Latest Odisha News

ପୁରୀର ସ୍ଥାନୀୟ ବାସିନ୍ଦା ଚାରିଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ – ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ସ୍ଥାନୀୟ ବାସିନ୍ଦାଙ୍କ ଆଗରେ ମୁଣ୍ଡ ନୁଆଁଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ପୁରୀ ବାସିନ୍ଦାଙ୍କ ଲାଗି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ନିୟମ କୋହଳ ହେଲା । ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଶେଷରେ ଶାନ୍ତି କମିଟି ବୈଠକରେ ପୁରୀ ବାସିନ୍ଦାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ସମଗ୍ର ପୁରୀରେ ସ୍ଥାନୀୟ ବାସିନ୍ଦା ତୁମୁଳ କାଣ୍ଡ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନର ଧାଡ଼ି ଦର୍ଶନ ନିୟମରେ କ୍ଷୁବ୍ଧ ହେବା ସହ ଏହାକୁ ବିରୋଧ କରି ପୁରୀର ସ୍ଥାନୀୟ ବାସିନ୍ଦା ପୁରୀ ବନ୍ଦ ଡ଼ାକରା ଦେଇଥିଲେ । ଏହି ପୁରୀ ବନ୍ଦ ସମୟରେ ସିଂହଦ୍ୱାର, ବଡ଼ଦାଣ୍ଡ ସମେତ ସମଗ୍ର ପୁରୀ ସହରରେ ହିଂସାତ୍ମକ ବିକ୍ଷୋଭ ଉଗ୍ରରୂପ ଧାରଣ କରିଥିଲା ।

ବୁଧବାର ଦିନ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ପରିଶେଷରେ ଏକ ଶାନ୍ତି କମିଟି ଡ଼କାଇଲେ । ଏହି ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ପୁରୀ ବାସିନ୍ଦା ଶ୍ରୀମନ୍ଦିରର ଚାରିପଟେ ଥିବା ଚାରିଦ୍ୱାର ବାଟେ ବିନା ଧାଡ଼ିରେ ପ୍ରବେଶ କରିପାରିବେ ।

ଶାନ୍ତି କମିଟିର ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ସ୍ଥାନୀୟ ପୁରୀ ବାସିନ୍ଦା ଶ୍ରୀମନ୍ଦିରର ଚାରିଦ୍ୱାର ଯଥା – ଉତ୍ତର, ପଶ୍ଚିମ, ଦକ୍ଷିଣ ତଥା ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ । ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ନିଜର ପରିଚୟ ପତ୍ର ପ୍ରଦାନ କରିବାକୁ ପଡ଼ିବ ।

ପୁରୀ ବନ୍ଦବେଳେ ହୋଇଥିବା ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ଏହି ବନ୍ଦପାଳନ ବେଳେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିଲା, ଏହିସବୁ କାର୍ଯ୍ୟକଳାପ କରିଥିବା ବ୍ୟକ୍ତିମାନଙ୍କୁ ସିସିଟିଭିରୁ ଯାଞ୍ଚ କରାଯାଇ ଚିହ୍ନଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୋଲିସ ଦ୍ୱାରା ଅଟକ ଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.