Latest Odisha News

BREAKING NEWS

ମହାକାଳପଡା ମହାମୁକାବିଲା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭାରୁ ଗତ ତିନିଥର ହେଲା ଜିତିଆସୁଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଜେଡି ତାଙ୍କୁ ଚତୁର୍ଥ ଥର ପାଇଁ ମହାକାଳପଡାରୁ ପ୍ରାର୍ଥୀ କରିଛି । ତେବେ ଅତନୁଙ୍କ ଟକ୍କର ଦେବାକୁ ମଇଦାନରେ ରହିଛନ୍ତି ବିଜେପିରୁ ଦୁର୍ଗାପ୍ରସନ୍ନ ନାୟକ ଓ କଂଗ୍ରେସରୁ ଲୋକନାଥ ମହାରଥୀ । ଅତନୁ ସବ୍ୟସାଚୀ ନାୟକ ବିଜେଡିର ଟାଣୁଆ ନେତା । ତେବେ ପରିବର୍ତ୍ତନର ନାରା ଦେଇ ବିଜେଡି ହାତରୁ ମହାକାଳପଡା ଛଡାଇ ନେବାକୁ ଉଦ୍ୟମ କରୁଛି ବିଜେପି । ଗତ ଦୁଇ ନିର୍ବାଚନରେ ତୃତୀୟରୁ ଦ୍ବିତୀୟ ସ୍ଥାନକୁ ଆସିଛି ବିଜେପି । ଏଥର ଚାଖିବ କି ବିଜୟର ସ୍ବାଦ ? ନା ଅତନୁ କରିବେ ପୁଣି ଶଙ୍ଖନାଦ?

ଅତନୁଙ୍କ ପାଇଁ ସହଜ ନୁହେଁ ଲଢେଇ

ଗତ ତିନି ଥର ହେଲା ମହାକାଳପଡା ଜିତି ଆସୁଥିଲେ ବି ଏଥର ଲଢେଇ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ସହଜ ହେବନି । ରାଜ୍ୟ ଶାସନ ବିରୋଧୀ ହାଓ୍ବା ଅତନୁଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇପାରେ । ମହାକାଳପଡାର ବିଭିନ୍ନ ସମସ୍ୟାକୁ ନେଇ ବି ଅତନୁଙ୍କୁ ରିପୋର୍ଟ କାର୍ଡ ଦେବେ ଭୋଟର । କେତେ ବିକାଶ ହୋଇଛି? ୧୫ବର୍ଷ ପରେ ବି କାହିଁକି ହୋଇନି ସମସ୍ୟାର ସମାଧାନ? ସେପ୍ରଶ୍ନର ଉତ୍ତର ବି ମାଗିବେ। ଅତନୁ ରାଜ୍ୟ ସରକାରରେ ମନ୍ତ୍ରୀ ବି ରହିଥିଲେ । ତେଣୁ ବିଜେଡି ହେଭିଓ୍ବେଟଙ୍କୁ ମାତ୍ ଦେବାକୁ ରଣନୀତି କଷୁଛନ୍ତି ବିରୋଧୀ ।

ବିଜେଡି ଗଡ଼ରେ ବିଜେପି ଚକ୍ରବ୍ୟୂହ

ବିଜେଡିର ଟାଣୁଆ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ମାତ୍ ଦେବାକୁ ମଇଦାନରେ ଜାନ୍ ଲଗାଇଛନ୍ତି ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ । କ୍ରମାଗତ ଭାବେ ବିଜେପି ଭୋଟ୍ ମହାକାଳପଡାରେ ବଢିଛି । ୨୦୧୪ରେ ଦଳୀୟ ପ୍ରାର୍ଥୀଙ୍କୁ ୫୭ହଜାର ଭୋଟ୍ ମିଳିଥିବା ବେଳେ ୨୦୧୯ରେ ୭୭ହଜାର ଭୋଟ୍ ମିଳିଥିଲା । ତେଣୁ ଏଥର ଅତନୁଙ୍କୁ ଘେରିବାକୁ ରଣନୀତି କରିଛି ବିଜେପି । ଦୁର୍ଗାପ୍ରସନ୍ନଙ୍କ ପାଇଁ ମୋଦି ଲହର ବଡ଼ ବଳ ହୋଇପାରେ । ସେପଟେ ବିଧାନସଭା ସିଟରେ କ୍ରମାଗତ ଭାବେ କମିଛି କଂଗ୍ରେସ ଭୋଟ୍ । ଯୁବପ୍ରାର୍ଥୀ ଲୋକନାଥ ମହାରଥୀଙ୍କୁ ମଇଦାନକୁ ଓହ୍ଲାଇ ଭୋଟ୍ ବଢାଇବାକୁ ଉଦ୍ୟମ କରୁଛି ଦଳ ।

