟରେ ଗୃହର ଉତ୍ପାଦକତା ୧୧୮ ପ୍ରତିଶତ ରେକର୍ଡ କରାଯାଇଛି ବୋଲି ଲୋକସଭାରେ ତାଙ୍କ ବିଦାୟୀ ଅଭିଭାଷଣରେ କହିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏଥିସହିତ ନିମ୍ନ ସଦନ ଅଧିବେଶନ ସମୟରେ ମୋଟ ୧୬ ଟି ବିଲ୍ ପାସ୍ ହୋଇଛି । ସେହିପରି ରାଜ୍ୟସଭାରେ ଗୃହ ୧୧୯ ପ୍ରତିଶତ ଉତ୍ପାଦକତା ରହିଛି । ଏଥିସହିତ ଗୃହରେ ୱାକଫ ସଂଶୋଧନ ବିଲ୍ ପାସ୍ ପାଇଁ ଏକ ଅଭୂତପୂର୍ବ ବୈଠକ ଅନୁଷ୍ଠିତ ହୋଇଛି, ଯାହା ଗୃହର ଇତିହାସରେ ସବୁଠାରୁ ଦୀର୍ଘ ବୋଲି କହିଥିଲେ ଅଧ୍ୟକ୍ଷ ଜଗଦୀପ ଧନଖଡ ।
ପୂର୍ବରୁ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ ଉପରେ ୧୭ ଘଣ୍ଟାରୁ ଅଧିକ ଆଲୋଚନା କରି, ଇତିହାସରେ ସବୁଠାରୁ ଲମ୍ବା ଆଲୋଚନାର ରେକର୍ଡ ସୃଷ୍ଟି କରିଛି । ଲୋକସଭାରେ ବିଲ୍ ଉପରେ ପ୍ରାୟ ୧୪ ଘଣ୍ଟା ଆଲୋଚନା ହୋଇଥିବା ବେଳେ ରାଜ୍ୟସଭାରେ ଏହା ୧୭ ଘଣ୍ଟା ରେକର୍ଡ କରିଥିଲା ।
Comments are closed.