Latest Odisha News

BREAKING NEWS

ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !

ଭୁବନେଶ୍ବର: ପାଟଣାଗଡରେ ମହାରାଜ ନା ସରୋଜ ? ୫ବର୍ଷର ବ୍ୟବଧାନ ପରେ ପୁଣି ଗଡ କବଜା କରିବେ କି କେଭି ସିଂହଦେଓ ? ନା ଏଥର ବି ସରୋଜ କରିବେ ଶଙ୍ଖନାଦ ? ଗତଥର ଚମକାଇଥିଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭା ଫଳାଫଳ । ୫ଥରର ବିଧାୟକ ତଥା ବିଜେପିର ହେଭିଓ୍ବେଟ୍ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ପାଟଣାଗଡ ଜିତିଥିଲେ ବିଜେଡି ପ୍ରାର୍ଥୀ ସରୋଜ ମେହେର । ଏହା ଭିତରେ ଅନେକ ବଦଳିଛି ପାଟଣାଗଡ । ପ୍ରାର୍ଥୀ ପୁରୁଣା ହେଲେ ବି ମୁକାବିଲା ନୂଆ ହେବ । ତେବେ କିଏ ଜିତିବ ପାଟଣାଗଡ ଜନମତ ?

ଫେରିବେ କି କେଭି ?

୧୯୯୫ରୁ ପାଟଣାଗଡରେ ଜିତି ଆସୁଥିଲେ ରାଜା କନକ ବର୍ଦ୍ଧନ ସିଂହଦେଓ । ଲଗାତର ପାଞ୍ଚ ଥର ପାଟଣାଗଡରୁ ଜିତିଛନ୍ତି କେଭି । ତେବେ ୨୦୧୯ରେ ତାଙ୍କ ବିଜୟ ରଥରେ ବ୍ରେକ୍ ଲଗାଇଥିଲେ ବିଜେଡି ପ୍ରାର୍ଥୀ ସରୋଜ ମେହେର । ତେବେ ଶାସକ ଦଳର ବିଭିନ୍ନ ବିଫଳତାର ଚିଠା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି କେଭି । ଭତ୍ତା ହେଉ କି ଛାତ୍ରବୃତ୍ତି ଶାସକ ଦଳ ଲୋକ ଟଙ୍କା ହଡପ କରୁଥିବା ଅଭିଯୋଗ କରୁଛନ୍ତି। ତାଙ୍କ ସମୟରେ ହୋଇଥିବା ବିକାଶ କଥା ବି ଲୋକଙ୍କୁ କହୁଛନ୍ତି।

ପୁଣି ଜିତିବେ କି ସରୋଜ ?

ବିଜେପି ଗଡରେ ଶଙ୍ଖ ଫୁଙ୍କି ୨୦୧୯ରେ ଚର୍ଚ୍ଚାକୁ ଆସିଥିଲେ ସରୋଜ ମେହେର। ବିଧାନସଭା  ପରେ ପାଟଣାଗଡରେ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଭଲ ପ୍ରଦର୍ଶନ କରିଛି ବିଜେଡି। ଦଳ ଏଠାରେ ତାର ସଂଗଠନ ମଜଭୁତ କରିଛି। ରାଜ୍ୟ ସରକାରଙ୍କ ବିକାଶକୁ ମୁଦ୍ଦା କରି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସରୋଜ । ୨୫ବର୍ଷ ପରେ ପାଟଣାଗଡରେ ବିକାଶ ହୋଇଥିବା କହି ନିଜ ପରଫର୍ମାନ୍ସ ରିପୋର୍ଟ ଦେଖାଉଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସାଙ୍ଗକୁ ପର୍ଯ୍ୟଟନରେ ବିକାଶ ହୋଇଥିବା କହି ଲୋକଙ୍କୁ ପୁଣି ସୁଯୋଗ ଦେବାକୁ କହୁଛନ୍ତି।

କେଭିଙ୍କୁ ସାହା ମୋଦି ହାଓ୍ବା

ବିଜେପି ହେଭିଓ୍ବେଟ୍ କନକ ବର୍ଦ୍ଧନ ସିଂହଦେଓ ଗତଥର ନିର୍ବାଚନ ହାରିଥିଲେ ମଧ୍ୟ ପାଟଣାଗଡରେ ଆକ୍ଟିଭ ରହିଥିଲେ। ଲୋକଙ୍କ ସମସ୍ୟା ନେଇ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ଶାସନ ବିରୋଧୀ ଲହର ଥିବା ବେଳେ ଏଥିରୁ ଫାଇଦା ପାଇପାରନ୍ତି କେଭି। ସେହିପରି ମୋଦି ହାଓ୍ବା ମଧ୍ୟ ତାଙ୍କ ସପକ୍ଷରେ ଭୋଟ୍ ବଢାଇପାରେ।

କାହାର କେତେ ଦମ୍ ?

ଗୋଟେପଟେ କେଭି ସିଂହଦେଓ ୫ଥର ପାଟଣାଗଡ ଜିତିଛନ୍ତି, ତ ଅନ୍ୟପଟେ ତାଙ୍କ ବିଜୟ ରଥ ରୋକି ଗତଥର ବିଜୟୀ ହୋଇଥିଲେ ସରୋଜ ମେହେର। ଗତଥର କେଭିଙ୍କ ବିଫଳତା ଦେଖାଇ ଜିତିଥିଲେ ସରୋଜ। ହେଲେ ଏଥର ଜନତାଙ୍କ କାଠଗଡାରେ ନିଜେ ସରୋଜ ବି ରହିବେ। ଏଥର ପାଇଁ ପ୍ରତିଶ୍ରୁତି ନୁହେଁ ପ୍ରଦର୍ଶନକୁ ଦେଖି ଭୋଟ୍ ଦେବେ ପାଟଣାଗଡବାସୀ । କଂଗ୍ରେସରୁ ଏଠାରେ ଅନିଲ ମେହେର ପ୍ରାର୍ଥୀ ହୋଇଛନ୍ତି। ଗତ ୭ଟି ନିର୍ବାଚନରେ ଏଠାରେ ଜିତିନି କଂଗ୍ରେସ। ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହିଁ ହୋଇଛି। ଗତଥର ରାଜପରିବାରକୁ ପ୍ରତ୍ୟାଖ୍ୟାନ କରି ବଡ ସନ୍ଦେଶ ଦେଇଥଲା ପାଟଣାଗଡ। ଏଥର କାହାକୁ ବାଛିବେ ଭୋଟର ?

Comments are closed.