Latest Odisha News

BREAKING NEWS

ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି?

ଓଡ଼ିଶା ସମ୍ବାଦ: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଜାତୀୟ ରାଜନୀତିରେ କଂଗ୍ରେସ, ଆପ ନିର୍ବାଚନ ପ୍ରଚାର ଜୋରସୋରରେ ଚଳାଇଥିବାବେଳେ କେନ୍ଦ୍ରରେ ବିଜେପି ମଧ୍ୟ ପଛରେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ୨୦୦୯ରୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ୩୦ ଆସନ ଟପିପାରୁନାହିଁ ।

ଏଭଳି ସମୟରେ ରାଜ୍ୟ ବିଜେପି ଏବେ କେନ୍ଦ୍ରୀୟ ନେତାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରିଛି । ୨୦୧୯ରେ ଅମିତ ଶାହାଙ୍କ ଟାର୍ଗେଟ ଥିଲା ୧୨୦ । ଦଳ କିନ୍ତୁ ଅଟକି ଗଲା ୨୩ରେ । ସରକାର ଗଠନ ତ ଦୂରର କଥା ପାସ ବି ହୋଇପାରିଲାନି ଓଡ଼ିଶାରେ ବିଜେପି । ତେବେ ୨୪ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲ ଦାୟିତ୍ବ ନେବାପରେ ରାଜ୍ୟ ବିଜେପିର ନେତା କର୍ମୀମାନେ ରାସ୍ତାକୁ ବାହାରିଲେଣି । କାରଣ ଚଳିତ ମାସରେ ଆସିବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ତା ପୂର୍ବରୁ ରାଜ୍ୟକୁ ୭ କେନ୍ଦ୍ରମନ୍ତ୍ରୀ ଗସ୍ତରେ ଆସୁଥିବାରୁ ଚାରିଆଡେ ବିଜେପିର ରଣନୀତିକୁ ନେଇ ଚର୍ଚା ଜୋରଧରିଲାଣି ।
କେନ୍ଦ୍ରୀୟ ନେତୃତ୍ବ ଏଥର ରାଜ୍ୟରେ ସାଂଗଠନିକ ସ୍ଥିତି କଣ ଅଛି ଜାଣିବାକୁ ଚାହୁଁଛି । ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ ରଣନୀତି କରିଛନ୍ତି । ଆଗକୁ ପୁରୀରେ ଚଳିତ ମାସ ୧୩ରୁ ୩ ଦିନିଆ ପ୍ରଶିକ୍ଷିଣ ଶିବିର ପାଇଁ ସାଧାରଣ ସଂପାଦକ ବିଏଲ୍ ସନ୍ତୋଷ ଓଡ଼ିଶା ଆସୁଥିବା ବେଳେ ୨୯ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତାପୂର୍ବରୁ ଘନ ଘନ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡିଛି ।

ଏସବୁ ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶ୍ୱେଶ୍ୱର ଟୁଡୁ, ଭୁପିନ୍ଦର ଯାଦବ, ଅଶ୍ୱିନୀ ଚୌବେ ଓ ନିଶିଥ ପରମାଣିକ, ଅର୍ଜୁନ ମୁଣ୍ଡା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏସବୁ ନେତାଙ୍କ ମୂଳ ଲକ୍ଷ୍ୟ ହେଉଛି କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ଏବଂ ସଂଗଠନ ସଜାଡିବେ ।
ଯେଉଁ ସଂସଦୀୟ କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ କରିବାକୁ ପଡିବ ତାହା ଉପରେ ଏହି କେନ୍ଦ୍ରୀୟ ନେତାମାନେ ଧ୍ୟାନ ଦେବେ ବୋଲି ଜଣାପଡିଛି । କିପରି ଦଳ ମଜବୁତ ହେବ ଏବଂ ଆଗାମୀ ନିର୍ବାଚନରେ ଭୋଟର ବିଜେପି ପ୍ରତି ଆକୃଷ୍ଟ ହେବେ ତାହା ହେଉଛି କେନ୍ଦ୍ରୀୟ ନେତାଙ୍କ ପାଇଁ ବଡ଼ ପ୍ରଶ୍ନ ।
ଆସନ୍ତା ୧୩,୧୪ ଓ ୧୫,ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ରାଜ୍ୟର ସମସ୍ତ ନେତାଙ୍କୁ ଯୋଗ ଦେବା ପାଇଁ କୁହାଯାଇଛି ।  ଜାତୀୟ ସାଧାରଣ ସଂପାଦକ ବିଏଲ୍ ସନ୍ତୋଷଙ୍କଠାରୁ ଜିତିବାର କଳା କୈାଶଳ ଶିଖିବେ ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ନେତା । ତେବେ ଏହି କୈାଶଳ କେତେ ଭୋଟରେ ପରିଣତ ହେବ ତାହା ସମୟ କହିବ ।
କାରଣ ୨୦୧୯ରେ ୩୨ ପ୍ରତିଶତ ଭୋଟ ପାଇଥିଲା ବିଜେପି । ସାରା ରାଜ୍ୟରେ ୭୭ ଲକ୍ଷ ଭୋଟର ବିଜେପି ପ୍ରତି ସମର୍ଥନ ପ୍ରକଟ କରିଥିଲେ । ବିଜେଡି ପାଇଥିଲା ୪୫ ପ୍ରତିଶତ ଭୋଟ । ବିଜେଡି ୧୧୨ ଆସନରେ ବିଜୟୀ ହୋଇଥିଲା ।

୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ଦେଖିଲେ ଯେତେ ଉପନିର୍ବାଚନ ହୋଇଛି ସବୁଥିରେ ବିଜେପିର ଭୋଟ ସେୟାର କମିଛି । ଗତ ଥର ଭଳି ପଂଚାୟତ ନିର୍ବାଚନ କି ପୈାର ନିର୍ବାଚନରେ ବିଜେପି ଯେପରି ସଫଳତା ହାସଲ କରିଥିଲା ସେପରି କିଛି ଏଥର ହେଲା ନାହିଁ । ବିଜେଡିର ରଣନୀତି ଆଗରେ ବିଜେପି ର ରଣନୀତି ଦୁର୍ବଳ ରହୁଥିବାରୁ ଦଳ ଆଗେଇପାରୁନଥିବା ଚର୍ଚା ହେଉଛି । ଏପରିକି ବିଜେପି କୈାଣସି ପ୍ରସଙ୍ଗକୁ ନେଇ ବିଜେଡି ବିରୋଧରେ ଲୋକଙ୍କ ପାଖକୁ ବାର୍ତ୍ତା ପଠାଇପାରୁନାହିଁ ।
ସେପଟେ ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଏବଂ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ବିଜେଡି ପାଇଁ ସେପରି କିଛି ବିପଦ ନଥିବା ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ଯେହେତୁ ନବୀନ ପଟ୍ଟନାୟକଙ୍କ ନାମରେ ବିଜେଡି ମଇଦାନକୁ ଓହ୍ଲାଉଛି ତେଣୁ ବିଜେଡିକୁ ବିଜେପି ଟକ୍କର ଦେବା କଷ୍ଟକର ମନେହୁଏ । ତେବେ ନୂଆ ସଭାପତି, ନୂଆ ପ୍ରଭାରୀ ଏବଂ ନୂଆ ରଣନୀତି ବିଜେପିକୁ କେତେ ଫାଇଦା ଦେଉଛି ତାହା ପୁଣି ନିର୍ବାଚନ ପରେ ଜଣାପଡିବ ।

Leave A Reply

Your email address will not be published.