Latest Odisha News

BREAKING NEWS

ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ: ରାଜ୍ୟରେ ସାର ସଂକଟ ନାହିଁ, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ, କହିଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ପାରାଦୀପ ସ୍ଥିତ ‘ଇଫକୋ’ ସାର କାରଖାନାରେ ଆମୋନିଆ ଗ୍ୟାସ ସମେତ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଣରେ ସମସ୍ୟା ଦେଖାଦେବା ଯୋଗୁଁ ସାର ଉତ୍ପାଦନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି। କଞ୍ଚାମାଲ ସଂକଟ ଯୋଗୁଁ ଉତ୍ପାଦନ ପ୍ରକ୍ରିୟା ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଖୁବଶୀଘ୍ର ସ୍ଥିତି ସ୍ଵାଭାବିକ ହେବ ବୋଲି ଆଶା କରାଯାଉଛି। ତେବେ ଉତ୍ପାଦନ ବାଧାପ୍ରାପ୍ତ ହେଲେ ମଧ୍ୟ ଚାଷୀମାନେ ଆଦୌ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

 

ମନ୍ତ୍ରୀ ବଳସାମନ୍ତ କହିଛନ୍ତି ଯେ ରାଜ୍ୟରେ ଏବେ ସାରର କୌଣସି ଅଭାବ ନାହିଁ। ସରକାରୀ ସଂସ୍ଥା ମାର୍କଫେଡ୍‌ ନିକଟରେ ବର୍ତ୍ତମାନ ସୁଦ୍ଧା ୬୬ ହଜାର ୯୧୮ ମେଟ୍ରିକ୍ ଟନ୍ ସାର ଗଚ୍ଛିତ ରହିଛି। ତେଣୁ ଚାଷ କାର୍ଯ୍ୟ ପାଇଁ ସାର ଯୋଗାଣରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ଯଦି ଆଗାମୀ ଦିନରେ ଇଫକୋରେ ଏଭଳି ପରିସ୍ଥିତି ଲାଗିରହେ, ତେବେ ଚାଷୀଙ୍କ ହିତ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ଏଥିପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

 

ଅନ୍ୟପଟେ ଉତ୍ପାଦନ ହ୍ରାସର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଯଦି ସାରର କଳାବଜାରୀ କରନ୍ତି କିମ୍ବା ବଜାରକୁ ନକଲି ସାର ଛାଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ବିଭାଗ ପକ୍ଷରୁ ସାର ବିକ୍ରି ଓ ସଂରକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଯେଉଁଠାରୁ ବି କଳାବଜାରୀ କିମ୍ବା ଚଡ଼ା ଦର ନେଇ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ଚଢ଼ାଉ କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସମବାୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.