କାହାର ହେବେ ବଙ୍ଗୀୟ ଭୋଟର ?

ମହାକାଳପଡା ବିଧାନସଭା ଆସନରେ ନିର୍ଣ୍ଣାୟକ ହୋଇପାରନ୍ତି ୪୦ହଜାରରୁ ଅଧିକ ବଙ୍ଗୀୟ ଭୋଟର । ବିଶେଷ କରି ବତୀଘର, ଖରିନାଶି, ରାମନଗର, ଜମ୍ବୁ, ସୁନିତି ଭଳି ସମୁଦ୍ରକୂଳିଆ ପଞ୍ଚାୟତରେ ରହୁଥିବା ବଙ୍ଗୀୟ ଭୋଟରଙ୍କ ଉପରେ ରହିଛି ତିନି ପ୍ରମୁଖ ଦଳର ଆଖି । ଏସବୁ ଅଞ୍ଚଳରେ ବଙ୍ଗୀୟ ଭୋଟରଙ୍କୁ ଛାଡିଦେଲେ ଗରିବ, କୃଷକ, ମୂଲିଆ ଓ ମତ୍ସ୍ୟଜୀବୀ ଭୋଟର ବି ରହିଛନ୍ତି । ସ୍ଥାନୀୟ ସମସ୍ୟାର ସମାଧାନ ପ୍ରତିଶ୍ରୁତି ସହ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ ।

ପ୍ରଚାର ମଇଦାନରେ ପାଓ୍ବାର ଶୋ’

ରାଜ୍ୟ ସରକାରଙ୍କ ବିକାଶର କଥା କହି ଚତୁର୍ଥ ଥର ପାଇଁ ସୁଯୋଗ ମାଗୁଛନ୍ତି ଅତନୁ । ତାଙ୍କ ପାଇଁ ବିଜେଡି ନେତା ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି । ବିଏସକେଓ୍ବୂାଇରୁ ଲକ୍ଷ୍ମୀ ବସ୍ ବିଭିନ୍ନ ଉନ୍ନୟନମୂଳକ ଯୋଜନା କଥା ତ କହିଛନ୍ତି । ତା ସହ ବିଜେପିକୁ ଆଟାକ୍ ବି କରିଛନ୍ତି । ତେବେ ପ୍ରଚାରରେ ପଛରେ ପଡିନି ବିଜେପି । କେନ୍ଦ୍ରୀୟ ବିଜେପିର ହେଭିଓ୍ବେଟ୍ କେନ୍ଦ୍ରାପଡାରେ ଘନ ଘନ ପ୍ରଚାର କରୁଛନ୍ତି । ଓଡିଆ ଅସ୍ମିତାର କଥା କହି ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ।

୨୦୦୯ରେ ରାଜନଗର ନିର୍ବାଚନମଣ୍ଡଳୀରୁ ଅଲଗା ହୋଇ ସ୍ବତନ୍ତ୍ର ବିଧାନସଭା ଆସନ ପାଲଟିଥିଲା ମହାକାଳପଡା । ସେବେଠୁ ଅତନୁଙ୍କ ହାତରେ ରହିଛି ନିର୍ବାଚନମଣ୍ଡଳୀ । ତେବେ ଏଥର ସମୀକରଣ ବଦଳିଥିବା ବେଳେ ନୂଆ କାହାଣୀ ଲେଖିବ କି ମହାକାଳପଡା?

Comments are closed.