Latest Odisha News

BREAKING NEWS

ଜମୁଛି ପ୍ରଚାର: ଆଜି ପଦ୍ମପୁର କ୍ୟାମ୍ପେନରେ ଯିବେ ୨ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଜମୁଛି ପଦ୍ମପୁର ପ୍ରଚାର  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ହେଭିଓ୍ୱେଟ ନେତା ଓ ମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ପକାଉଛନ୍ତି ଡେରା । ଭୋଟ୍ ତାରିଖ ଯେତିକି ପାଖଉଛି, ପ୍ରଚାର ପାଇଁ ସେତିକି ଜୋର ଦେଉଛନ୍ତି ଦଳ । ମୈଦାନରେ ପ୍ରାର୍ଥୀ ଓ ପ୍ରଚାରକ । ୭ଜଣ ପ୍ରାର୍ଥୀଙ୍କ ପାଇଁ ଚାଲିଛି ପ୍ରଚାର । ତେବେ ୩ ପ୍ରମୁଖ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର ଧରିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିବେ । ଦିନ ସାଢେ ୧୧ଟାରେ ସେମାନେ ଏକ ସାଧାରଣ ସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍ ମାଗିବେ ।

ଅନୁକମ୍ପା, ଅନୁଭବ ଓ ଅଭିଜ୍ଞତାକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ଜିଲ୍ଲା ମାନ୍ୟତା ଦାବିକୁ ପ୍ରାର୍ଥୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ପୁଣି ସମଗ୍ର ପଦ୍ମପୁର ଉପଖଣ୍ଡ ଅଣଜଳସେଚିତ ହୋଇଥିବାରୁ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ପରିଚିତ । ଫସଲହାନୀ ଯୋଗୁଁ ସରକାର ଚାଷୀଙ୍କୁ ଇନପୁଟ୍ ସହାୟତା କିମ୍ୱା ବୀମାରାଶି ପ୍ରଦାନରେ ଅବହେଳା କରୁଥିବା ଅଭିଯୋଗକୁ ଆଧାର କରି କେହି ପ୍ରାର୍ଥୀ ଭୋଟରଙ୍କୁ ମନେଇବାକୁ ଉଦ୍ୟମ କରୁଛନ୍ତି । ବରଗଡ଼ ଶିଳ୍ପବିହୀନ ଓ କୃଷିଭିତ୍ତିକ ଜିଲ୍ଲା । ତେଣୁ ଚାଷୀ, ଜଳସେଚନ, ସବସିଡି, ଏମଏସପି ଆଦି ପ୍ରସଙ୍ଗ ହିଁ ଭୋଟ୍ ହାତେଇବାରେ ସହାୟକ । ଦୁଇ କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଓ ପାଇକମାଳରେ ପ୍ରଚାର କରିବେ ।

ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା ସଭା ସମିତିରେ କାନ୍ଦୁଥିବା ଦେଖିବାକୁ ମିଳୁଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି । ମା-ଭଉଣୀଙ୍କ ସହ ଗୀତ ଗାଉଛନ୍ତି ଓ ସଂକୀର୍ତ୍ତନ କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ୫ତାରିଖରେ ଭୋଟ୍ ଓ ୮ ତାରିଖରେ ଫଳାଫଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

Leave A Reply

Your email address will not be published.