ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି । ୭ଟି ବିଭାଗ ମଧ୍ୟରେ ରହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ।
ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ରେ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ । ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ‘ଆୟୁଷ୍ମାନ ବାୟୋ ବନ୍ଧନ’କୁ ମଧ୍ୟ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏଥିରେ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ । ପୂର୍ବରୁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଯୋଜନା ସରିଥିଲା। କେବଳ କ୍ୟାବିନେଟ୍ ମଞ୍ଜୁରୀକୁ ଅପେକ୍ଷା ଥିଲା ।ଲଏହି ଯୋଜନା ଦ୍ବାରା ହିତାଧିକାରୀମାନେ କ୍ୟାସଲେସ୍ ସୁବିଧା ପାଇପାରିବେ । ଏହାସହ ସରକାର ରାଜ୍ୟ ସଡ଼କ ନୀତିକୁ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି ।
ସେହିପରି ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟରେ ଚଳିତ ବର୍ଷ ଅପ୍ରେଲ୍ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ । ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାର ପରିବାର ହେବେ ଉପକୃତ । ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଲାଭ ପାଇବେ । ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ । ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ ।