ନୂଆଦିଲ୍ଲୀ: ୧୧ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ମନ୍ତ୍ରିପରିଷଦ ବୈଠକ। ଦେଶର ଶାସନ ବ୍ୟବସ୍ଥା, ସୁଧାର ପ୍ରକ୍ରିୟା, ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସହଜ କରିବା ଏବଂ ବ୍ୟବସାୟ ପରିବେଶକୁ ଆଉ ସୁଗମ କରିବା ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବୈଠକ ପରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମନ୍ତ୍ରିପରିଷଦ ସହ ଏକ ଅର୍ଥପୂର୍ଣ୍ଣ ବୈଠକ ହୋଇଛି। ଲୋକଙ୍କ ଜୀବନକୁ ଅଧିକ ସୁବିଧାଜନକ କରିବା, Ease of Living ଓ Ease of Doing Businessକୁ ଆଗକୁ ବଢ଼ାଇବା ସହ ବିକଶିତ ଭାରତର ସାମୂହିକ ସ୍ୱପ୍ନକୁ ସାକାର କରିବା ପାଇଁ ସୁଧାରକୁ କିପରି ଆଉ ଆଗକୁ ନିଆଯିବ, ସେନେଇ ବିଚାର ବିମର୍ଶ ହୋଇଛି। ଏହି ବୈଠକ ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିଲା ଏବଂ ଏଥିରେ କ୍ୟାବିନେଟ୍ ମନ୍ତ୍ରୀ, ରାଜ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ।
ବଡ଼ କଥା ହେଉଛି ଏହି ବୈଠକ ପରେ କୁଆଡେ ମୋଦି ନିଜ ଟିମକୁ ପରିବର୍ତ୍ତନ କରିପାରନ୍ତି । ଅର୍ଥାତ୍ ମନ୍ତ୍ରିମଣ୍ଡଳ ଅଦଳ ବଦଳ । ଏହି ମିଟିଂ ଜରିଆରେ ବାକି ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ କହିଥିବା କୁହାଯାଉଛି । ନିଟ୍ ପରୀକ୍ଷାଠୁ ଆରମ୍ଭ କରି ବେରୋଜଗାର ଏବଂ ଆଇନ ଶୃଙ୍ଖଳାକୁ ନେଇ ଏବେ ବିବାଦରେ ସରକାର ରହିଛନ୍ତି । ଅନ୍ୟପଟେ ଆଗକୁ ୟୁପି ଭଳି ରାଜ୍ୟରେ ନିର୍ବାଚନ ରହିଛି । ତେଣୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପୂର୍ବରୁ ଏହି ବୈଠକ ଡକାଯାଇଥିଲା ବୋଲି କୁହାଯାଉଛି ।
ସୂତ୍ର ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ପୂର୍ଣ୍ଣ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ। ମନ୍ତ୍ରୀମାନଙ୍କୁ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ସରକାରର ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନକୁ ସହଜ ଓ ସୁଗମ କରିବା ଦିଗରେ ହେବା ଦରକାର।
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଥିଲା, ଲୋକଙ୍କ ଜୀବନରେ ଅନାବଶ୍ୟକ ହସ୍ତକ୍ଷେପ କମିବା ଉଚିତ। ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ଯେପରି ଶେଷ ଲୋକ ପର୍ଯ୍ୟନ୍ତ ପହଞ୍ଚିବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟକୁ ଗତି ଓ ଗୁରୁତ୍ୱ ସହ କାମ କରିବାକୁ ପଡ଼ିବ। ସରକାରୀ କାମରେ ବିଳମ୍ବ ନ ହେବା ଏବଂ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ମୋଦୀ ମନ୍ତ୍ରୀମାନଙ୍କୁ ଆଉ ଏକ ରାଜନୈତିକ ଓ ପ୍ରଶାସନିକ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଏବେ ପଛକୁ ଚାହିଁ ରହିବାର ସମୟ ନୁହେଁ, ଆଗାମୀ ଲକ୍ଷ୍ୟ ଓ ଉପଲବ୍ଧି ଉପରେ ଫୋକସ କରିବାର ସମୟ। ୨୦୧୪ରୁ ସରକାର ଦାୟିତ୍ୱରେ ଅଛି, ତେଣୁ ୨୦୨୬ରେ ସରକାରୀ ଗତି, ଲକ୍ଷ୍ୟ ଏବଂ ଭବିଷ୍ୟତ ରୋଡମ୍ୟାପ ଉପରେ ଅଧିକ ଧ୍ୟାନ ରହିବା ଦରକାର।
ମୋଟ କଥା, ଏହି ବୈଠକ କେବଳ ଏକ ସାଧାରଣ ସମୀକ୍ଷା ବୈଠକ ନୁହେଁ, ବରଂ ୨୦୪୭ର ବିକଶିତ ଭାରତ ପାଇଁ ସରକାରର ଆଗାମୀ ଗତିପଥ ନିର୍ଦ୍ଧାରଣର ଏକ ସନ୍ଦେଶ ବୋଲି ଦେଖାଯାଉଛି।