Latest Odisha News

BREAKING NEWS

କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ । ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା( MRBY), ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା ( MBSBY)କୁ ମିଳିଛି ମନ୍ତ୍ରୀ ମଣ୍ଡଳର ମୋହର । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ, ଆଇନ, ବୟନ ଶିଳ୍ପ ଓ ହସ୍ତତନ୍ତ୍ର, ଉଚ୍ଚଶିକ୍ଷା ବିଭାଗ ଭଳି ବିଭାଗ ଉପରେ ନିଆଯାଇଛି ନିଷ୍ପତ୍ତି । ଗୃହରେ ଏ ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଓଡ଼ିଶା ମତ୍ସ୍ୟ ସେବା ବା OFS କ୍ୟାଡରର ପୁନଃଗଠନକୁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି । ଫଳରେ ବିଭାଗର ସମସ୍ତ ବରିଷ୍ଠ ସ୍ତରରେ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ବୃଦ୍ଧି ହୋଇଛି ।

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା (MRBY) ରାଜ୍ୟ ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି । ଏହି ଯୋଜନା ରାଜ୍ୟର ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବ । ଏହି ଯୋଜନା ଜରିଆରେ ରେଶମ କୀଟର ବିହନ ପ୍ରସ୍ତୁତି, ରେଶମ ପ୍ରଜାତିର ସଂରକ୍ଷଣ ସହ ନୈତିକ ଉପାୟରେ କରୁଣା ରେଶମର ଉତ୍ପାଦନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ । ରେଶମ ଚାଷୀଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ, କାର୍ଯ୍ୟକାରୀ ମୂଳଧନ ସହାୟତା ପ୍ରଦାନ କରିବ । ସମବାୟ ସମିତି ଜରିଆରେ ରେଶମ ଉତ୍ପାଦର ବଜାରୀକରଣ କରିବ । ଏହି ଯୋଜନା ମାଧ୍ୟମରେ ସରକାର ଆଗାମୀ ୫ ବର୍ଷ ପାଇଁ ୨୭୪ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରିଛନ୍ତି । ଯାହା ଚାଷୀଙ୍କ ଦକ୍ଷତା ବିକାଶ, ଗବେଷଣା ବିକାଶ ତଥା ଉପକରଣ ଯୋଗାଇବ ।

ସେହିପରି ରାଜ୍ୟ ମନ୍ତ୍ରିମଣ୍ଡଳ ୧୪୯୦ କୋଟି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା ବା MBSBYକୁ ଅନୁମୋଦନ ମିଳିଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ନୂତନ ନିବେଶକୁ ଆକର୍ଷିତ, ଉତ୍ପାଦକତାକୁ ବୃଦ୍ଧି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଶକ୍ତ ଓ ରାଜ୍ୟରେ ଏକ ପ୍ରତିଯୋଗିତାମୂଳକ ବୟନ ମୂଲ୍ୟ ଶୃଙ୍ଖଳା ଗଠନ କରିବ ।

ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି-୨୦୨୫କୁ ଅନୁମୋଦନ ମିଳିଛି । ଏହି ନୀତିରେ ଆବଶ୍ୟକୀୟ ଶିଳ୍ପ ଭିତ୍ତିଭୂମିର ସୁବିଧା ଯୋଗାଇବା ପାଇଁ ଓଡ଼ିଶା ଫାର୍ମା ପାର୍କ ଏବଂ ଓଡ଼ିଶା ମେଡଟେକ ପାର୍କର କଳ୍ପନା କରାଯାଇଛି । ଯେଉଁଥରେ ଓଡ଼ିଶା ଔଷଧ ବିକାଶ ସେଲ ବା OPDC କ୍ଷେତ୍ରୀୟ ପ୍ରମୁଖ ସଂସ୍ଥା ଭାବରେ କାର୍ଯ୍ୟ କରିବ ।

Leave A Reply

Your email address will not be published.