Latest Odisha News

BREAKING NEWS

ଓଡ଼ିଶା ବିଧାନସଭାରେ ଆରମ୍ଭ ହେଲା ବଜେଟ ଅଧିବେଶନ; ୫-ଟି କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଧିବେଶନରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କର ବହୁ ପ୍ରତିକ୍ଷୀତ ଅଭିଭାଷଣ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅଭିଭାଷଣରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ‘ମୋ ସରକାର’ ସହିତ ‘୫-ଟି’ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ବିଧାନସଭାରେ ଗୁରୁବାର ଦିନ ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟରେ ସହିଦ, ପରଲୋକଗତ ସମସ୍ତ ନେତୃବୃନ୍ଦ ତଥା ବିଧାୟକମାନଙ୍କ ଲାଗି ଶୋକବ୍ୟକ୍ତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।

ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେହିପରି ଭାବେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘୫-ଟି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ତାଙ୍କର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି । ମ୍ୟାଲେରିଆ ହ୍ରାସ ନେଇ ଓଡ଼ିଶା ମଡେଲକୁ ଡବ୍ଲୁଏଚଓ ସ୍ୱୀକୃତି ଦେଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ମିଶନ ଶକ୍ତି ମେଳା ଆରମ୍ଭ ହୋଇଛି । ୪୮.୩୮ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ପେନ୍‌ସନ୍ ମିଳୁଛି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୨ଟି ସ୍ୱତନ୍ତ୍ର ସ୍କୁଲ ହୋଇଛି । ଶ୍ରବଣବାଧିତଙ୍କ ପାଇଁ ଗୋଟିଏ କଲେଜ ପ୍ରତିଷ୍ଠା ହୋଇଛି ।

ହସ୍ତତନ୍ତର ବିକାଶ ପାଇଁ ବାଣିଜ୍ୟ, ବିପଣୀ ସହାୟତା ଯୋଜନା ହୋଇଛି । କେନ୍ଦୁଝରରେ ମହିଳା ବୁଣାକାର କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଆ ଭାଷାକୁ ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଛି । ବାଳ ଅପରାଧୀଙ୍କ ପାଇଁ ୩୦ଟି କିଶୋର ନ୍ୟାୟ ବୋର୍ଡ ଗଠନ ହୋଇଛି ।

କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ମଧ୍ୟ ରାଜ୍ୟପାଳ ତାଙ୍କର ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ମୋ ସରକାର ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟପାଳ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରାଜ୍ୟପାଳ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ।

ସେହିପରି ଭାବେ ରାଜ୍ୟପାଳ ଆଜି ଏହି ବଜେଟ୍ ଅଧିବେଶନରେ ଏକାମ୍ର କ୍ଷେତ୍ରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନତି ନିମନ୍ତେ ରାଜ୍ୟ ସରକାର ନେଇଥିବା ସମସ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଉଠା ଜଳସେଚନ ଦ୍ୱାରା ଓଡ଼ିଶାର ଚାଷୀମାନଙ୍କୁ କିପରି ଜଳ ଯୋଗାଣ କରାଯାଉଛି ତାହାର ବର୍ଣ୍ଣନା କରିବା ସହିତ ରାଜ୍ୟ ସରକାରଙ୍କ ଅନେକ ବହୁମୁଖି ଯୋଜନା ଗୁଡ଼ିକର ସଫଳତା ସମ୍ପର୍କରେ କହିଥିଲେ ।

ବିନା ଅସୁବିଧାରେ ଋଣ, ସାର, ବିହନ, ଗୋଦାମ ଘର ସୁବିଧା, ଋଣ ସଂଯୋଗିକରଣ, ବଜାର ସୁବିଧା, କୃଷି ଯନ୍ତ୍ରପାତି ଭଡାରେ ଆଣିବା ବ୍ୟବସ୍ଥା ସହିତ ଗୋଟିଏ ଛାତ ତଳେ ମାଇକ୍ରୋ ଏଟିଏମ୍ ସୁବିଧା ସହ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଏକକ ସମାଧାନ କେନ୍ଦ୍ର ରୂପେ ପରିବର୍ତିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

୨୦୧୯ ସୁଦ୍ଧା ଖଣିଜ ଦ୍ରବ୍ୟରୁ ରୟାଲିଟି ଆକାରରେ ୭୭୪୭,୬୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ଏହି ସମୟ ମଧ୍ୟରେ ଅଦାୟ ତୁଳନାରେ ୭ ପ୍ରତିଶତ ଅଧିକ । ୨୦୨୦-୨୧ ଶିକ୍ଷା ବର୍ଷରୁ ୩୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ୫୫ଟି ବ୍ଲକରେ ଓଡ଼ିଶା ମିଲେଟ୍ ମିଶନ ନାମକ ଏକ ଯୋଜନା ଶୁଭାରମ୍ଭ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟପାଳ ।

Leave A Reply

Your email address will not be published.