ନୂଆଦିଲ୍ଲୀ: କମ୍ବୋଡିଆ ସରକାର ବିଦ୍ୟାଳୟରେ ଏନର୍ଜି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୁହାଯାଉଛି ଯେ ଯୁବପିଢିମାନଙ୍କ ମଧ୍ୟରେ ମଧୁମେହ ରୋଗ ବୃଦ୍ଧି ପାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଉପ-ପ୍ରଧାନମନ୍ତ୍ରୀ, ଶିକ୍ଷା, ଯୁବ ଓ କ୍ରୀଡା ମନ୍ତ୍ରୀ ହ୍ୟାଙ୍ଗ ଚୁନ୍ ନାରୋନ୍ କହିଛନ୍ତି ଯେ, ଏନର୍ଜି ଡ୍ରିଙ୍କ ବ୍ୟବହାର ଦ୍ବାରା ସଂକ୍ରମିତ ରୋଗ, ବିଶେଷତଃ ଡାଇବେଟିସକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ତଥା ବୈଷୟିକ ପ୍ରତିଷ୍ଠାନ ଉପରେ ଲାଗୁ କରାଯିବ ।
ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି
ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଭିତରେ ଏବଂ ଆଖପାଖରେ ସମସ୍ତ ପ୍ରକାରର ଏନର୍ଜି ଡ୍ରିଙ୍କ ବ୍ୟବହାର, ବଣ୍ଟନ, ବିକ୍ରୟ ଏବଂ ବିଜ୍ଞାପନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜାତୀୟ ପତାକାକୁ ଅଭିବାଦନ ଜଣାଇବା ପାଇଁ ଏକତ୍ରିତ ହେବାବେଳେ ଏନର୍ଜି ଡ୍ରିଙ୍କର ନକାରାତ୍ମକ ପ୍ରଭାବ ବିଷୟରେ ଛାତ୍ରମାନଙ୍କୁ ସ୍ମରଣ କରାଇବାକୁ ନାରୋନ୍ ସମସ୍ତ ବିଦ୍ୟାଳୟକୁ କହିଛନ୍ତି । ଛାତ୍ରମାନଙ୍କୁ ଏପରି ପାନୀୟ କେତେ କ୍ଷତିକାରକ ତାହା ଜଣାଇବାକୁ କୁହାଯାଇଥିଲା ।
ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଏଥିସହ ମନ୍ତ୍ରୀ ଉକ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବିଦ୍ୟାଳୟ ଏହି ପ୍ରତିବନ୍ଧକକୁ ଉଲ୍ଲଂଘନ କରନ୍ତି, ତେବେ ବିଦ୍ୟାଳୟରେ ଏବଂ ଆଖପାଖରେ ଥିବା ବିକ୍ରେତାଙ୍କ ଠାରୁ ଏନର୍ଜି ଡ୍ରିଙ୍କ ଜବତ କରାଯିବା ଉଚିତ ଏବଂ ସେମାନଙ୍କ ଷ୍ଟଲଗୁଡିକର ଭଡା ଚୁକ୍ତିନାମା ବାତିଲ କରାଯାଉ ।
କମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ମୈନେଟଙ୍କ ବିବୃତ୍ତିର କିଛି ଘଣ୍ଟା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ଯେଉଁଥିରେ ସେ କହିଛନ୍ତି ଯେ, ଦେଶରେ ମଧୁମେହ ରୋଗ ବୃଦ୍ଧି ପାଇଛି । ଛାତ୍ରମାନଙ୍କ ମଧ୍ୟରେ ଏହି ରୋଗକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ସେ ଶିକ୍ଷା, ଯୁବ ଓ କ୍ରୀଡା ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ସ୍କୁଲ ପିଲା କିମ୍ବା ଯୁବପିଢି ଦୈନିକ ତିନି ରୁ ଚାରଟି କେନ୍ ଏନର୍ଜି ଡ୍ରିଙ୍କ ପିଉଛନ୍ତି । ଯେହାଫଳରେ ସେମାନଙ୍କ ନିକଟରେ ମଧୁମେହ ରୋଗ ଦେଖାଯିବା ନେଇ ଆଶଙ୍କା ରହିଛି । ଆଉ ଏହାକୁ ନଜରରେ ରଖି କମ୍ବୋଡିଆ ସରକାର ସମ୍ପୂର୍ଣ୍ଣ ଭାବେ ଏହି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।