Latest Odisha News

BREAKING NEWS

ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପରେ ପ୍ରାର୍ଥୀ ଆରମ୍ଭ କଲେ କ୍ୟାମ୍ପେନ୍

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟ ବିଭିନ୍ନ କଲେଜ ଓ ୟୁନିଭର୍ସିଟିରେ ଛାତ୍ର ସଂସଦ ନିର୍ବାଚନ ଲାଗି ଆଶାୟୀ ଛାତ୍ରଛାତ୍ରୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗୁରୁବାର ଅର୍ଥାତ ୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଧିକାଂଶ ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ କ୍ୟାମ୍ପେନିଂ ଆରମ୍ଭ କରିଦେଇଛନ୍ତି ।

ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବିଜେବି କଲେଜ ସମେତ କଟକ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ ପରି ଅଧିକାଂଶ ଜିଲ୍ଲାରେ ଥିବା କଲେଜ ମାନଙ୍କରେ କ୍ୟାମ୍ପେନିଂ ପ୍ରାୟ ଆରମ୍ଭ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବୁଧବାର ଦିନ ନିର୍ବାଚନର ପ୍ରଥମ ପ୍ରକ୍ରିୟା ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ।

ବୁଧବାର ସକାଳ ୯ଟାରୁ ଦିନ ୧୨ ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତେବେ ଅକ୍ଟୋବର ୪ ତାରିଖ ଦିନ ୧୧ଟା ବେଳେ ନାମାଙ୍କନ ପ୍ରକ୍ରିୟାର ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।

ଅକ୍ଟୋବର ୧୦ ତାରିଖ ଦିନ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ’ ବୈଠକ ସମସ୍ତ କଲେଜ ଏବଂ ୟୁନିଭର୍ସିଟିରେ ଅନୁଷ୍ଠିତ ହେବ । ତହିଁ ପରଦିନ ଅର୍ଥାତ୍ ୧୧ତାରିଖ ସକାଳା ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲୁ ରହିବ । ଅପରାହ୍ନ ୨ଟାରୁ ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ସମସ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

 

ରାଜ୍ୟର ବିଭିନ୍ନ କଲେଜରେ ଏହି ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶାନ୍ତି ସହକାରେ ଅନୁଷ୍ଠିତ ହେବା ଲାଗି କଲେଜ ଓ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.