Latest Odisha News

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ ବିଜେଡି ଟାର୍ଗେଟରେ ବି ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବହୁ ପୂର୍ବରୁ ବିଜେପିର ସ୍ବର ପାଲଟିଥିଲେ । ହେଲେ ବିଜେପି ସରକାର ଆସିବା ପରେ ଜୟନାରାୟଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ରେସରେ ରହିଥିବା ଜୟନାରାୟଣଙ୍କୁ ମନ୍ତ୍ରୀ ପଦ ବି ମିଳିନି । ଏହାକୁ ନେଇ ସେ ଅଭିମାନ କରି ଶପଥ ଗ୍ରହଣ ସମାରୋହକୁ ବି ଯାଇନଥିବା ଚର୍ଚ୍ଚା ହୋଇଥିଲା । ଏବେ ପ୍ରଶ୍ନ, କେମିତି ଜୟନାରାୟଣଙ୍କୁ ମନାଇବ ବିଜେପି?

ମନ୍ତ୍ରୀ ହେବେ କି ଜୟନାରାୟଣ?

ରାଜ୍ୟରେ ପ୍ରଥମ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ନହେଲେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଜୟନାରାୟଣ ଆଗ୍ରହ ଦେଖାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ସେ ନିରାଶ ହୋଇଥିଲେ । ଏପରିକି ଆଶ୍ଚର୍ଯ୍ୟଜନକ ଭାବେ ମନ୍ତ୍ରିମଣ୍ଡଳରେ ବି ସେ ସ୍ଥାନ ପାଇଲେନି । ଶପଥ ଗ୍ରହଣ ଉତ୍ସବରେ ଜୟନାରାୟଣଙ୍କ ଅନୁପସ୍ଥିତିକୁ ନେଇ ବି ଜୋରଦାର ଚର୍ଚ୍ଚା ହେଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋଟ୍ ୧୬ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରିମଣ୍ଡଳରେ ଆହୁରି ୬ଟି ପଦବୀ ଖାଲି ରହିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲେ ଜୟନାରାୟଣଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ବିଜେପିର ହେଭିଓ୍ବେଟ୍ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ସେଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ବି ଜରୁରୀ। କାରଣ ବିଜେଡି ସରକାର ଥିବା ବେଳେ ସେ ବିରୋଧୀ ଦଳ ନେତା ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଗୃହ ବିଭାଗ ପାଇଁ ଜୟନାରାୟଣ ଆଗ୍ରହୀ ରହିଥିବା ଚର୍ଚ୍ଚା ହେଉଛି ।

କ’ଣ କହୁଛି ମନ୍ତ୍ରିମଣ୍ଡଳ ଗଣିତ?

ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ବେଳେ ରାଜ୍ୟର ସବୁ କ୍ଷେତ୍ରରୁ ଯେଭଳି ପ୍ରତିନିଧିତ୍ବ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଏ। ଏଥିସହ ଜାତିଗତ ସମୀକରଣ ବି ନଜରରେ ରଖାଯାଏ । ପଶ୍ଚିମ ଓଡିଶା କୋଟାରୁ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ଅବିଭକ୍ତ ସମ୍ବଲପୁର ଓ କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ରରୁ କ୍ୟାବିନେଟରେ ସାମିଲ କରାଯାଇଛି। ସାଧାରଣ ବର୍ଗରୁ କେଭି, ବ୍ରାହ୍ମଣ କୋଟାରୁ ସୁରେଶ ପୂଜାରୀ ମନ୍ତ୍ରୀ ହୋଇଥିବାରୁ ଜୟନାରାୟଣଙ୍କୁ ମନ୍ତ୍ରୀ ପଦ ମିଳିବା ସେତେଟା ସହଜ ହେବନି । ବାକି ରହିଥିବା ୬ମନ୍ତ୍ରୀ ପଦ ମଧ୍ୟରୁ ଜୟନାରାୟଣଙ୍କୁ ଗୋଟିଏ ଦେଲେ ବିଜେପିକୁ ଆଞ୍ଚଳିକ ବାଲାନ୍ସ ରଖିବା କଷ୍ଟ ହୋଇପାରେ ।

ପଦ ଖାଲି, ଫିଟ୍ ହେବେ କି ଜୟନାରାୟଣ?

୬ ମନ୍ତ୍ରୀ ପଦ ସହ ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦ ବି ଏପର୍ଯ୍ୟନ୍ତ ଖାଲି ରହିଛି । ତେବେ ଏସବୁ ପଦରେ ବି ଫିଟ୍ ହୋଇ ନପାରନ୍ତି ଜୟନାରାୟଣ। ତାଙ୍କ ବରିଷ୍ଠତା ଏଥିରେ ବାଧା ଦେଇପାରେ । ଜୟନାରାୟଣଙ୍କ ସ୍ବାସ୍ଥ୍ୟଗତ କାରଣ ଆଳରେ ତାଙ୍କୁ ମନ୍ତ୍ରୀ ପଦଠୁ ବିଜେପି ଦୂରରେ ରଖିଥିବା ଚର୍ଚ୍ଚା ହେଉଛି । ତେଣୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଦେଇ ଜୟନାରାୟଣଙ୍କୁ ମନାଇପାରେ ବିଜେପି।

ବିଜେପିର ସ୍ବର ଥିଲେ ଜୟନାରାୟଣ

ରାଜ୍ୟରେ ବିଜେଡି ସରକାରରେ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରୁଥିଲେ ଜୟନାରାୟଣ। ଫାଇଭ୍-ଟି ହେଉ କି ଅନ୍ୟ କିଛି ପ୍ରସଙ୍ଗ ସେ ବିଜେପିର ସ୍ବର ପାଲଟିଥିଲେ। ଜୟନାରାୟଣ ବିରୋଧୀ ଦଳ ନେତା ହେବା ପରେ ହିଁ ବିଜେପିର ବିରୋଧକୁ ସ୍ବର ମିଳିଥିଲା। ଜୟନାରାୟଣଙ୍କ ଆଟାକିଂ ଅନ୍ଦାଜ ପାଇଁ ବିଧାନସଭାରେ ବି ଅପଦସ୍ତ ହୋଇଥିଲା ବିଜେଡି। ଆଉ ସେଥିପାଇଁ ବିଜେଡିର ଟାର୍ଗେଟରେ ବି ରହିଥିଲେ । ତାଙ୍କୁ ବିଜେଡି ବିଭିନ୍ନ ସମୟରେ ଟାର୍ଗେଟ୍ କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ନିର୍ବାଚନ ଜିତିବାରେ ବି ଜୟନାରାୟଣଙ୍କର ବଡ ଭୂମିକା ରହିଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପଛର ପ୍ଲଟ୍ ପ୍ରସ୍ତୁତ କରିଥିଲେ ଜୟନାରାୟଣ। ତେଣୁ ତାଙ୍କୁ ବିଜେପି ଉପଯୁକ୍ତ ପଦରେ ବସାଇ ମନାଇବ ବୋଲି କୁହାଯାଉଛି ।

Comments are closed.